ବାତ୍ୟା ଚାଲିଗଲା, ଦୁଃଖ ଦେଇଗଲା । ଭାଙ୍ଗି ଯାଇଛି ଘର, ଓଦା ହୋଇଯାଇଛି ଖାଦ୍ୟ ସାମଗ୍ରୀ, ଖଣ୍ଡିଆ ଘରୁ ଖାଦ୍ୟ ସାଉଁଟୁଛନ୍ତି ଲୋକେ ।

81

କନକ ବ୍ୟୁରୋ : ଚାଲିଯାଇଛି ବାତ୍ୟା ଛାଡିଯାଇଛି ଦୁର୍ଦ୍ଦଶା । ଆଦିବାସୀ ଅଞ୍ଚଳରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳୁଛି । ନାଁ ମୁଣ୍ଡ ଗୁଞ୍ଜିବାକୁ ଛପର ଅଛି, ନା ଖାଇବାକୁ ଦାନା । ମାଲକାନଗିରି ଜିଲ୍ଲା ଖଇରପୁଟ ଅଞ୍ଚଳରେ ବାତ୍ୟା ଗୁଲାବ ଗରିବଙ୍କ ଦୁଃଖ ବଢାଇ ଦେଇଛି । ଅସହାୟ ପଣରେ ବାନ୍ଧି ହୋଇପଡିଛନ୍ତି କ୍ଷତିଗ୍ରସ୍ତ ପରିବାର । ଖାଲି ପଲିଥିନ ଖଣ୍ଡେ ଦେଇ ନିଜ କାମ ସାରିଦେଇଛି ପ୍ରଶାସନ । ବାତ୍ୟା ଗୁଲାବ ପରର ବିକଳ ଚିତ୍ର ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଛି ।

ବାତ୍ୟା ପରର ବିକଳ ଚିତ୍ର । ଦୁର୍ଦ୍ଦଶା ବଢାଇଛି ଗୁଲାବ । ଗରିବଙ୍କ ଉପରେ ବାତ୍ୟା ଗୁଲାବର ମାଡ । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକରେ ବାତ୍ୟା ପ୍ରଭାବରେ ଭାଙ୍ଗି ଯାଇଛି ଘର, ଖାଇବାକୁ ନାହିଁ ଦାନା । ଘରର ଆସବାବପତ୍ର ମାଟିରେ ମିଶିଯାଇଛି । ମାଟି ମିଶା ଚାଉଳକୁ ବାଛୁଛନ୍ତି ଆଦିବାସୀ ମହିଳା । ସେପଟେ ପୋଡାଘାଟା ଗାଁର ସନା ମାଝିଙ୍କ ଭଙ୍ଗା ଘର । ଗୁଲାବ ଯିବା ପରେ ୨ ପିଲାଙ୍କୁ ନେଇ କେଉଁଠି ରହିବେ ତାକୁ ନେଇ ଚିନ୍ତା ସନା ।

ପୋଡାଘାଟା ପଞ୍ଚାୟତରେ କ୍ଷତିଗ୍ରସ୍ତ ହୋଇଛନ୍ତି ଆଦିବାସୀ ପରିବାର । ସନା ମାଝିଙ୍କ ଭଳି ଅନେକ ପରିବାର ଏମିତି ଦୁର୍ଦ୍ଦଶା ଭୋଗୁଛନ୍ତି । ସରକାରୀ ରିପୋର୍ଟ ଅନୁସାରେ ୧୨ଟି ପରିବାର ପ୍ରଭାବିତ ହୋଇଛନ୍ତି । ଘର ଉପରେ ଗଛ ପଡି ଭାଙ୍ଗିଯାଇଛି । ଏଭଳି ସ୍ଥିତିରେ ବିପନ୍ନଙ୍କୁ ଖଣ୍ଡିଏ ପଲିଥିନ ଯୋଗାଇ କାମ ସାରି ଦେଇଛି ପ୍ରଶାସନ । ଖଇରପୁଟ ବ୍ଲକରେ ବାତ୍ୟା ଗୁଲାବର ଅଧିକ ପ୍ରଭାବ ରହିଥିଲା । ବର୍ଷାର ପରିମାଣ କମ ରହିଥିଲେ ମଧ୍ୟ ପବନର ବେଗ ଅଧିକ ଥିବାରୁ ଲୋକଙ୍କ ଘର ଉପରେ ଗଛ ପଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।