ଆସାମ ମିଜୋରାମ ମୁହାଁମୁହିଁ : ହିଂସାରେ ୬ ଆସାମ ପୋଲିସ୍ କର୍ମୀ ନିହତ ,୮୦ ରୁ ଉଦ୍ଧ୍ୱର୍ ଆହତ: ଆପୋଷ ସମାଧାନ କରିବାକୁ ଗୃହମନ୍ତ୍ରୀଙ୍କ ପ୍ରସ୍ତାବ

131

କନକ ବ୍ୟୁରୋ : ପୁଣି ଉଗ୍ର ରୂପ ଧାରଣ କରିଛି ଆସାମ ମିଜୋରାମ ହିଂସା । ଫଳରେ ଆସାମର ୬ ପୋଲିସ ପ୍ରାଣ ହରାଇଥିବାବେଳେ ୮୦ ରୁ ଉଦ୍ଧ୍ୱର୍ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଆସାମ ପୋଲିସର କିଛି ଅଧିକାରୀ ଅଛନ୍ତି । ମିଜୋରାମ ପୋଲିସ ପକ୍ଷରୁ ଗୁଳିମାଡରେ ଏକ କାର ଯୋଗେ ଆସୁଥିବା ଦମ୍ପତ୍ତି ମଧ୍ୟ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଯଦି ସୀମାକୁ ନେଇ ଲୋକଙ୍କ ଜୀବନ ଯାଉଛି ତେବେ ସେପରି ବିବାଦର ଯାଥାର୍ଥତା କ’ଣ ବୋଲି ବିଭିନ୍ନ ଗଣମାଧ୍ୟମରେ ମତ ପ୍ରକାଶ ପାଇଛି ।

ଆମାସର କଚ୍ଛାର ଜିଲ୍ଲା ଓ ମିଜୋରାମର କୋଲାସିବ ଜିଲ୍ଲା ମଧ୍ୟରେ ଥିବା ସୀମାକୁ ନେଇ ଉଭୟ ପକ୍ଷରୁ ହୋଇଛି ଗୁଳିମାଡ । ଏହା ସହ ଉଭୟ ପକ୍ଷ ଲୋକେ ଟେକାପଥର ମାଡ କରିଥିଲେ । ଫଳରେ ଅନେକ ଧନଜୀବନ ହାନୀ ହୋଇଛି । ଏ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଗୃହମନ୍ତ୍ରୀ ଅମୀତ ଶାହାଙ୍କୁ ଜଣାଇଥିଲେ । ଏ ବିବାଦ ଆଗକୁ ନବଢାଇ ବରଂ ଶାନ୍ତିପୂର୍ଣ୍ଣ ସମାଧାନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ମିଜୋରାମ କୋଲାସିବ୍ର ଏସପି ସୁରକ୍ଷା କର୍ମୀଙ୍କୁ ପ୍ରତ୍ୟାହର କରିନେବାକୁ ବାରମ୍ବାର କହୁଥିଲେ ମଧ୍ୟ ନିଜେ ଏଥିରୁ ଓହରୁନଥିବା କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ଏପରି ସ୍ଥିତିରେ ସରକାର କିପରି ଚାଲିବ ବୋଲି ପ୍ରଶ୍ନ କରିଛନ୍ତି ବିଶ୍ୱଶର୍ମା । ଖୁବ ଶିଘ୍ର ଐଜୱାଲ ଯାଇ ସେଠାରେ ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲ ଥାନୱାଲା ଓ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା କରିବେ ବୋଲି କହିଛନ୍ତି । ଏହା ପୂର୍ବରୁ ଦୁଇ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ପରସ୍ପରକୁ ଦୋଷାରୋପ କରିଥିଲେ ।

ସୂଚନା ମୁତାବକ, ମିଜୋରାମର ଐଜୱାଲ, କୋଲାସିବ, ମାମିତ୍ ତିନି ଜିଲ୍ଲା ଓ ଆସାମର କାଚ୍ଚାର, ହୈଲାକାନ୍ଦି, ଓ କରିମ୍ଗଂଜ ଜିଲ୍ଲା ମଧ୍ୟରେ ୧୬୪. ୬ କିଲୋମିଟରର ସୀମା ଅଂଚଳ ରହିଛି । ଏହା ନିଷିଦ୍ଧାଂଚଳ ହୋଇଥିଲେ ବି ଅନେକ ସମୟରେ ଉଭୟ ପଟୁ ଲୋକେ ଏଠାକୁ ଅନୁପ୍ରବେଶ କରି ପରସ୍ପରକୁ ଆକ୍ରମଣ କରିଥାନ୍ତି । ଗତ ଜୁନ୍ ମାସରେ ମଧ୍ୟ ଏପରି ବିବାଦ ଦେଖାଦେଇଥିଲା । ବାରମ୍ବାର ଘଟୁଥିବା ଏପରି ଅପ୍ରୀତିକର ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ମିଜୋରାମ ପ୍ରଶାସନ ପକ୍ଷରୁ ‘ସୀମା କମିସନ୍’ ଗଠନ କରାଯାଇଛି । ଏଥିରେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ତାହ୍ନୁୱାଲିଆ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ନେଇ କମିସନକୁ କାର୍ଯ୍ୟକାରୀ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।