କନକ ବ୍ୟୁରୋ :ଉପରେ ମୁ୍ଣ୍ଡରେ ବର୍ଷା ଯୋଗୁଁ ହୀରାକୁଦରେ ଜଳସ୍ତର ବୃଦ୍ଧି ପାଉଛି । ବର୍ତମାନରେ ହୀରାକୁଦ ଜଳଭଣ୍ଡାରରୁ ୧୨ ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ପ୍ରତି ସେକେଣ୍ଡରେ ୨ଲକ୍ଷ କ୍ୟୁସେକ୍ ଉପରେ ବନ୍ୟାଜଳ ନିଷ୍କାସନ ହେଉଛି । ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ୨ ଲକ୍ଷ ୯୮ ହଜାର ୦୮୧ କ୍ୟୁସେକ ଜଳ ପ୍ରବେଶ କରୁଛି । ହୀରାକୁଦର ଜଳଭଣ୍ଡାର ସର୍ବୋଚ୍ଚ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ଜଳସ୍ତର ରହିଛି ୬୨୮ ଦଶମିକ ୧୦ ଫୁଟ ରହିଛି ।
ଗତ ୧୨ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ବା ଡିପ୍ରେସନ ଏବେ ଓଡ଼ିଶା ଉପରୁ ସଂପୂର୍ଣ୍ଣ ଭାବେ ଅପସରିଯାଇଛି । ଆଜି ସକାଳ ସାଢେ ୫ଟା ସୁଦ୍ଧା ଏହା ଉତ୍ତର ଛତିଶଗଡ଼ ଓ ପୂର୍ବ ମଧ୍ୟପ୍ରଦେଶରେ ପହଞ୍ଚିଛି । ତେବେ ଏହା ଦୁର୍ବଳ ହୋଇ ଏବେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୪୮ ଘଣ୍ଟାରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅବପାତ ଏବେ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ପ୍ରବଳ ବର୍ଷା କରାଉଥିବାରୁ ମହାନଦୀର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହା ଫଳରେ ହୀରାକୁଦରେ ଜଳସ୍ତର ଆହୁରି ବଢିବାର ସମ୍ଭାବନା ରହିଛି ।
ଅବପାତ ଓଡ଼ିଶା ଅତିକ୍ରମ କରିଯାଇଥିବାରୁ ରାଜ୍ୟରେ ଆଜିଠାରୁ ବର୍ଷା କମିବା ସହ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି । ତେବେ ଗତ ୧୧ ତାରିଖଠାରୁ ତିନିଦିନ ପାଇଁ ହୋଇଥିବା ଲଗାଣ ବର୍ଷା ଫଳରେ ଓଡ଼ିଶାର ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି । ବିଶେଷକରି ମହାନଦୀ, ବ୍ରାହ୍ମଣୀ, ବୁଢାବଳଙ୍ଗ, ବୈତରଣୀରେ ଜଳସ୍ତର ବିପଦ ସଂକେତ ନିକଟବର୍ତ୍ତୀ ରହିଛି । ହୀରାକୁଦରେ ୬ଟି ଗେଟ ଖୋଲାଯାଇଥିବାରୁ ତଳମୁଣ୍ଡରେ ବନ୍ୟା ଆଶଙ୍କା ଦେଖାଦେଇଛି ।