ତେଲଦର ବୃଦ୍ଧିକୁ ନେଇ ତାତିଲା କଂଗ୍ରେସ । ୬ ଘଂଟାର ଓଡିଶା ବନ୍ଦ ପାଳନରେ ଅଟକିଗଲା ଗାଡି ମୋଟର, ଫିଟିଲାନି ରାସ୍ତା ।

53

କନକ ବ୍ୟୁରୋ: ତେଲଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବନ୍ଦ ପାଳନ ଫଳରେ ୬ ଘଂଟା ଧରି ଅଟକି ଯାଇଛି ଓଡିଶା । ବନ୍ଦକୁ ସଫଳ କରିବା ପାଇଁ କଂଗ୍ରେସ କର୍ମୀ ଓ ନେତାମାନେ ସକାଳୁ ସକାଳୁ ପିକେଟିଂ ଆରମ୍ଭ କରିଦେଇଥିଲେ । ସକାଳ ୭ଟାରୁ ଦିନ ଗୋଟିଏ ଯାଏଁ ଏହି ବନ୍ଦ ପାଳନ ବେଳେ କଂଗ୍ରେସ କର୍ମୀଙ୍କ ଉତ୍ପାତ ମଧ୍ୟ ଦେଖିବାକୁ ମିଳିଛି । ତେବେ କେନ୍ଦ୍ର ସରକାରଙ୍କ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଥିବାରୁ ରେଳରୋକରୁ ଆରମ୍ଭ କରି ଜାତୀୟ ରାଜପଥକୁ ଅବରୋଧ କରିବାର ରଣନୀତି ଗ୍ରହଣ କରିଥିଲା କଂଗ୍ରେସ ଦଳ । ବନ୍ଦ ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଲୋକେ ।

ଆଜିର ବନ୍ଦ ପାଳନ ବେଳେ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଥିଲା । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବା ସହିତ ଆମ୍ବୁଲାନ୍ସ, ସ୍ୱର୍ଗଦ୍ୱାର ଗାଡି, ଦୁଗ୍ଧ ଗାଡିକୁ ନଅଟକାଇବା ପାଇଁ ନିଷ୍ପତି ହୋଇଥିଲା । ପୂର୍ବ ଘୋଷଣା ମୁତାବକ ରୋଗୀ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟାନ୍ୟ ଜରୁରୀ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଆନ୍ଦୋଳନକାରୀ ଅଟକାଇନଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଛାତ୍ର ଓ ଯୁବ କଂଗ୍ରେସ କର୍ମୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖିବାକୁ ମିଳିଛି । ବନ୍ଦକୁ ସଫଳ କରିବା ପାଇଁ କେତେକ ସ୍ଥାନରେ ଜୋରଜବରଦସ୍ତି କରିଛନ୍ତି ଆନ୍ଦୋଳନକାରୀ ।

ପେଟ୍ରୋଲ ଓ ଡିଜେଲ ଦର ସାଧାରଣ ଉପଭୋକ୍ତାଙ୍କୁ ବାଧୁଥିବାରୁ ବନ୍ଦକୁ ସମର୍ଥନ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ପିସିସି ସଭାପତି । ଆଉ ୬ ଘଂଟାର ଓଡିଶା ବନ୍ଦକୁ ଅଭୁତପୂର୍ବ ସଫଳତା ମିଳିଥିବା କହିଛନ୍ତି ନିରଞ୍ଜନ ପଟ୍ଟନାୟକ । ବିଜେଡି ମଧ୍ୟ ଏହାକୁ ସାଧାରଣ ଲୋକଙ୍କ ସମସ୍ୟା କହି ବନ୍ଦର ପ୍ରଭାବ କେନ୍ଦ୍ର ଉପରେ ପଡିବ ବୋଲି ଆଶାବ୍ୟକ୍ତ କରିଛି । ସେପଟେ ରାଜ୍ୟ କଂଗ୍ରେସର ବିପର୍ଯ୍ୟୟ ହୋଇଥିବାରୁ ନଜର ହଟାଇବାକୁ ଆନ୍ଦୋଳନ କରୁଥିବା କହିଛି ବିଜେପି ।

ଏହାରି ଭିତରେ ନବରଙ୍ଗପୁରରେ ଦେଖିବାକୁ ମିଳିଛି ଅଭିନବ ପ୍ରତିବାଦ । ଜଣେ କଳାକାର ଶଗଡ ଉପରେ ଛିଡା ହୋଇ ମୋଦିଙ୍କ ବେଶରେ ଅଭିନୟ ମାଧ୍ୟମରେ ସମାଲୋଚନା କରିଥିଲେ । କଂଗ୍ରେସ ନେତା, କର୍ମୀ ମାନେ ଶଗଡ ଗାଡିରେ ରାଲି କରି ତେଲ ଦର ଓ ରୋଷେଇ ଗ୍ୟାସ ଦର ବୃଦ୍ଧିର ପ୍ରତିବାଦ କରିଛନ୍ତି ।