ରାହୁଲଙ୍କ ନେତୃତ୍ୱ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଲା ଶିବସେନା : ୟୁପିଏକୁ ଏକ ଏନଜିଓ ବୋଲି କହିଲା ଶିବସେନା

161

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି ଶିବସେନା । ଦଳର ମୁଖପତ୍ର ‘ସାମନା’ରେ ଏକ ସମ୍ପାଦକୀୟରେ ରାହୁଲଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ କରାଯାଇଛି । ଏଥି ସହିତ, ୟୁପିଏକୁ ଏକ ଏନଜିଓ ବୋଲି କହି ଶିବସେନା ଏହାର ନେତୃତ୍ୱକୁ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାରଙ୍କୁ ହସ୍ତାନ୍ତର କରିବାକୁ ଓକିଲାତି କରିଛି। ‘ସାମନା’ର ସମ୍ପାଦକୀୟରେ ଲେଖାଯାଇଛି ଯେ ପର୍ଯ୍ୟନ୍ତ ସମସ୍ତ ୟୁପିଏ ଦଳ ବିଜେପିକୁ ବିରୋଧ କରିବାକୁ ଯୋଗ ନ ଦେବେ ସେ ପର୍ଯ୍ୟନ୍ତ ବିରୋଧୀ ଦଳ, ସରକାରଙ୍କ ସମ୍ମୁଖରେ ପ୍ରଭାବହୀନ ହୋଇ ରହିବ ।

ଶିବସେନା ପକ୍ଷରୁ କୁହାଯାଇଛି ଯେ, ପ୍ରିୟଙ୍କା ଗାନ୍ଧୀଙ୍କୁ ଯେଭଳି ଦିଲ୍ଲୀ ରାସ୍ତାରେ ଅଟକ ରଖାଯାଇଥିଲା, ରାହୁଲ ଗାନ୍ଧୀଙ୍କର ମଜା ଉଡାଯାଇଥିଲା ଏବଂ ମହାରାଷ୍ଟ୍ରରେ ସରକାରଙ୍କୁ କାମ କରିବାକୁ ବାରଣ କରାଯାଉଛି, ଏହା ଗଣତନ୍ତ୍ରର ସମ୍ପୂର୍ଣ୍ଣ ବିରୋଧୀ। ସମ୍ପାଦକୀୟରେ ଲେଖାଯାଇଛି ଯେ ସୋନିଆ ଗାନ୍ଧୀ କଂଗ୍ରେସ ଓ ୟୁପିଏର ଅଧ୍ୟକ୍ଷା ଥିବାବେଳେ ଦୁଇଟି ଯାକ ଦାୟିତ୍ୱକୁ ଖୁବ ଭଲ ଭାବରେ ନିର୍ବାହ କରୁଛନ୍ତି । କିନ୍ତୁ ସୋନିଆଙ୍କୁ ସାହାଯ୍ୟ କରିବା ପାଇଁ ମୋତିଲାଲ ଭୋରା ଓ ଅହମ୍ମଦ ପଟେଲ ଥିବାବେଳେ, ବର୍ତ୍ତମାନ ସେମାନେ ନାହାନ୍ତି।

ତେବେ ରାହୁଲ ସରକାରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଥିଲେ ବି ଏହା ସଫଳ ହୋଇପାରୁନାହିଁ । ସୂଚନା ଥାଉ କି, ମହାରାଷ୍ଟ୍ରରେ ଶିବସେନା, ଏନସିପି ଏବଂ କଂଗ୍ରେସ ଏକତ୍ର ସରକାର ଗଠନ କରିଛନ୍ତି । ଏଥି ସହିତ ୟୁପିଏ ବର୍ତ୍ତମାନ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀଙ୍କ ହାତରେ ଅଛି । ଶିବସେନା ରାହୁଲଙ୍କୁ ପ୍ରଶ୍ନ କରିବାକୁ ନେଇ ମହାରାଷ୍ଟ୍ରର ମହାଅଗାଡି ସରକାର ଉପରେ ପ୍ରଭାବ ପକାଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।