ଶୀତଳଷଷ୍ଠୀ ପାଇଁ ଉତ୍ସବମୁଖର ସମ୍ବଲପୁର । ମହାଦେବ ଓ ପାର୍ବତୀଙ୍କ ବିବାହ ପାଇଁ ଦେବ ନିମନ୍ତ୍ରଣ ଶେଷ । ଆଜି ପତରପେଣ୍ଡି ଉତ୍ସବ ।

100

କନକ ବ୍ୟୁରୋ: ସମ୍ବଲପୁରରେ ଶୀତଳ ଷଷ୍ଠୀର ଦ୍ୱିତୀୟ ଦିନରେ ଦେବ ନିମନ୍ତ୍ରଣ ସମ୍ପନ୍ନ ହୋଇଛି । ମହାଦେବ ଓ ଜଗତଜନନୀଙ୍କ ବିବାହରେ ସାମିଲ ହେବାପାଇଁ ନୃସିଂହ ଠାକୁର ନିମନ୍ତ୍ରଣ କରିଛନ୍ତି ୩୩ କୋଟି ଦେବା ଦେବୀଙ୍କୁ । ବାବା ବାଲୁଙ୍କେଶ୍ୱରଙ୍କ ତରଫରୁ ଭଗବାନ ନୃସିଂହ, ସହରରେ ଥିବା ସମସ୍ତ ଦେବାଦେବୀ ମନ୍ଦିର ବୁଲି ଗୁଆ, ମିଠେଇ, ହଳଦୀ ଓ ନିମନ୍ତ୍ରଣ ପତ୍ର ବା ନିଉତା ପ୍ରଦାନ କରିଥିଲେ । ବାଲୁଙ୍କେଶ୍ୱର ବାବାଙ୍କ ବରଯାତ୍ରୀରେ ସାମିଲ ହେବା ଠାରୁ ଆରମ୍ଭ କରି ନଗର ପରିକ୍ରମା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ନବବିବାହିତ ଦେବଦମ୍ପତ୍ତିଙ୍କୁ ଆଶୀର୍ବାଦ କରିବା ପାଇଁ ସବୁ ଦେବାଦେବୀଙ୍କୁ ସାଦର ନିମନ୍ତ୍ରଣ କରିଥିଲେ ଭଗବାନ ନୃସିଂହ ।

ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ ରଥରେ ବସି ଭଗବାନ ନୃସିଂହ, ସହର ମଧ୍ୟରେ ଥିବା ସମସ୍ତ ମନ୍ଦିରର ପୂଜକଙ୍କୁ ଗୁଆ, ହଳଦୀ ମିଠେଇ ଦେଇ ବନ୍ଧୁ ନିମନ୍ତ୍ରଣ କରିଥିଲେ । ରାତି ୯ଟା ସମୟରେ ପ୍ରଭୁ ନୃସିଂହ ଠାକୁରଙ୍କୁ ବାଡ଼ଗ୍ରାହୀ ମାନେ ସୁସଜ୍ଜିତ କରି ରଥା ରୂଢ କରିଥିଲେ । ଏହାପରେ ନୃସିଂହ ଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଇ ମହା ଆଳତୀ କରାଯାଇଥିଲା । ଆଜି ଝାଡୁଆପଡା, ମୋଡ଼ିପଡ଼ା, ବଡ଼ବଜ଼ାର ଏବଂ ଅନ୍ୟ ପୂଜା କମିଟି ମାନଙ୍କର ପତରପେଣ୍ଡି ଉତ୍ସବ ଅନୁଷ୍ଠିତ ହେବ ।