ସୁଦାନରୁ ଫେରିଲେ ୬ଜଣ ଓଡ଼ିଆ। ବଖାଣିଲେ ଗୃହ ଯୁଦ୍ଧ ଭିତରୁ ମୁକୁଳି ଆସିବାର ଛାତିଥରା ଅନୁଭୂତି।

138

କନକ ବ୍ୟୁରୋ: ମୁଣ୍ଡ ଉପରେ ବନ୍ଧୁକ, ସୁଦାନରେ ଦିନକୁ ଦିନ ଭୟଙ୍କର ହେଉଥିବା ଗୃହଯୁଦ୍ଧ ଭିତରେ ପ୍ରତିମୁହୂର୍ତରେ ରହିଥିଲା ମୃତ୍ୟୁର ଭୟ । କେବେ କଣ ଘଟିବ, ତାକୁ ଆକଳନ କରିବା ଥିଲା ମୁସ୍କିଲ୍ । ୮ଘଂଟା ଧରି ଗନ୍ ପଏଣ୍ଟରେ ରହିଥିଲେ ବାଲେଶ୍ୱର ସୋର ଅଞ୍ଚଳର ଶିବପ୍ରସାଦ ଜେନା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିା ପରେ ବଖାଣିଛନ୍ତି ଅଙ୍ଗେଲିଭା କାହାଣୀ । ଏକ ଷ୍ଟିଲ୍ କମ୍ପାନୀରେ କାମ କରୁଥିଲେ ଶିବପ୍ରସାଦ । ୮ଘଂଟାରୁ ଅଧିକ ସମୟ ଗନ୍ ପଏଣ୍ଟରେ ରଖିବା ସହ ତାଙ୍କ ଠାରୁ ଟଙ୍କା ଆଉ ମୋବାଇଲ୍ ଲୁଟି ନେଇଥିଲେ ବିଦ୍ରୋହୀ ।

ସୁଦାନରେ ହିଂସା ଲାଗି ରହିଥିବା ବେଳେ ସେଠାରେ ରହୁଥିବା ଭାରତୀୟଙ୍କ ସମସ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଥିଲା । ଦିନକୁ ଗୋଟିଏ ଓଳି ଖାଇବା ବି ମୁସ୍କିଲ ହେଇ ପଡିଥିଲା । ଯାହା ଟଙ୍କା ଆଉ ଖାଇବା ସାମଗ୍ରୀ ଥିଲା, ତାହା ମଧ୍ୟ ଲୁଟି ନେଇଥିଲେ ଆକ୍ରମଣକାରୀ । କେନ୍ଦ୍ର ସରକାରଙ୍କ ଅପରେସନ କାବେରୀ ଜରିଆରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଅଣାଯାଇଥିବା ବେଳେ ଆଜି ସକାଳେ ବିମାନ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱରରେ ପହଞ୍ଚିିଛନ୍ତି ୬ ଜଣ ଓଡ଼ିଆ ।

ଗୁଳିଗୋଳା ବର୍ଷଣ, ଗ୍ରେନେଡ୍ ବିସ୍ଫୋରଣର ଛାତିଫଟା ଶବ୍ଦ ଯେତେବେଳେ କାନରେ ବାଜୁଥିଲା, ସେତେବେଳେ ଆହୁରି ବଢ଼ୁଥିଲା ଭୟ । ଏବେ ଭାରତ ଫେରି ଆସିବା ପରେ ସେମାନଙ୍କ ଦେହରେ ଜୀବନ ପସିଛି । ପାଖାପାଖି ଅଢ଼େଇ ହଜାର ଭାରତୀୟଙ୍କୁ ଫେରାଇ ଅଣାଯାଇଛି । ପ୍ରାୟ ୫ ହଜାର ଭାରତୀୟ ସୁଦାନରେ ଫସି ରହିଥିଲେ । ପର୍ଯ୍ୟାୟକ୍ରମେ ସମସ୍ତଙ୍କୁ ଫେରାଇ ଅଣାଯିବ ବୋଲି କହିଛି ବୈଦେଶିକ ମନ୍ତ୍ରାଳୟ ।