କନକ ବ୍ୟୁରୋ: କୋଭିଡ୍ ସମୟରେ ଓଡ଼ିଶାରେ ଚିକିତ୍ସା ବ୍ୟବସ୍ଥା ସଂପୂର୍ଣ୍ଣ ଭୂଷୁଡ଼ି ଯାଇଛି ବୋଲି ଲୋକସଭାରେ ଅଭିଯୋଗ କରିଛନ୍ତି ବିଜେପି ସାଂସଦ ସୁରୋଶ ପୂଜାରୀ । ଲୋକସଭାରେ ସୁରେଶ ପୂଜାରୀ କହିଛନ୍ତି-ଓଡ଼ିଶାର ସ୍ୱାସ୍ଥ୍ୟ ଠିକ୍ ନାହିଁ । ଓଡ଼ିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଗିଡ଼ି ଯାଇଛି । ରୋଗୀ କୋଭିଡ୍ ହସ୍ପିଟାଲରେ କେମିତି ଅଛନ୍ତି ତାଙ୍କ ସମ୍ପର୍କୀୟ ଜାଣି ବି ପାରୁନାହାଁନ୍ତି । ଓଡ଼ିଶାରେ ଚିକିତ୍ସା ଅଭାବରୁ ଲୋକ ମୃତ୍ୟୁ ବରଣ କରୁଛନ୍ତି । ଓଡ଼ିଶାର ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନିଜେ ସମ୍ଭାଳନ୍ତୁ ବୋଲି ସୁରୋଶ ପୂଜାରୀ କହିଛନ୍ତି ।

Advertisment

ସୁରେଶ ପୂଜାରୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ମୁଖପାତ୍ର ଲେଲିନ୍ ମହାନ୍ତି କହିଛନ୍ତି- ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ଓଡ଼ିଶାରେ ସବୁଠୁ କମ୍ ମୃତ୍ୟୁ ହାର ରହିଛି । ଓଡ଼ିଶାରେ ଉତମ ଚିକିତ୍ସା ଯୋଗୁଁ କୋଭିଡ୍ ପରିଚାଳନା ପାଇଁ ଓଡ଼ିଶାକୁ ରୋଲ୍ ମଡେଲ ବୋଲି କୁହାଯାଉଛି । ସୁରେଶ ପୂଜାରୀ ଓଡ଼ିଶାରେ ବେଶି ରହୁ ନଥିବାରୁ ଜାଣିପାରୁ ନାହିଁନ୍ତି ବୋଲି ଲେଲିନ୍ ମହାନ୍ତି କହିଛନ୍ତି । କୋଭିଡ୍ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ସୁରେଶ ପୂଜାରୀ ରାଜନୀତି କରନ୍ତୁ ନାହିଁ ବୋଲି ବିଜେଡି କହିଛି ।