ସଟଡାଉନ ହଟିବା ପରେ ଭୁବନେଶ୍ୱର, କଟକ ଓ ଭଦ୍ରକରେ ଖୋଲିଲା ପରିବା ମାର୍କେଟ: ଅତ୍ୟାବଶ୍ୟକ ସାମଗ୍ରୀ କିଣିବାବେଳେ ସାମାଜିକ ଦୂରତା ବଜାୟ ରଖିବାକୁ ଦୋକାନୀଙ୍କୁ ନିର୍ଦ୍ଦେଶ

ସେପଟେ କମିସନରେଟ୍ ପୋଲିସର ନିର୍ଦ୍ଦେଶ, ବଜାରକୁ ଗାଡି ନେଲେ ହେବ ସିଜ୍

270

କନକ ବ୍ୟୁରୋ: କଟକ, ଭୁବନେଶ୍ୱର ଓ ଭଦ୍ରକରେ ସଟଡାଉନ ହଟିବା ପରେ ଲକଡାଉନକୁ କଡାକଡି କରାଯାଇଛି । ତେବେ ଆଜି ସକାଳେ ଭୁବନେଶ୍ୱର ଓ କଟକର ଅନେକ ବଜାର ଖୋଲିଛି । ସଉଦା ଓ ପନିପରିବା କିଣାକିଣି ସମୟରେ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି । କିଣାକିଣି ସମୟରେ ଦୋକାନୀ ଯଦି ସାମାଜିକ ଦୂରତା ରଖିବା ନେଇ ବ୍ୟବସ୍ଥା ନକରିବେ ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି । ଦୋକନୀକୁ ସଚେତନ ଓ ଦାୟିତ୍ୱବାନ ହେବାକୁ କୁହାଯାଇଛି । ବଜାରକୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯିବା ବେଳେ ଗାଡି ନ ଆଣିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ଗାଡି ଆଣିବେ, ସେମାନଙ୍କ ଗାଡ଼ି ଜବତ କରାଯିବ । ଏପରିକି ପାସ୍ ଥାଉ କିମ୍ବା ନଥାଉ, ବଜାରରେ ଗାଡ଼ି ଦେଖିବେ ତାକୁ ସିଜ୍ କରାଯିବ ବୋଲି କହିଛି କମିସନରେଟ୍ ପୋଲିସ ।

କଟକ ଜିଲ୍ଲାର ଦୁଇଟି ଗାଁକୁ ସିଲ୍ କରିଛି ପ୍ରଶାସନ । ନିଶ୍ଚିତକୋଇଲି ତହସିଲର ଜୟୀରାମପୁର ଗାଁ ଓ ସାଲେପୁର ତହସିଲର କାନପୁର ଗାଁକୁ ଅବରୋଧ ଅଂଚଳ ଘୋଷଣା କରାଯାଇଛି । ଏ ନେଇ କଟକ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ଅଂଚଳର ପ୍ରବେଶ ଓ ପ୍ରସ୍ଥାନ ପଥକୁ ବନ୍ଦ କରି ଦିଆଯାଇଛି । ସୂଚନା ଅନୁସାରେ ଗତ ମାର୍ଚ୍ଚ ୨୧ ତାରିଖରେ ଦୁଇ ଗାଁକୁ ବୁଲି ଆସିଥିଲେ ଯାଜପୁରର କରୋନା ଆକ୍ରାନ୍ତ । ଏହି ଘଟଣା ଜଣାପଡିବା ପରେ ତତ୍ପର ହୋଇ ଉଠିଛି ଜିଲ୍ଲା ପ୍ରଶାସନ ।

ଭୁବନେଶ୍ୱର ସୁନ୍ଦରପଦା ଅଂଚଳ ସିଲ୍ କଲା ବିଏମସି । କପିଳପ୍ରସାଦ ଅଂଚଳରୁ ଜଣେ କୋରନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂପୃକ୍ତ ଅଂଚଳକୁ ସିଲ୍ କରାଯାଇଛି । ଏହି ଅଂଚଳରୁ କେହି ବାହାରକୁ ଯିବେ ନାହିଁ ଏବଂ କେହି ଏହି ଅଂଚଳ ଭିତରକୁ ପଶିପାରିବେ ନାହିଁ ବୋଲି ପ୍ରଶାସନ ନିର୍ଦ୍ଦେଶ ଦେଇଛି । ସୁନ୍ଦରପଦା ମ୍ୟୁନିସିପାଲଟି ହସପିଟାଲ ଛକରୁ କାଳୁଆଶୁଣି ମନ୍ଦିର, ସୁନ୍ଦରପଦା ମ୍ୟୁନିସିପାଲଟି ହସପିଟାଲ ଛକରୁ ସରକନ୍ତରା ନ୍ୟୁ କଲଭର୍ଟ, କାଳୁଆଶୁଣି ମନ୍ଦିରଠାରୁ ଟାଟା ପ୍ରୋଜେକ୍ଟ ଏସଇଟିପି ଏବଂ ଟାଟା ପ୍ରୋଜେକ୍ଟଠାରୁ ସରକନ୍ତରା ନ୍ୟୁ କଲଭର୍ଟ ଯାଏ ଅଂଚଳକୁ ସିଲ କରାଯାଇଛି । ସଂପୃକ୍ତ ଅଂଚଳକୁ କଂଟେନମେଂଟ୍ ଜୋନ୍ ଅର୍ଥାତ୍ ଅବରୋଧ ଅଂଚଳ ଭାବେ ଘୋଷଣା କରାଯାଇଛି ।

Comments are closed.