କନକ ବ୍ୟୁରୋ: ଗୋଟିଏ ଦିନରେ ହେଲା ଶ୍ରୀଲଙ୍ଗରାଜଙ୍କ ମଙ୍ଗଳ ଓ ବିବାହ ଉତ୍ସବ । ମନ୍ଦିର ପ୍ରଶାସନ ଓ ସେବାୟତମାନେ ନିିଜ ନିଜ ଜିଦ୍ରେ ଅଟଳ ରହିଥିଲେ । ଘନ ଘନ ବୈଠକ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗର କେତୋଟି ଦାବି ପୂରଣ ହୋଇପାରିନଥିଲା । ଫଳରେ ଶିବ ବିବାହର ପ୍ରଥମ ବିଧି ମଙ୍ଗନ ହୋଇପାରିନଥିଲା । ରାତି ୯ଟାରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିଥିଲା ।
ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ ବିବାଦର ସମାଧାନ ପାଇଁ ଉଦ୍ୟମ କରିଥିଲେ । ପ୍ରଶାସନ ପକ୍ଷରୁ ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିବା ପରେ ଉଭୟ ନିଯୋଗର ସମ୍ପାଦକ ନିଜେ ସେବାୟତ ସଭ୍ୟଙ୍କ ସହ ଆଲୋଚନା କରି ପ୍ରଭୁ ଲିଙ୍ଗରାଜଙ୍କ ବିବାହ ପରମ୍ପରା ରକ୍ଷା କରିବା ପାଇଁ ସହଯୋଗ କରିବେ ବୋଲି କହିଥିଲେ । ପରେ ଶିବ ବିବାହ କମିଟି ପକ୍ଷରୁ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ସେବାୟତମାନେ ପ୍ରଥମେ ମଙ୍ଗନ ବିଧି ପାଳନ କରିଥିଲେ । ଏହା ପରେ ଦେବଦମ୍ପତିଙ୍କ ବିବାହ ନୀତି ଅନୁଷ୍ଠିତ ହୋଇଥିଲା । ବିଳମ୍ବିତ ରାତିରେ ପଡ଼ିଥିଲା ଦେବ ଦମ୍ପତିଙ୍କ ହାତଗଣ୍ଠି ।
Follow Us