କନକ ବ୍ୟୁରୋ: କପ୍ ପ୍ଲେଟ୍ ଦୋକାନରେ କବିତା ଆସର । ୧ ନଂ ହାଟର କବି ସୀତାରାମ ପଣ୍ଡା । ସିଏ କାଚ ମାନଙ୍କ ସହ କଥା ହୁଅନ୍ତି, କାଚମାନଙ୍କ ସହ ସୁଖ ଦୁଃଖ ବାଣ୍ଟନ୍ତି ଆଉ ସମୟ ମିଳିଲେ ଏଇ କାଚ ମାନଙ୍କୁ ବି କବିତା ଶୁଣାନ୍ତି । କାଚ ପ୍ଲାଷ୍ଟିକର ଏ ଦୋକାନ ସିନା ଛୋଟ ହେଲେ ଏ ଦୋକାନୀଙ୍କ ହୃହୟ କିନ୍ତୁ ବିଶାଳ ।

Advertisment

ସୀତାରାମ ପଣ୍ଡା
ଭୁବନେଶ୍ୱର ୧ ନଂ ହାଟର ବେପାରୀ
ଘର- ଯାଜପୁର, ଦଶରଥପୁର ଅଞ୍ଚଳରେ
ବୟସ- ୬୫ ପାଖାପାଖି ହେବ

ଗୁଜୁରାଣ ମେଣ୍ଟାଇବାକୁ ସୀତାରାମ ସିନା ଏଇ କାଚ, ପ୍ଲାଷ୍ଟିକ ଓ ଚିନାମାଟିର ଦୋକାନ କରିଛନ୍ତି କିନ୍ତୁ ମନକୁ ତାଙ୍କର ସବୁବେଳେ କବିତା ହିଁ ଛୁଉଁଥାଏ । ଗୋଟେପଟେ ସେ କପପ୍ଲେଟ୍ ବିକନ୍ତି , ଅନ୍ୟପଟେ ସେ କବିତା ଲେଖନ୍ତି । ଏକ ନଂ ହାଟରେ ଏତେ ସାରା ଦୋକାନ ଥାଇ ବି ଲୋକେ ତାଙ୍କ ଦୋକାନକୁ ଆସିବାକୁ ଭଲ ପାଆନ୍ତି । କାରଣ ଗ୍ରାହକ ଜିନିଷ କିଣନ୍ତୁ ବା ନ କିଣନ୍ତୁ- ସୀତାରାମଙ୍କ ଠାରୁ କବିତା ଶୁଣି ଯିବାଟା ନିଶ୍ଚିତ । ଆଉ ଲୋକଙ୍କ କବିତା ଶୁଣାଇ ଭାରି ଖୁସି ହୁଅନ୍ତି ସୀତାରାମ । ତେଣୁ ତ ସେ କୁହନ୍ତି “ମନ ପାଇଁ ବନ୍ଧୁ କବି ମୁଁ ସାଜିଛି, ପେଟ ପାଇଁ ହାଟେ ବେପାରୀ... ଭବ ସାଗରରେ ନାଆ ମୁଁ ମେଲିଛି, ବନିଛି ମୁଁ ପକ୍କା ନାଉରୀ”

ଯନ୍ତ୍ରଣାର ଜୁଇରେ ଜୀବନକୁ ଜାଳି, ନିଜ ଶବ ଉପରେ କବିତା ଲେଖିପାରୁଥିବା ମଣିଷଟେ ବୋଧେ କବି । ସୀତାରାମ ବି ଠିକ୍ ସେମିତି । ୨୨ ବର୍ଷରେ ତାଙ୍କ ବାପା ଚାଲିଗଲେ ଆଉ ୫୨ ବର୍ଷରେ ବଡ ପୁଅ । ଛାତିରେ ଅନେକ କଷ୍ଟ, ଦେହ ଭିତରେ ଦୁଃଖର ଦିବଖରା ଘର, ତଥାପି ୧ ନଂ ହାଟଟାରେ ହୃଦୟ ଖୋଲା ହସ ହସି ସେ ଗାଉଥାନ୍ତି କବିତା, ବିକୁଥାନ୍ତି କାଚର ସାମଗ୍ରୀ । ଭଙ୍ଗାକାଚ ଭିତରେ ନିଜ ଭଙ୍ଗା ଭାଗ୍ୟକୁ ବି ସେ କେବେ କେବେ ଫେଭିକୁଇକ୍ ମାରି ଯୋଡୁଥାନ୍ତି । ସୀତାରାମ ଜାଣନ୍ତି- କାଚ ସିନା ଭାଙ୍ଗି ଯିବ ହେଲେ କବିତା ଭାଙ୍ଗିବନି...

କବିତା ନିରବତାରେ ଆସେନି... କବିତା ସ୍ଥାନ କାଳ ପାତ୍ର ଦେଖି ଛୁଏଁନି... କବିତା ଭାବଭଙ୍ଗୀ, ବେଶପୋଷାକ ଦେଖି ବସେନି... କବିତା ଖାଲି ବିଳାସୀ ମଣିଷର ଶବ୍ଦ ନୁହେଁ- ଏହା ଗରିବର, ବେପାରୀର, ସାଧାରଣ ଲୋକର... ତେଣୁତ ଏ ଘୋ ଘା ଭିଡ ଓ ହାଟର ହାଉଯାଉ ମଣିଷ ଭିତରେ କବିତା କେବଳ ଶିକ୍ଷକତାରୁ ବ୍ୟବସାୟୀ ବନିଥିବା ଏ ସୀତାରାମଙ୍କୁ ଛୁଉଁଛି ।