ପରୀ ମୃତ୍ୟୁର ଛାତିଥରା କାହାଣୀ । ନୀରିହ କୁନି ଝିଅକୁ ନିର୍ମମ ଓ ବିଭତ୍ସ ଭାବେ ତଣ୍ଟି ଚିପି ହତ୍ୟା କରିଛି ସୈତାନ ସରୋଜ, ହତ୍ୟା ପରେ ମରଶରୀର ସହ ହୋଇଛି ଦୁଷ୍କର୍ମ ଉଦ୍ୟମ ।

1,073

କନକ ବ୍ୟୁରୋ : ନୟାଗଡର କୁନି ଝିଅ, ପରୀ ହତ୍ୟାକାଣ୍ଡ ଘଟଣା ଉପରୁ ରହସ୍ୟ ଖୋଲିଛି ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ଏସଆଇଟି । କିନ୍ତୁ ଯେଉଁ କାହାଣୀ ସାମ୍ନାକୁ ଆସିଛି ତାହା ଅତ୍ୟନ୍ତ ବିଭତ୍ସ ଓ ଲୋମହର୍ଷଣକାରୀ । କେହି ଚାହିଁବ ନାହିଁ ତା ଶତ୍ରୁ ସହ ବି ଏଭଳି ଘଟଣା ଘଟୁ । ଘର ପାଖରେ ରହୁଥିବା ଏକ ଯୁବକ ତାକୁ ତଂଟିଚିପି ହତ୍ୟା କରିବା ପରେ ମରଶରୀର ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଛି । ଏ କଥା କହିବା ବେଳକୁ ବି ଖରାପ ଲାଗୁଛି, କିନ୍ତୁ ପୋଲିସର କହିବା ଅନୁସାରେ ସେହି ଯୁବକ ସରୋଜ ସେଠୀ ଏଭଳି ଜଘନ୍ୟ କାଣ୍ଡ ଘଟାଇଛି ।

ପରୀ ହତ୍ୟା ଘଟଣାର ଚାଂଚଲ୍ୟକର କାହାଣୀ । ଆଶ୍ଚର୍ଯ୍ୟ ହୋଇଯାଇଥିଲେ ତଦନ୍ତକାରୀ ଅଧିକାରୀ । ମାତ୍ର ପାଞ୍ଚ ବର୍ଷର ଏହି କୁନି ଝିଅ ଯେତିକି ନୀରିହ ଥିଲା, ସେତିକି ନିର୍ମମ ଓ ବିଭତ୍ସ ଥିଲା ତାର ହତ୍ୟା କାହାଣୀ । ଯେତେବେଳେ ପ୍ରେସମିଟରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ରହସ୍ୟ ଉପରୁ ପରଦା ଉଠାଇବା ଆରମ୍ଭ କଲେ, ସେ ନିଜେ କହୁଥିଲେ ତାଙ୍କ ୨୨ ବର୍ଷର କ୍ୟାରିୟର ଭିତରେ ଏଭଳି ଘଟଣା ସେ ଦେଖିନଥିଲେ ।

ଜୁଲାଇ ୧୪ ତାରିଖ । ସମୟ- ସକାଳ ୧୦ଟା ୩୦ ରୁ ୧୦ଟା ୪୦ । ଅନ୍ୟ ଦିନ ପରି ପାଖରେ ଥିବା ସରୋଜ ଘର ବାଡିରେ ଥିବା ଜାମୁ କୋଳି ଖାଇବାକୁ ଆସିଥିଲା ପରୀ । ଘରେ ଆଉ କେହି ବି ନଥିଲେ । ସରୋଜ ଏକୁଟିଆ ଥିଲା । ପୂର୍ବ ଦିନ ସାରା ରାତି ମୋବାଇଲରେ ଅଶ୍ଳିଳ ଭିଡିଓ ଦେଖୁଥିଲା । ତାକୁ କୁଆଡେ କୁନି କୁନି ଝିଅଙ୍କ ଅଶ୍ଳିଳ ଭିଡିଓ ଦେଖିବାକୁ ଭଲ ଲାଗେ । ପରୀକୁ ଏକୁଟିଆ ପାଇ ଘର ଭିତରକୁ ଡାକିନେଲା ସୈତାନ ସରୋଜ ।

ପୂର୍ବ ରାତିରେ ଅଶ୍ଳିଳ ଭିଡିଓ ଦେଖି ନିଜ ଉପରୁ ନିୟନ୍ତ୍ରଣ ହରାଇ ସାରିଥିଲା ଏବଂ କାମନାର ରାକ୍ଷସ ବନି ଯାଇଥିଲା । ପରୀର ପୋଷାକ ପତ୍ର ଓହ୍ଲାଇ ଦେବାକୁ ଚେଷ୍ଟା କଲା । ଏହି ସମୟରେ ଖୁବ୍ ଜୋରରେ ଚିତ୍କାର କରିଥିଲା ପରୀ । କାଳେ ଲୋକ ଜାଣି ଦେବେ ସେହି ଡରରେ ପରୀର ତଂଟିକୁ ଧରିପକାଇଥିଲା । ପାଞ୍ଚ ବର୍ଷର କୁନି ଝିଅ ଏଭଳି ଏକ ନରରାକ୍ଷସ ଆଗରେ କେତେ ସମୟ ବା ଲଢ଼ିପାରିଥାନ୍ତା । କିଛି ସମୟରେ ତା ଜୀବନ ଚାଲିଗଲା ।

କିନ୍ତୁ ତାପରେ ଯାହା ଘଟିଲା ତାହା ଏତେ ଘୃଣ୍ୟ ଓ ବିଭତ୍ସ ଥିଲା ଯେ ତାକୁ ବର୍ଣ୍ଣନା କରିବା ସମ୍ଭବ ନୁହେଁ । ପରୀର ମୃତ ଦେହକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା ସରୋଜ । କାରଣ ତା ମନରେ ପୂର୍ବ ରାତିର ସେହି ଅଶ୍ଳିଳ ଭିଡିଓର ନଶା ମୁଣ୍ଡକୁ ଧରି ରଖିଥିଲା । କିଛି ସମୟ ପରେ ପ୍ରକୃତିସ୍ଥ ହୋଇଥିଲା ଏବଂ ଜାଣି ପାରିଲା ସେ କ’ଣ କରୁଛି । ଏବେ ତାର ମୁଖ୍ୟ କାମ ଥିଲା ପରୀର ମୃତ ଦେହକୁ ଲୁଚାଇବା ।

ଘର ପଛ ପଟେ ପୋଖରୀ ପାଖରେ ନଡିଆ ବାହୁଁଙ୍ଗାରେ ଢ଼ାଙ୍କି ଏକ ବୁଦା ତଳେ ଫୋପାଡି ଦେଇଥିଲା ସରୋଜ । ଆଉ ଚୁପଚାପ ଘରକୁ ଫେରି କିଛି ନଜାଣିଲା ଭଳି ରହିଗଲା । କେହି ସୁରାଗ ବି ପାଇଲେନି, ଏତେବଡ ଘଟଣା ଘଟାଇ ଆରାମରେ ଏହି ଯୁବକ ସାରା ନୟାଗଡ ବୁଲୁଥିଲା ।