ପାସୱାର୍ଡ ପକା ମୋବାଇଲରେ ଲୁଚି ରହିଛି କି ପରୀ ମୃତ୍ୟୁର ପୂରା କାହାଣୀ? କାହିଁକି ଜଣେ ଛାତ୍ରଙ୍କୁ ଜେରା କରୁଛି ଏସଆଇଟି, କଣ ରହିଛି ଗୁଢ ରହସ୍ୟ?  

1,169

କନକ ବ୍ୟୁରୋ : ମୃତ ପରୀର ଘର ନିକଟରେ ଥିବା ଜଣେ କଲେଜ ଛାତ୍ରଙ୍କ ଉପରେ ଏସଆଇଟିର ତଦନ୍ତ କେନ୍ଦ୍ରୀଭୁତ ହୋଇଛି । ଯାଞ୍ଚକାରୀ ସଂସ୍ଥା ବାରମ୍ବାର ତାଙ୍କ ଘରେ ପହଂଚି ରେଡ କରିବା ଫଳରେ ଏହି ସନ୍ଦେହ କରାଯାଉଛି । ବଡ କଥା ହେଉଛି, ସଂପୃକ୍ତ ଛାତ୍ରଙ୍କ ଶୋଇବା ଶେଜ ଓ ପିନ୍ଧା ପୋଷାକ ଜବତ କରାଯାଇଛି । କିଛି ଦିନ ତଳେ ଏହି ଯୁବକଙ୍କ ମୋବାଇଲ ଫୋନକୁ ସିଜ୍ କରିଥିଲା ଏସଆଇଟି । ସନ୍ଦେହ କରାଯାଉଛି, ପାସୱାର୍ଡ ପକା ଏହି ମୋବାଇଲର ପରୀ ମୃତ୍ୟୁ ସହିତ କିଛି ସଂପର୍କ ଥାଇପାରେ । ସେପଟେ ଗାଁର ୧୫ରୁ ୩୫ ବର୍ଷ ଯୁବକଙ୍କ ରକ୍ତ ନମୁନା ସଂଗ୍ରହ ପ୍ରକ୍ରିୟା ଚାଲିଛି । ଏହି କ୍ରମରେ କେରଳ ଚାଲି ଯାଇଥିବା ୪ ଜଣ ଯୁବକଙ୍କୁ ମଧ୍ୟ ଡକା ଯାଇଛି ।

ପରୀ ମୃତ୍ୟୁର ଛାନଭିନ କରୁଥିବା ସ୍ପେଶାଲ ଇନଭେଷ୍ଟି ଗେସନ ଟିମ୍- ଏସଆଇଟିର ତଦନ୍ତ ଏବେ ଜଣେ ଯୁବକଙ୍କ ଉପରେ କେନ୍ଦ୍ରୀଭୂତ ହୋଇଛି । ଯଦୁପୁର ଗାଁର ଏହି ବିଜ୍ଞାନ ଛାତ୍ରଙ୍କଠାରୁ ଜବତ ମୋବାଇଲ ଫୋନ ଆଗାମୀ ଛାନଭିନ ପାଇଁ ବାଟ କଢାଇ ନେଉଥିବା ସନ୍ଦେହ । ଏଭଳି ସନ୍ଦେହ ସେତିକିବେଳେ ଘନୀଭୁତ ହେଉଛି, ଯେତେବେଳେ ମୃତ ପରୀର ଘର ନିକଟରେ ଥିବା ଏହି ଯୁବକଙ୍କ ଘରେ ବାରମ୍ବାର ଛାପା ମାରୁଛି ଏସଆଇଟି ଟିମ୍ ।

ମିଳିଥିବା ସୂଚନା ଅନୁସାରେ ପୁଣି ଏହି ଯୁବକଙ୍କ ଘରେ ପହଂଚି ଏସଆଇଟି ତାଙ୍କ ଶୋଇବା ଶେଜ, ତକିଆ ଏପରିକି ପିନ୍ଧା ପୋଷାକ ସିଜ କରି ସାଙ୍ଗରେ ନେଇଯାଇଛି । ଗତ ୨ ତାରିଖରେ ଯୁବକଙ୍କ ଠାରୁ ଏକ ମୋବାଇଲ ଫୋନକୁ ଜବତ କରିଥିଲା ତଦନ୍ତକାରୀ ସଂସ୍ଥା । ହେଲେ ମୋବାଇଲର ଏକ ନିର୍ଦ୍ଦିିଷ୍ଟ ଫୋଲଡର ଖୋଲୁନଥିବାରୁ ୨ ଦିନ ତଳେ ଯୁବକଙ୍କ ଠାରୁ ପାସୱାର୍ଡ ବାବଦରେ ପଚରା ଉଚରା କରିବାକୁ ପହଂଚିଥିଲେ ଖୋଦ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ହେଲେ ଯୁବକ ଜଣକ ଏ ସଂପର୍କରେ ଜାଣିନଥିବା କହିଥିଲେ । ଯାହାକୁ ନେଇ ଏସଆଇଟି ମୁଖ୍ୟ ବିରକ୍ତି ପ୍ରକାଶ କରିବା ସହ ମୋବାଇଲଟିକୁ ପୁଣି ସାଙ୍ଗରେ ନେଇଯାଇଥିବା ଜଣାପଡିଥିଲା । ଆଜି ପୁଣି ସେହି ଯୁବକଙ୍କ ଘରେ ପହଂଚି ବିଛଣା, ପୋଷାକ ଏପରିକି ଅନ୍ତଃବସ୍ତ୍ର ସାଙ୍ଗରେ ନେଇଯାଇଛି ଏସଆଇଟି । ଯାହା ତଦନ୍ତକୁ ଏକ ନିର୍ଣ୍ଣାୟକ ଦିଗ ଦେଇପାରେ ବୋଲି ଅନୁମାନ କରାଯାଉଛି । ଏହାବାଦ

ପରୀ ମୃତ୍ୟୁ ଓ ଏସଆଇଟି ତଦନ୍ତ

– ଯଦୁପୁର ଗାଁର ମୋଟ୍ ୨୧୦ ପରିବାରକୁ ନେଇ ଏକ ପ୍ରୋଫାଇଲ ଡାଟାବେସ ତିଆରି ହେଉଛି

– ୧୫ରୁ ୩୦ ବର୍ଷ ବୟସ୍କ ୯୯ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରିସାରିଲାଣି ଏସଆଇଟି ଟିମ୍

– କେଉଁମାନେ ବାହାରକୁ ଯାଇଛନ୍ତି କିମ୍ବା ବାହାରୁ ଆସିଛନ୍ତି ସେମାନଙ୍କ ତଥ୍ୟ ସଂଗ୍ରହ ହେଉଛି

– ଲକଡାଉନ ପରେ ଗାଁରୁ ବାହାରକୁ ଯାଇଥିବା ଯୁବକଙ୍କ ରକ୍ତ ନମୂନା ସଂଗ୍ରହ ପାଇଁ ଡକାଯାଇଛି

– ଆସନ୍ତାକାଲି କେରଳରୁ ଆସି ପହଂଚିବା ପାଇଁ ଗାଁର ୪ ଜଣ ଯୁବକଙ୍କୁ କୁହାଯାଇଛି

ଗୋଟିଏ ପଟେ ନିର୍ଦ୍ଦିଷ୍ଟ ବୟସର ଯୁବକମାନଙ୍କ ତଥ୍ୟ ସଂଗ୍ରହ କରି ପ୍ରୋଫାଇଲ ଡାଟାବେସ ପ୍ରସ୍ତୁତ କରୁଛି ଯାଂଚକାରୀ ଦଳ । ଅନ୍ୟପଟେ ଜଣେ କଲେଜ ଛାତ୍ରଙ୍କ ଘରେ ପହଂଚି ବାରମ୍ବାର ଛାନଭିନ କରୁଛି । ତେଣୁ ପରୀ ମୃତ୍ୟୁ ସହ ଏହି ଯୁବକଙ୍କ କଣ ସଂପୃକ୍ତି ରହିଛି ସେନେଇ ସନ୍ଦେହ ଘନୀଭୂତ ହେବାରେ ଲାଗିଛି । କୁହାଯାଉଛି ପରୀ ନିଖୋଜ ହେବା ପୂର୍ବରୁ ଏହି ଯୁବକଙ୍କ ନିକଟକୁ ଜାମୁକୋଳି ଖାଇବାକୁ ଯାଇଥିଲେ । ତେଣୁ ଏହି ପୁରା ମାମଲାରେ ଯୁବକଙ୍କ କଣ ସଂପୃକ୍ତି ରହିଛି ଏବଂ ସେହି ପାସୱାର୍ଡ ପକା ମୋବାଇଲରେ କଣ ଅଛି ତାହା ହିଁ ରହସ୍ୟମୟ ହୋଇ ରହିଛି ।