ରାଜକନିକାରେ ୬ଶହ ବର୍ଷର ରାଜ ମେଳଣ: ରାଜାରାଣୀଙ୍କ ସହ ହୋଲି ଖେଳିଲେ ହଜାର ହଜାର ଲୋକ

296

କନକ ବ୍ୟୁରୋ: ଦୋଳ ପୂର୍ଣ୍ଣିମା ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ମେଲଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବର୍ଷ ବର୍ଷର ପରମ୍ପରାକୁ ଆଜି ବି ଖୁସ୍ ଆଡମ୍ବର ସହ ପାଳନ କରାଯାଇଛି । ଶ୍ରଦ୍ଧା ଓ ଭକ୍ତିର ସହ ଦୋଳ ବିମାନରେ ଭଗବାନଙ୍କୁ ଅବସ୍ଥାନ କରି ପୂଜାର୍ଚ୍ଚନା କରିଛନ୍ତି ।

୬ ଶହ ବର୍ଷର ମେଳଣ ଉତ୍ସବ । ରାଜ ମେଳଣ ଉତ୍ସବକୁ ୫୦ରୁ ଅଧିକ ବିମାନରେ ଆସନ୍ତି ରାଧାକୃଷ୍ଣ । କେନ୍ଦ୍ରାପଡା ରାଜକନିକାରେ ଆୟୋଜିତ ରାଜ ମେଳଣରେ ହଜାର ହଜାର ଲୋକଙ୍କ ଗହଳି ଜମିଥାଏ । ରାଜରାଣୀ ରାଧାକୃଷ୍ଣଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥାନ୍ତି । ବର୍ଷକରେ ଥରେ ରାଜାରାଣୀଙ୍କ ସହ ରଙ୍ଗ ଖେଳିଥାନ୍ତି ଅଂଚଳବାସୀ । କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେବ ଓ ରାଣୀ ମୃଣାଳିନୀ ଦେବୀ ଲୋକଙ୍କ ସହ ରଙ୍ଗ ଖେଳିଥାନ୍ତି । ଏହାସହ କୃଷ୍ଣ ଭଜନ ଗାଇ ଗାଇ ରାଧାକୃଷ୍ଣଙ୍କ ଭକ୍ତି ନିବେଦନ କରିଥାନ୍ତି ଶ୍ରଦ୍ଧାଳୁ । ପରମ୍ପରା ଅନୁସାରେ ମେଳଣ ଶେଷ ହେବା ପରେ ରାତିରେ ଗୋପାଳଜୀଉ, ରାସବିହାରୀ ଜୀଉ ଓ ପ୍ରଭୁ ରାଧାକାନ୍ତ ଜୀଉଙ୍କ ଭେଟ ଅନୁଷ୍ଠିତ ହୋଇଥାଏ ।

ଏପଟେ ଭକ୍ତିର ସହ ବିମାନରେ ପ୍ରଭୁ ଲକ୍ଷ୍ମୀ ନୃସିଂହଙ୍କ ଦର୍ଶନ କରିବା ପାଇଁ ଗାଁ ଦାଣ୍ଡରେ ଅପେକ୍ଷା କରିଥାନ୍ତି ଶ୍ରଦ୍ଧାଳୁ । ସେପଟେ ଉତ୍ସବ ମୁଖର ମେଳଣ ପଡିଆ । ଏ ହେଉଛି କଟକ ସାଲେପୁର ପୂର୍ବକଚ୍ଛ ମେଳଣ ପଡିଆରେ ଲକ୍ଷ୍ମୀନୃସିଂହ ବିମାନର ଦୃଶ୍ୟ । ଦୋଳ ଦଶମୀ ଠାରୁ ଦୋଳ ପୂର୍ଣ୍ଣିମା ଯାଏଁ ଠାକୁର ବିମାନରେ ୧୨ଟି ଗାଁ ବୁଲି ଭୋଗ ଖାଇଥାନ୍ତି । ଅନ୍ୟ ସ୍ଥାନ ଭଳି କୌଣସି ବ୍ୟକ୍ତିଙ୍କ ଘରେ ଭୋଗ ଖାଇନଥାନ୍ତି । ଗାଁରେ ଥିବା ନିର୍ଦ୍ଧିଷ୍ଟ ପିଣ୍ଡିରେ କାନ୍ଧରେ ରହି ଭୋଗ ଖାଇଥାନ୍ତି । ଆଉ ଲକ୍ଷ୍ମୀନୃସିଂହ ପାଖରେ ଶ୍ରଦ୍ଧାର ଚାଉଳ ଲଡୁ ଭୋଗ କରିଥାନ୍ତି ଶ୍ରଦ୍ଧାଳୁ । ଆଉ ଏକ ବିଶେଷତ୍ୱ ହେଉଛି, ଠାକୁରଙ୍କ ବିମାନ ଯେଉଁ ବାଟ ଦେଇ ଯାଇଥାଏ, ସେଇ ବାଟ ଦେଇ ଫେରେ ନାହିଁ । ଫେରିବା ବାଟରେ ରାସ୍ତାରେ ଶୋଇ ରହିଥିବା ମାନସିକଧାରୀଙ୍କୁ ବିମାନରେ ଥାଇ ଆଶୀର୍ବାଦ କରିଥାନ୍ତି ।

ସେପଟେ ଗଂଜାମ ସହରରେ ୫ ଦିନ ଧରି ଚାଲିଥିବା ଐତିହାସିକ ଦୋଳଯାତ୍ରା ଉଦ୍ୟାପିତ ହୋଇଛି । ଏକାଦଶୀରୁ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତିକୁ ଦୋଳ ବିମାନରେ ବସାଇ ସାହି ସାହି ବୁଲାଇଛନ୍ତି ଅଂଚଳ ବାସୀ । ଭକ୍ତଙ୍କ ଦୁଆରୁ ଭୋଗ ଖାଇଥାନ୍ତି ରାଧାକୃଷ୍ଣ । ଏହି ଅବସରରେ ବିଭିନ୍ନ ସାହିରେ ରଙ୍ଗବେରଙ୍ଗର ସୁସଜିତ ଆଲୋକମାଳାରେ ମନ୍ଦିର ଓ ସାହି ଝଲସି ଉଠିଛି । ବିମାନ ଶୋଭାଯାତ୍ରା ସମୟରେ ପାରମ୍ପରିକ ବାଦ୍ୟ ଓ ଘଂଟ କାହାଳି ଶବ୍ଦରେ ସୃଷ୍ଟି ହୋଇଥାଏ ଆଧ୍ୟାତ୍ମିକ ପରିବେଶ । ଦୋଳଯାତ୍ରାର ଶେଷ ଦିନରେ ବଜାର ଯାତ୍ରା ଅନୁଷ୍ଠିତ ହୋଇଥାଏ । ସମସ୍ତ ସାହିର ଠାକୁରମାନେ ଗଂଜାମ ସହରରେ ଏକତ୍ରିତ ହୋଇଥାନ୍ତି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ ହୋଇଥାଏ ।