ଆଖଡା ପରିଷଦର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ଆତ୍ମହତ୍ୟା ଘଟଣା: ଶିଷ୍ୟ ଆନନ୍ଦ ଗିରିଙ୍କ ସମେତ ୩ ଗିରଫ

80

କନକ ବ୍ୟୁରୋ: ଆଖଡା ପରିଷଦର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ୭୧ ବର୍ଷୀୟ ମହନ୍ତ ନରେନ୍ଦ୍ର ଗିରି ଆତ୍ମହତ୍ୟା କରିଥିବା ନେଇ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆଉ ଏହି ଘଟଣାରେ ନରେନ୍ଦ୍ର ଗିରିଙ୍କ ଶିଷ୍ୟ ଆନନ୍ଦ ଗିରିଙ୍କୁ ଗିରଫ କରିଛି ପୋଲିସ । କାରଣ ଆତ୍ମହତ୍ୟା ପୂର୍ବରୁ ମହନ୍ତ ନରେନ୍ଦ୍ର ଗିରି ନିଜ ସୁଇସାଇଡ୍ ନୋଟ୍ରେ ଆନନ୍ଦ ଗିରିଙ୍କ ନାମ ଉଲ୍ଲେଖ କରିଛନ୍ତି । ଆନନ୍ଦ ଗିରି ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା କଥା ସୁଇସାଇଡ୍ ନୋଟ୍ରେ ଲେଖାଅଛି ।

ଆଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ଆତ୍ମହତ୍ୟା ମାମଲାରେ ଶିଷ୍ୟ ଆନନ୍ଦ ଗିରିକୁ ଗିରଫ କରିଛି ଉତରପ୍ରଦେଶ ପୋଲିସ । ତାଙ୍କ ବିରୋଧରେ ଏଫଆଇର ରୁଜୁ କରିବା ସହ ତାଙ୍କୁ ଆଖଡା ପରିଷଦରୁ ବହିଷ୍କାର କରାଯାଇଛି । ମୃତ୍ୟୁ ପୂର୍ବରୁ ମହନ୍ତ ନରେନ୍ଦ୍ର ଗିରି ୮ ପେଜ୍ର ଏକ ସୁଇସାଇଡ୍ ନୋଟ୍ ଛାଡିଯାଇଛନ୍ତି । ଏହି ସୁସାଇଡ ନୋଟରେ ମହନ୍ତ ତାଙ୍କ ବିବାଦୀୟ ଶିଷ୍ୟ ଆନନ୍ଦ ଗିରିଙ୍କ ନାଁ ନେଇଛନ୍ତି । ଆନନ୍ଦ ଗିରି, ମହନ୍ତ ନରେନ୍ଦ୍ର ଗିରିଙ୍କୁ ମାନସିକ ଭାବେ ନିର୍ଯାତନା ଦେଉଥିବା କଥା ସୁସାଇଡ୍ ନୋଟ୍ରେ ଉଲ୍ଲେଖ ଅଛି । କିଛି ଦିନ ପୂର୍ବରୁ ଶିଶ୍ୟ ଆନନ୍ଦ ଗିରିଙ୍କୁ ଟଙ୍କା ହେରଫେର ନେଇ ମଠରୁ ବିତାଡିତ କରାଯାଇଥିଲା । ମାତ୍ର ସେ ମହନ୍ତ ନରେନ୍ଦ୍ର ଗିରିଙ୍କ ଗୋଡ ଧରି ଭୁଲ ମାଗିଥିଲେ । ଏହି ସମୟର ଏକ ଭିଡିଓ ମଧ୍ୟ ପୋଲିସ ହାତରେ ଲାଗିଛି । ସେପଟେ ଆନନ୍ଦ ଗିରି କହିଛନ୍ତି, ସେ ସବୁପ୍ରକାରର ତଦନ୍ତର ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି । ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି ବୋଲି ସେ କହିଛନ୍ତି ।

ସୋମବାର ଉତରପ୍ରଦେଶ ପ୍ରୟାଗରାଜ ସ୍ଥିତ ବାଘମ୍ବରି ମଠରେ ମିଳିଥିଲା ନରେନ୍ଦ୍ର ଗିରିଙ୍କ ମୃତଦେହ । ପ୍ରୟାଗରାଜର ନିଜ ମଠର ଯେଉଁ ଘରେ ନରେନ୍ଦ୍ର ଗିରିଙ୍କ ମୃତଦେହ ମିଳିଛି, ସେହି ଘର ଚାରିଆଡୁ ବନ୍ଦ ଥିଲା । ମୁଖ୍ୟ ଦ୍ୱାର ବି ବନ୍ଦ ରହିଥିଲା । ପ୍ରାଥମିକ ତଦନ୍ତ ପରେ ପୁଲିସ ଏହାକୁ ଏକ ଆତ୍ମହତ୍ୟା ବୋଲି କହିଛି ।(୧୩) ସେପଟେ ମଠରେ ମହନ୍ତ ନରେନ୍ଦ୍ର ଗିରିଙ୍କ ଶେଷ ଦର୍ଶନ ପାଇଁ ସାଧୁ ସନ୍ଥଙ୍କ ଗହଳି ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ମହନ୍ତଙ୍କୁ ଶ୍ରଦ୍ଧାଂଜଳୀ ଜଣାଇଛନ୍ତି ।ଆଖଡା ପରିଷଦର ମୁଖ୍ୟଙ୍କ ମୃତ୍ୟୁ ସମାଜ ପାଇଁ ଅପୁରଣୀୟ କ୍ଷତି ବୋଲି ସେ କହିଛନ୍ତି । ଏହି ଘଟଣାରେ ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ବୁଧବାର ମହନ୍ତ ନରେନ୍ଦ୍ର ଗିରିଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ବାଘମ୍ବରୀ ମଠରେ ତାଙ୍କୁ ସମାଧି ଦିଆଯିବାର କାର୍ଯ୍ୟକ୍ରମ ରହିଛି ।