କନକ ବ୍ୟୁରୋ: ସମୁଦ୍ର ଭିତରେ ସକ୍ରିୟ ରହି ବଳ ଗୋଟାଉଛି ସାମୁଦ୍ରିକ ଝଡ ସିତ୍ରାଙ୍ଗ । ଆଗାମୀ ୬ ଘଣ୍ଟା ଭିତରେ ସିତ୍ରାଙ୍ଗ ଭୀଷଣ ବାତ୍ୟାର ରୂପ ନେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଭୀଷଣ ସାମୁଦ୍ରିକ ଝଡର ରୂପ ନେଇ ଓଡିଶା ଉପକୂଳ ଦେଇ ସମୁଦ୍ର ଭିତରେ ବାଂଲାଦେଶ ମୁହାଁ ହେବ ବୋଲି ସୂଚନା ରହିଛି । ଏବେ କେନ୍ଦ୍ରୀୟ ବଙ୍ଗୋପସାଗରରୁ ସିତ୍ରାଙ୍ଗ ଉତ୍ତର ଉତ୍ତର-ପୂର୍ବ ଦିଗରେ ଗତି କରୁଛି ।
ସାଗର ଦ୍ୱୀପପୁଞ୍ଜରୁ ଦକ୍ଷିଣ-ପୂର୍ବ ଦିଗରେ ବାତ୍ୟା ସିତ୍ରାଙ୍ଗ ୨୨୦ କିଲୋମିଟର ଦୂରେ ରହିଛି । ସେହିପରି ବାଂଲାଦେଶର ବାରିସାଲ ଉପକୂଳଠାରୁ ୩୨୦ କିଲୋମିଟର ଦୂରେ ଅଛି ସାମୁଦ୍ରିକ ଝଡ । ବାତ୍ୟା ସିତ୍ରାଙ୍ଗ କେନ୍ଦ୍ରୀୟ ବଙ୍ଗୋପସାଗରରୁ ଉତ୍ତର-ପୂର୍ବ ଦିଗରେ ଗତି କରି ସମୁଦ୍ର ଭିତରେ ଆହୁରି ଘନୀଭୂତ ହୋଇ ଭୀଷଣ ସାମୁଦ୍ରିକ ଝଡର ରୂପ ଧାରଣ କରିବ । ଏବେ ବାତ୍ୟା ପ୍ରଭାବରେ ସମୁଦ୍ର ଭିତରେ ପବନର ବେଗ ଘଣ୍ଟା ପ୍ରତି ୮୦ରୁ ୯୦ କିଲୋମିଟର ରହିଥିବା ବେଳେ ଶହେ କିଲୋମିଟର ବେଗରେ ଝଟକା ଦେଉଛି ।
ଯେତେବେଳେ ସିତ୍ରାଙ୍ଗ ଭୀଷଣ ସାମୁଦ୍ରିକ ଝଡର ରୂପ ନେବ ସେହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ଶହେରୁ କିଲୋମିଟର ବେଗର ବହିବ ଏବଂ ରହି ରହି ୧୧୦ କିଲୋମିଟର ବେଗରେ ଝଟକା ଦେବ । ଭୀଷଣ ବାତ୍ୟାର ରୂପ ନେବା ପରେ ସମୁଦ୍ର ଭିତରେ ବଳ ଗୋଟାଇ ଅକ୍ଟୋବର ୨୫ ତାରିଖରେ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି । ବାଂଲାଦେଶର ତିନକୋନା ଦ୍ୱୀପପୁଞ୍ଜ ଓ ସାନଦ୍ୱୀପ ମଧ୍ୟରେ ବାତ୍ୟା ସିତ୍ରାଙ୍ଗ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ସେହି ସମୟରେ ବାଂଲାଦେଶ ଉପକୂଳରେ ମାଡ ହେବ ୨.୪ ମିଟର ଉଚ୍ଚର ଜୁଆର । ସେହିପରି ବାତ୍ୟାର ଲ୍ୟାଣ୍ଡଫଲ ସମୟରେ ପଶ୍ଚିମବଙ୍ଗର ୨୪ ପ୍ରଗଣା ଉପକୂଳରେ ୧ ମିଟର ଉଚ୍ଚର ଜୁଆର ଉଠିବ ବୋଲି ଆକଳନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/10/14-14.jpg)