ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ ଏସଆଇଟି ରିପୋର୍ଟ । ତେଜିଲା କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବହିଷ୍କାର ଦାବି ।

160

କନକ ବ୍ୟୁରୋ : ଲଖିମପୁର ଖେରି ହିଂସାକାଣ୍ଡ ଘଟଣାରେ ଏସଆଇଟି ରିପୋର୍ଟ ପରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ବହିଷ୍କାର ଦାବି ହୋଇଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହାକୁ ନେଇ କେନ୍ଦ୍ର ବିରୋଧରେ ବର୍ଷିଛନ୍ତି । ସେପଟେ ଏସଆଇଟି ରିପୋର୍ଟ ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ଚିହିଁକି ଉଠିଛନ୍ତି ଗିରଫ ଅଭିଯୁକ୍ତର ବାପା ତଥା ମନ୍ତ୍ରୀ ଅଜୟ ମିଶ୍ର । ତାଙ୍କ ପୁଅ ନିର୍ଦ୍ଦୋଷ । ତାଙ୍କୁ ଫସାଯାଉଛି ବୋଲି ସେ ଜବାବରେ କହିଛନ୍ତି ।

ଜୋର ଧରିଲା ମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର ଦାବି । ଏସଆଇଟି ରିପୋର୍ଟ ପରେ ଆକ୍ରମଣାତ୍ମକ ମୁଡରେ ବିରୋଧୀ । ଲଖିମପୁର ଖେରି ହିଂସାକାଣ୍ଡ ଘଟଣାର ଏସଆଇଟି ରିପୋର୍ଟ ପରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ବହିଷ୍କାର ଦାବି ଜୋର ଧରିଛି । ସରକାର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ର ଓରଫ ଟେନିଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି । ଲୋକସଭାରେ ଏହି ପ୍ରସଙ୍ଗ ଉଠାଇ ସରକାରକୁ ଟାର୍ଗେଟ କରିଛନ୍ତି ବିରୋଧୀ । ଶାସକ ଦଳ ବିଜେପି ଧର୍ମର ରାଜନୀତି କରୁଛି । ଏବେ ରାଜନୀତିରେ ଧର୍ମ ଲିଭାଇବା ଦରକାର କହି ଅଜୟ ମିଶ୍ରଙ୍କ ବହିଷ୍କାର ଦାବି କରିଛନ୍ତି ରାହୁଲ୍ । କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧ ଦଳ ସମାନ ଦାବି ଉଠାଇବା ପରେ ଗୃହ ଗୁରୁବାର ଯାଏଁ ମୁଲତବୀ ରହିଛି ।

ଚିହିଁକି ଉଠିଲେ ମନ୍ତ୍ରୀ ଅଜୟ ମିଶ୍ରା । ବିରୋଧୀଙ୍କ ଇସ୍ତଫା ଦାବି ଦେଖି ଚାପରେ ମନ୍ତ୍ରୀ । ଲଖିମପୁର ଖେରୀ ହିଂସାକାଣ୍ଡ ଘଟଣାରେ ମଙ୍ଗଳବାର ଏସଆଇଟି ରିପୋର୍ଟ ଦାଖଲ କରିଛି । ଏହାପରେ ଅକ୍ଟୋବର ୩ରେ ହୋଇଥିବା ଘଟଣାରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ମୃତ୍ୟୁ ଦୁର୍ଘଟଣା ନୁହେଁ ବରଂ ଷଡଯନ୍ତ୍ର ବୋଲି ଜଣାପଡିଛି ।

ଆଗକୁ ୟୁପି ନିର୍ବାଚନ । ଭୋଟ୍ ବ୍ୟାଙ୍କ ହରାଇବା ଭୟରେ କୃଷି ଆଇନ ରଦ୍ଦ କରାଯାଇଛି ବୋଲି କୁହାଯାଉଛି । ଆଉ ଏବେ ଚାଷୀଙ୍କୁ ହତ୍ୟା କରିବା ପଛରେ ଷଡଯନ୍ତ୍ରର ଦିଗ ଆଗାମୀ ଦିନରେ ଶାସକ ଦଳ ପାଇଁ ଅଡୁଆ ହୋଇପାରେ । କାରଣ ପଶ୍ଚିମ ଅଞ୍ଚଳରେ ରହିଛି ଲଖିମପୁର । ଆଉ ଅଧିକାଂଶ ଚାଷୀ ଏଠାରୁ ଯାଇ କୃଷି ଆନ୍ଦୋଳନରେ ସାମିଲ୍ ହୋଇଥିଲେ ।