ଉତ୍ତରପ୍ରଦେଶରେ ଚାଲିଛି ବିଧାନସଭା ନିର୍ବାଚନ । ୬ଷ୍ଠ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଜୋରଦାର ପ୍ରଚାର ।

86

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଆସନ୍ତାକାଲି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ହୋବାକୁ ଅଛି । ଯାହାକୁ ନେଇ ବଡ ବଡ ରାଲି ଓ ପ୍ରଚାର କାର୍ଯ୍ୟକ୍ରମର ଆୟୋଜନ ହେଉଛି । ମଇଦାନକୁ ଉହ୍ଲାଇ ଉଭୟଙ୍କୁ ଦୋଷାରୋପ କରୁଛନ୍ତି ବିଜେପି-କଂଗ୍ରେସ । ସେପଟେ ଶିବ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ।

ୟୁପିର ବିଧାନସଭା ନିର୍ବାଚନ ଜାରି ରହିଛି । ଆସନ୍ତାକାଲି ରାଜ୍ୟରେ ଷଷ୍ଠ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି ଯାହାକୁ ନେଇ ଜବରଦସ୍ତ ପ୍ରଚାର କାର୍ଯକ୍ରମ ଦେଖିବାକୁ ମିଳିଛି । ନେତାମାନେ ରାଜନୀତି ମଇଦାନକୁ ଉହ୍ଲାଇ ବୟାନ ବାଜି କରୁଛନ୍ତି । ସାଧାରଣ ଜନତାଙ୍କୁ ପ୍ରଭାବିତ କରିବାପାଇଁ ନେତାମାନେ ନାନା ପ୍ରକାର ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି । ୟୁପି ରାଜନୀତିରେ ବର୍ତମାନ ବୁଲଡୋଜର ବେସ ଚର୍ଚ୍ଚାରେ ରହିଛି । ମହାରାଜଗଞ୍ଜରେ ଏକ ସଭାକୁ ସମ୍ବୋଧିତ କରି ବିରୋଧୀଙ୍କ ଉପରେ ବର୍ଷିିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେପଟେ ସମାଜବାଦି ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଗ୍ୟାସ ସିଲିଣ୍ଡର ଦାମକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି । ଅନ୍ୟପଟେ ଲକ୍ଷ୍ନୌ ଶିବ ମନ୍ଦିରରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କୁ ଦେଖିବାକୁ ମିଳିଛି । ଜାଗର ଅବସରରେ ପ୍ରଭୁ ମହାଦେବଙ୍କ ପୂଜାର୍ଚ୍ଚନା କରିଛନ୍ତି ପ୍ରିୟଙ୍କା ।

ବିଧାନସଭା ନିର୍ବାଚନକୁ ନେଇ ଉତ୍ତରପ୍ରଦେଶ ରାଜନୀତି ବି ବେଶ ସରଗରମ ହୋଇଉଠିଛି । ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ମଇଦାନକୁ ଓହ୍ଲାଉଛନ୍ତି ଅନେକ ହେଭିୱେଟ ନେତା । ସମସ୍ତଙ୍କ ଆଖିରେ ଗୋଟିଏ ସ୍ୱପ୍ନ, ୟୁପିକୁ ବିଜୟ କରିବା । କେନ୍ଦ୍ରରେ ସରକାର ଗଠନ କରିବାକୁ ହେଲେ ଏହି ରାଜ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ସବୁଠାରୁ ବଡ ରାଜ୍ୟ ୟୁପିରେ ରହିଛି ୪୦୩ଟି ବିଧାନସଭା ଆସନ । ଆଉ ଏହି ଗଡରେ ବିଜୟ ମିଳିଲେ କେନ୍ଦ୍ରରେ ସରକାର ଗଢିବା କୌଣସି ରାଜନୈତିକ ଦଳ ପାଇଁ ସହଜ ହୋଇଯାଇଥାଏ । ଉତ୍ତରପ୍ରଦେଶରେ ବିଜୟ ବାନା ଉଡାଇବା ପାଇଁ ଅଣ୍ଟା ଭିଡିଛନ୍ତି ବିଭିନ୍ନ ରାଜନୈତିକ ଦଳ । ତେବେ ଏହି ରାଜ୍ୟରେ କିଏ ସରକାର ଗଢିବ ତାହା ସମୟ ସାପେକ୍ଷ ।