ଗୋଟିଏ ମିନିଟ୍ ପାଇଁ ଖୋଲୁଛି, ତାପରେ ବନ୍ଦ ହୋଇଯାଉଛି । କଟକ ଆରଟିଓରେ ଏମିତି ହେଉଛି ସ୍ଲଟ ବୁକିଂ ।

149

କନକ ବ୍ୟୁରୋ : କରୋନା ସଂକ୍ରମଣରେ ଲକଡାଉନ୍‌ ଓ ସଟଡାଉନ୍‌ ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଡ୍ରାଇଭିଂ ଲାଇସେନ୍ସ (ଡିଏଲ)ର ଅବଧିକୁ ଫେବ୍ରୁଆରୀ ୨୦୨୦ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ। ଆସନ୍ତା ନଭେମ୍ବର ୧ ତାରିଖରେ ଏହି ଅବଧି ଶେଷ ହେଉଥିବା ବେଳେ କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ)ରେ ୬ହଜାରରୁ ଅଧିକ ଲୋକ ଡ୍ରାଇଭିଂ ଲାଇସେନ୍ସ ପାଇଁ ସ୍ଲଟ୍‌ ନପାଇ ଅପେକ୍ଷାରେ ଅଛନ୍ତି। ବିଭାଗ ପକ୍ଷରୁ ପ୍ରତିଦିନ ଶହେରୁ ଦେଢ ଶହ ସ୍ଲଟ୍‌ ଦିଆଯାଉଥିବା କୁହାଯାଇଛି। ମାତ୍ର ବାସ୍ତବରେ ଦିନକୁ ୨୦ରୁ ୩୦ ଲୋକ ଗୋଟିଏ ମିନିଟ୍‌ ଭିତରେ ସ୍ଲଟ୍‌ ବୁକିଂ କରିବାର ସୁଯୋଗ ପାଉଛନ୍ତି। ଏଭଳି କ୍ଷେତ୍ରରେ ଅନେକ ଲୋକ ସ୍ଲଟ୍‌ ବୁକିଂ ପାଇଁ ମାସ ମାସ ଧରି ଅପେକ୍ଷାରେ ଥିଲେ ବି ଅଧିକ ସମୟ ସ୍ଲଟ୍‌ ବୁକିଂ ସାଇଟ୍‌ ଖୋଲୁ ନଥିବାରୁ ଡିଏଲ୍ ପାଇବାରେ ସେମାନଙ୍କ ପାଇଁ ସମସ୍ୟା ହେଉଛି। ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଡ୍ରାଇଭିଂ ଲାଇସେନ୍ସ ଅବଧିକୁ ଦୀର୍ଘ ୨୦ ମାସ ଧରି ଘୁଞ୍ଚାଇ ଚାଲିଛନ୍ତି। ଗତବର୍ଷ ଫେବୁଆରି ମାସରୁ ଗାଡି ଫିଟନେସ୍‌, ପରମିଟ୍‌, ରେଜି‌ଷ୍ଟ୍ରେସନ ସାର୍ଟିଫିକେଟରୁ ଆରମ୍ଭ କରି ଲର୍ଣ୍ଣିଂ ଲାଇସେନ୍ସର ଅବଧି ବଢିଛି। ତେବେ ଲର୍ଣ୍ଣିଂ ଲାଇସେନ୍ସଧାରୀଙ୍କ ପାଇଁ ସ୍ଳଟ୍‌ ବୁକିଂ କରିବା ଏକ ମୁଖ୍ୟ ସମସ୍ୟା ହେଉଛି।

ବିଭାଗ ପକ୍ଷରୁ ସ୍ଲଟ୍ ବୁକିଂ କରିବାକୁ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଇଟ୍‌ ଖୋଲିବାର ନିୟମ ରହିଛି। ହେଲେ ସ୍ଲଟ୍‌ ବୁକିଂ ପାଇଁ ମାତ୍ର ଗୋଟିଏ ମିନିଟ ପାଇଁ ସାଇଟ୍‌ ଖୋଲୁଛି। ଗୋଟିଏ ମିନିଟରେ ୨୦ରୁ ୩୦ଜଣ ବୁକିଂ କରିବା ପରେ ସାଇଟ୍‌ ବନ୍ଦ ହୋଇଯାଉଛି। ଏଭଳି ସ୍ଥିତିରେ ଲୋକେ ସ୍ଲଟ୍ ବୁକିଂ କରି ପାରୁ ନଥିବାରୁ ଡ୍ରାଇଭିଂ ଲାଇସେନ୍ସ ପାଇ ପାରୁ ନାହାନ୍ତି। ଅନ୍ୟପଟେ ବିଭାଗ ପକ୍ଷରୁ ଦିନେ ଛାଡ଼ି ଦିନେ ସ୍ଲଟ୍‌ ବୁକିଂ ସାଇଟ୍‌ ଖୋଲୁଥିବାରୁ ଏହି ସମସ୍ୟା ଅଧିକ ଗୁରୁତର ହେଉଛି। କଟକ ଆରଟିଓରେ ଏବେ ୬ ହଜାର ୫୧୬ଜଣ ଲର୍ଣ୍ଣିଂ ଲାଇସେନଧାରୀ ଅଛନ୍ତି। ସେମାନେ ସ୍ଲଟ୍‌ ବୁକିଂ କରିପାରୁ ନଥିବାରୁ ଆରଟିଓରେ କମ୍ପ୍ୟୁଟରରେ ଟେଷ୍ଟ ଦେବାକୁ ସୁ‌ଯୋଗ ପାଉ ନାହାନ୍ତି। ଏଥିରେ ସେମାନଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିବାରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି। ବିଭାଗ ପକ୍ଷରୁ ସ୍ଲଟ୍‌ ବୁକିଂ ସାଇଟକୁ ଅଧିକ ସମୟ ଖୋଲା ରଖିବା ସହିତ ପ୍ରତିଦିନ ଯେପରି ଶହେରୁ ଅଧିକ ସ୍ଲଟ୍‌ ବୁକିଂ ହୋଇପାରିବ ଏହାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି। ଅବଧି ଶେଷ ହେବାର ତାରିଖ ଯେତେ ପାଖେଇ ଆସୁଛି ଲୋକେ ସେତିକି ଅଧିକ ମାତ୍ରାରେ ସ୍ଲଟ୍‌ ବୁକିଂ କରୁଛନ୍ତି। ଏକ ସମୟରେ ଅନେକ ‌ଲୋକ ସ୍ଲଟ୍‌ ବୁକିଂ କରୁଥିବାରୁ ସାଇଟ୍‌ରେ ବୈଷୟିକ ସମସ୍ୟା ଦେଖାଯାଉଛି। ଏଥିପାଇଁ ଅଳ୍ପ ସମୟରେ ସାଇଟ୍‌ ବନ୍ଦ ହୋଇଯାଉଛି ବୋଲି ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀ ତାନା ମୁର୍ମୁ କହିଛନ୍ତି।