ବର୍ଷା ଛେଚୁଛି, ନଦୀ ଫୁଲୁଛି । ଜାଣନ୍ତୁ କେଉଁ ନଦୀରେ କଣ ରହିଛି ସ୍ଥିତି?

341

କନକ ବ୍ୟୁରୋ : ପ୍ରବଳ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି । ଦେବୀ, କୁଶଭଦ୍ରା, ବ୍ରାହ୍ଣଣୀ, ବୈତରଣୀ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୂଲ୍ୟା ଓ ଜଳକା ନଦୀର ଜଳସ୍ତର ବଢୁଛି । ହେଲେ କେଉଁଠାରେ ବି ଜଳସ୍ତର ବିପଦ ସଙ୍କେତ ଟପିନାହିଁ । ମଥାନୀଟାରେ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ପାଖାପାଖି ପହଂଚିଛି । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ଇଆଇସି ଧୀରେନ କୁମାର ସାମଲ ।

ରାଜ୍ୟରେ ଏବେ ୮ଟି ବୃହତ୍ତ ଜଳଭଣ୍ଡାର ରହିଛି । ଯେଉଁଥିରୁ ମାତ୍ର ୨ଟି ଜଳଭଣ୍ଡାରରେ ଜଳସ୍ତର ୫୦ ପ୍ରତିଶତରୁ ଉପରେ ରହିଛି । ରେଙ୍ଗାଲିରେ ୮୩% ଓ ହୀରାକୁଦରେ ୭୮% ପ୍ରତିଶତ ଜଳ ରହିଛି । ଅନ୍ୟ ଜଳ ଭଣ୍ଡାରରେ ୫୦%ରୁ କମ ଜଳସ୍ତର ଅଛି ।ସେହିଭଳି ରାଜ୍ୟରେ ଥିବା ୪୪ଟି ମଧ୍ୟମ ଧରଣର ଜଳଭଣ୍ଡାରରୁ ୧୨ଟି ଜଳଭଣ୍ଡାରରେ ଗେଟ୍ ନାହିଁ । ତେଣୁ ଏହିସବୁ ଜଳଭଣ୍ଡାରରେ ଅଧିକ ପାଣି ହେଲେ ଏହା ଆପଣାଛାଏଁ ବହିଯାଏ । ସେହିଭଳି ୧୪ଟି ଜଳଭଣ୍ଡାରରେ ୫୦ ପ୍ରତିଶତରୁ ଅଧିକ ଜଳ ରହିଥିବା ବେଳେ ଏଥିରୁ ୬ରୁ ଅଧିକ ଜଳଭଣ୍ଡାରରୁ ୭୫ ପ୍ରତିଶତରୁ ଅଧିକ ଜଳସ୍ତର ରହିଛି । ଅନ୍ୟ ୩୦ଟି ଜଳଭଣ୍ଡାରରେ ୫୦ ପ୍ରତିଶତରୁ କମ ଜଳସ୍ତର ରହିଛି । କିନ୍ତୁ ଏଯାଏଁ କୌଣସି ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇନାହିଁ ବୋଲି କହିଛନ୍ତି ଧୀରେନ କୁମାର ସାମଲ ।

ଏହାଛଡା ଏଭଳି ବର୍ଷା ଚାଷ କାମରେ ବେଶ ସହାୟକ ହେବ । ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷକାର୍ଯ୍ୟ ପାଇଁ ଦେଖାଦେଇଥିବା ଜଳ ସମସ୍ୟା ସମାଧାନ କରିବ ଏହି ବର୍ଷା । ଚାଷଜମିକୁ ଜଳସେଚନ ପାଇଁ ପ୍ରେସର କମିବ । ସେହିଭଳି ଲଗାଣ ବର୍ଷାରେ ବିଭିନ୍ନ ନଦୀ ଫୁଲିଛି, କିନ୍ତୁ କୌଣସି ନଦୀରେ ବିପଦ ସଂକେତ ଉପରେ ଜଳସ୍ତର ପ୍ରଭାହିତ ହୋଇନାହିଁ । ନରାଜ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖାରେ ବିପଦସଂକେତ ତଳେ ଜଳସ୍ତର ରହିଥିବା ବେଳେ ଜଳକାରେ ବିପଦସଂକେତ ପାଖାପାଖି ଜଳସ୍ତର ରହିଛି । ବୁଢାବଳଙ୍ଗ, ବଂଶଧାରା ଓ ଋଷିକୁଲ୍ୟାରେ ବିପଦସଂକେତ ତଳେ ଅଛି ଜଳସ୍ତର । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କେନାଲକୁ ଜଳଯୋଗାଣ କମାଯାଇଛି । ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ଅଫିସର ସଜାଗ ରହିଛନ୍ତି । ଜଳସମ୍ପଦ ବିଭାଗ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଥିବା ବେଳେ ସମସ୍ତଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାବାଦ୍ ଚିହ୍ନଟ ହୋଇଥିବା ସମସ୍ତ ସମ୍ବେଦନଶୀଳ ସ୍ଥାନ ନଜରରେ ରଖାଯାଇଛି, ରାତ୍ରୀକାଳୀନ ପାଟ୍ରୋଲିଂ ଜାରି ରହିଥିବା କହିଛନ୍ତି ଜଳସମ୍ପଦ ବିଭାଗର ଇଆଇସି ଧୀରେନ କୁମାର ସାମଲ ।