ଶ୍ରୀମନ୍ଦିର ପ୍ରଶାସନର ବଡ ପ୍ରସ୍ତୁତି : ବାହୁଡା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ସୁରୁଖୁରୁରେ ସମାପନ କରିବା ପାଇଁ ସବୁ ବିଭାଗୀୟ ଅଧିକାରୀଙ୍କ ସହ ହେଲା ଆଲୋଚନା

227

କନକ ବ୍ୟୁରୋ : ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡାଯାତ୍ରା । ଏନେଇ ହୋଇଯାଇଛି ସମୀକ୍ଷା ବୈଠକ । ନିଳାଦ୍ରୀ ଭକ୍ତ ନିବାସରେ ବସିଥିଲା ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକ ହୋଇଛି । ବାହୁଡା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ସୁରୁଖୁରୁରେ ସମାପନ କରିବା ପାଇଁ ସବୁ ବିଭାଗୀୟ ଅଧିକାରୀଙ୍କ ସହ ହୋଇଛି ଆଲୋଚନା । ଶ୍ରୀମନ୍ଦିର ପ୍ରଶାସକ କହିଲେ, କୋଭିଡ କଟକଣା ଭିତରେ ସମ୍ପୂର୍ଣ୍ଣ ହେବ ସମସ୍ତ ନୀତିକାନ୍ତି । ଶ୍ରୀଗୁଣ୍ଡିଚା ଯାତ୍ରା ଠାରୁ ସଂଧ୍ୟା ଦର୍ଶନ ପର୍ଯ୍ୟନ୍ତ ସମସ୍ତ ପ୍ରଶାସନିକ କାର୍ଯ୍ୟ ସହିତ ପୁଲିସର ଏନଫୋର୍ସମେଂଟ ଉପରେ ସମୀକ୍ଷା ହୋଇଛି ।

ବୈଠକରେ ବାହୁଡାଯାତ୍ରା ପ୍ରସ୍ତୁତି ଉପରେ ବିସ୍ତୁତ ଆଲୋଚନା କରାଯାଇଛି । ସେପଟେ ଆଜି ଜନ୍ମବେଦୀରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ । ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଏହା ଜନ୍ମବେଦୀରେ ଶେଷ ଦର୍ଶନ । ପ୍ରତିବର୍ଷ ସନ୍ଧ୍ୟା ଦର୍ଶନରେ ଭକ୍ତଙ୍କ ପ୍ରବଳ ସମାଗମ ହେଉଥିବା ବେଳେ ଏଥର କରୋନା କଟକଣା ଯୋଗୁଁ ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ନୀତି । ରାତି ୧୦ଟା ଭିତରେ ଏହି ନୀତିକୁ ସମ୍ପନ୍ନ କରି ବାହୁଡ଼ା ଯାତ୍ରାର ପ୍ରସ୍ତୁତି ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି ।