କାଲି ୬ ଘଂଟା ପାଇଁ ବନ୍ଦ ହୋଇଯିବ ଓଡିଶା । ତେଲ ଦର ବୃଦ୍ଧି ପ୍ରତିବାଦରେ ସକାଳ ୭ରୁ ଦିନ ଗୋଟାଏ ଯାଏଁ କଂଗ୍ରେସର ବନ୍ଦ ଡାକରା ।

137

କନକ ବ୍ୟୁରୋ: ଆସନ୍ତାକାଲି ୬ ଘଂଟିଆ ଓଡିଶା ବନ୍ଦ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଘୋଷଣା କରିଛି କଂଗ୍ରେସ । ସେପଟେ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତାକାଲି ସ୍କୁଲ ଓ କଲେଜ ଛୁଟି ଘୋଷଣା କରିଛନ୍ତି । ତେବେ ବନ୍ଦ ସମୟରେ ବିଭିନ୍ନ ଜରୁରୀକାଳୀନ ସେବାକୁ ବାଦ ଦିଆଯିବ ବୋଲି କଂଗ୍ରେସ ଘୋଷଣା କରିଛି ।

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ୬ ଘଂଟିଆ ବନ୍ଦ ପାଳନର ଗୁରୁତ୍ୱ ବଢିଯାଇଛି । କାରଣ ସୁରକ୍ଷା ଦୃଷ୍ଟିରୁ ରାଜ୍ୟରେ ସ୍କୁଲଗୁଡିକୁ ବନ୍ଦ ରଖିବାକୁ ନିଷ୍ପତ୍ତି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । କାଲି ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ବନ୍ଦ ପାଳନ କରିବ କଂଗ୍ରେସ । ହେଲେ ବନ୍ଦ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବ । ସେହିପରି ବନ୍ଦରେ ରୋଗୀ, ଗଣମାଧ୍ୟମ ପ୍ରତିନିଧି, ବାହାଘର ଗାଡି, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କୌଣସି ବାଧା ଦିଆଯିବ ନାହିଁ ବୋଲି କହିଛନ୍ତି ପିସିସି ସଭାପତି । ଆମ୍ବୁଲାନ୍ସ ଓ ଦୁଗ୍ଧ ଗାଡି ଅବାଧରେ ଗଡିବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ପ୍ରଦେଶ କଂଗ୍ରେସର ଅଭିଯୋଗ ହେଲା, କେନ୍ଦ୍ରରେ ମୋଦି ସରକାର ଆସିବା ଦିନରୁ ଗତ ୭ ବର୍ଷ ହେଲା ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢିଚାଲିଛି । ପେଟ୍ରୋଲ ଓ ଡିଜେଲ ଦର ୫ରୁ ୭ ପଇସା ବଢିଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଥିଲା, ଏବେ କାହିଁକି ଚୁପ ବସିଛି ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ । ଯାହାକୁ ନେଇ ଚିହିଁକି ଉଠିଛି ବିଜେଡି । ଦଳର ନେତା କହିଛନ୍ତି, କଂଗ୍ରେସ ତାର ରାଜନୈତିକ ସ୍ଥିତିକୁ ରକ୍ଷା କରିବା ପାଇଁ ଆନ୍ଦୋଳନ କରୁଛି । ସେପଟେ ତେଲଦର ବୃଦ୍ଦି ପାଇଁ ରାଜ୍ୟ ଟିକସକୁ ଦାୟୀ କରିଛି ବିଜେପି ।

ଏପଟେ କାଲିର ବନ୍ଦକୁ ଆଖିରେ ରଖି ସ୍କୁଲ ବନ୍ଦ ରଖିବାକୁ ନିଷ୍ପତି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଆସନ୍ତାକାଲି ଓ ମଙ୍ଗଳବାର ସରସ୍ୱତୀ ପୂଜାରେ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତି ହୋଇଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ତେବେ କଂଗ୍ରେସର ଏହି ବନ୍ଦ ପାଳନ ପେଟ୍ରୋଲ ଓ ଡିଜେଲ ଦର କମାଇବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାରେ ସମର୍ଥ ହେବ କି ନାହିଁ ତାହା ଏକ ପ୍ରଶ୍ନବାଚୀ ।