ଆଠଗଡ଼ କଂଟିଆ ନଇରେ ବଢି ପାଣି : ୨ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ସାପୁଆ ନଦୀରେ ଘାଇ ଯୋଗୁଁ ପାଣି ଘେରରେ ଏକାଧିକ ଗାଁ; ସେପଟେ ଲଗାଣ ବର୍ଷାରେ ବୁଡ଼ିଲା କଣାସ ଅଂଚଳର ୬ଟି ଗାଁ, ଓଇଖିଆ ନଦୀରେ ୫୦ ଫୁଟର ଘାଇ 

100

କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ ଆଠଗଡ଼ର ବିଭିନ୍ନ ଅଂଚଳରେ ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ଆଠଗଡ଼ ବ୍ଲକ ଗୋପୀନାଥପୁର ଠାରେ କଂଟିଆ ନଇରେ ବଢି ପାଣି ଆସିବାରୁ ୨ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇପଡ଼ିଛି । ବାଇଲୋ, ନୂଆଗାଁ ଶବରସାହି ରାସ୍ତା ଉପରେ ୪ଫୁଟ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେଉଛି । ତରଡ଼ିଙ୍ଗ ଯୋରନ୍ଦାକୁ ସଂଯୋଗ କରୁଥିବା ସାତପାଗଡ଼ା ଉପରେ ୪ଫୁଟର ବନ୍ୟାଜଳ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଗାଁରେ ଥିବା ଲୋକଙ୍କ ଘରେ ପାଣି ପଶିଛି । ଲୋକେ ଛାତ ଉପରେ ଏବଂ ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଛନ୍ତି । ସେହିପରି ପୁରୁଣା କଟକ ସମ୍ବଲପୁର ରାସ୍ତାର ଦହିସରା ମାଧପୁର ଠାରେ ବନ୍ୟା ଜଳ ପ୍ରବାହିତ ହେଉଛି । ବନ୍ୟାପାଣି ବଢୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସେହିପରି ଆଠଗଡ଼ ବ୍ଲକ ଇଛାପୁର ଗାଁ ନିକଟ ସାପୁଆ ନଦୀରେ ଘାଇ ହେବା ଫଳରେ ଉଛାପୁର ଗାଁ ସମେତ ମାଟିକୋଟ, ଗୁଡ଼ୁପଡ଼ା ଗାଁ ଭିତରେ ପାଣି ପଶିଛି । ଯଦି ଏଭଳି ବର୍ଷା ଲାଗି ରୁହେ ପରିସ୍ଥିତି ଆହୁରି ସଙ୍ଗୀନ ହେବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।