ସଂସଦରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ରାଫେଲ ଜବାବ । କହିଲେ ଯାହାକୁ ୧୦ ବର୍ଷ ଧରି ଝୁଲାଇ ରଖିଥିଲା ୟୁପିଏ ସରକାର, ତାକୁ ମାତ୍ର ୧୪ ମାସରେ ପୂରଣ କରି ଦେଖାଇଲା ଏନଡିଏ

ଚଳିତ ବର୍ଷ ଆସିବ ପ୍ରଥମ ଲଢ଼ୁଆ ବିମାନ

260

କନକ ବ୍ୟୁରୋ: ରାଫେଲ ଲଢୁଆ ବିମାନ ଡିଲକୁ ନେଇ ସରଗରମ ପାର୍ଲାମେଂଟ୍ । ଲୋକସଭାରେ ଆଜି ବିବୃତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ । ଗୃହରେ ମନ୍ତ୍ରୀ କହିଛନ୍ତି, ଯେଉଁ ଚୁକ୍ତିକୁ କଂଗ୍ରେସ ସରକାର ୧୦ବର୍ଷ ଧରି ଝୁଲାଇ ରଖିଥିଲା ସେହି ଚୁକ୍ତିକୁ ମାତ୍ର ୧୪ ମାସରେ ପୂରଣ କରିଛି ମୋଦି ସରକାର । ଏବର୍ଷ ରାଫେଲର ପ୍ରଥମ ବିମାନ ଦେଶରେ ପହଁଚିବ । ହାଲକୁ ଡିଲ୍ ଦେବା ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା କଂଗ୍ରେସ, ତା ଅମଳରେ ହାଲକୁ କେତେ କଂଟ୍ରାକ୍ଟ ଦେଇଥିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

ରାଫେଲ ଡିଲ ନେଇ ସଂସଦରେ ବିବୃତି ରଖି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଯେଉଁ ଚୁକ୍ତିକୁ କଂଗ୍ରେସ ସରକାର ୧୦ବର୍ଷ ଝୁଲାଇ ରଖିଥିଲା ସେହି ଚୁକ୍ତିକୁ ମାତ୍ର ୧୪ ମାସ ଭିତରେ ପୂରଣ କରିଛି ମୋଦି ସରକାର । ୨୦୧୯ ସୁଧା ରାଫେଲ ବିମାନ ଭାରତକୁ ଆସିବ । ଏବଂ ଆସନ୍ତା ୨୦୨୨ ସୁଧା ଦେଶରେ ପହଁଚିବ ଚୁକ୍ତି ହୋଇଥିବା ସମସ୍ତ ଲଢୁଆ ବିମାନ ।

ତେବେ ଲୋକସଭାରେ ମନ୍ତ୍ରୀ ବିବୃତି ରଖିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବାରମ୍ବାର ପ୍ରଶ୍ନ କରିଥିଲେ , ବିମାନର ମୂଲ୍ୟ ୫୨୬ରୁ ୧୬୦୦କୋଟି କଲା କିଏ? ଦେଶକୁ ଦରକାର ଥିଲା ୧୨୬ବିମାନ , ୩୬ ବିମାନ ହେଲା କେମିତି? ହାଲକୁ ନଦେଇ ଅନୀଲ ଅମ୍ବାନୀଙ୍କୁ କଂଟ୍ରାକ୍ଟ ଦେଲା କିଏ? ସୀତାରମଣ ପାଲଟା ପ୍ରଶ୍ନ କରିଥିଲେ, ସରକାରରେ ଥିବା ବେଳେ ହାଲକୁ କେତେ ଟଙ୍କାର କଂଟ୍ରାକ୍ଟ ଦେଇଥିଲା ୟୁପିଏ ।

ସଂସଦରେ ରାଫେଲ ଆଲୋଚନା ବେଳେ ରାହୁଲ, ମୋଦି ସରକାରକୁ ଘେରୁଥିବା ବେଳେ, ପ୍ରତିରକ୍ଷା ମନ୍ତ୍ରୀ ୟୁପିଏ ସରକାର ସମେତ ରବର୍ଟ ଭଦ୍ରାଙ୍କୁ ବି ଭିତରକୁ ଟାଣିଥିଲେ । ଫଳରେ ସରଗରମ ହୋଇଥିଲା ରାଫେଲ ଆଲୋଚନା ।