ପରୀ ମୃତ୍ୟୁ ଘଟଣାର ଗୁମର ଖୋଲିଲେ ଏସଆଇଟି ମୁଖ୍ୟ: କେମିତି ଓ କେଉଁ ପରିସ୍ଥିତିରେ ଦୁଷ୍କର୍ମ ପରେ ହତ୍ୟା କରିଥିଲା ମୁଖ୍ୟ ଅଭିଯୁକ୍ତ କଲେଜ ଛାତ୍ର ସରୋଜ ସେଠୀ? ବୋଥ୍ରା କହିଲେ ପରୀ ହତ୍ୟାକାଣ୍ଡର ପୁରା କାହାଣୀ

ସେପଟେ ଅଧିକ ପ୍ରମାଣ ପାଇଁ ଶୁଖାଯାଉଛି ଯଦୁପୁର ଗାଁ ପୋଖରୀ

460

କଟକ ବ୍ୟୁରୋ: ପରୀ ହତ୍ୟା ଉପରୁ ଉଠିଲା ପରଦା । ହତ୍ୟା ଘଟଣାର ଗୁମର ଖୋଲିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । କେମିତି ଓ କେଉଁ ପରିସ୍ଥିତିରେ ଦୁଷ୍କର୍ମ ପରେ ହତ୍ୟା କରିଥିଲା ମୁଖ୍ୟ ଅଭିଯୁକ୍ତ ସେନେଇ କହିଛନ୍ତି ଅରୁଣ ବୋଥ୍ରା । ହତ୍ୟା କରିଥିବା ନେଇ ଅଭିଯୁକ୍ତ କଲେଜ ଛାତ୍ର ସରୋଜ ସେଠୀ ସ୍ୱିକାର କରିଛି । ଏପରିକି ମୃତଦେହ ସହ ଦୁଷ୍କର୍ମ ଉଦ୍ୟମ କରିଥିବା କଥା ଜେରା ବେଳେ ଅଭିଯୁୁକ୍ତ ମାନିଥିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ତେବେ ମୋବାଇଲରେ ଅଶ୍ଳୀଳ ଫିଲ୍ମ ଦେଖି ଏପରି କାଣ୍ଡ କରିଥିଲା ଅଭିଯୁକ୍ତ । କାଳେ ଧରାପଡ଼ିଯିବ ବୋଲି ହୋସ ଆସିବା ପରେ ପରୀକୁ ଅଖା ଭିତରେ ବାନ୍ଧି ଫିଙ୍ଗି ଦେଇଥିବା କଥା ପୋଲିସ ଆଗରେ ମାନିଥିଲା ଅଭିଯୁକ୍ତ ସରୋଜ ସେଠୀ ।

ଏସଆଇଟି ମୁଖ୍ୟଙ୍କ କହିବା ଅନୁସାରେ, ପରୀକୁ ହତ୍ୟାର ମୁଖ୍ୟ ଅଭିଯୁକ୍ତ ହେଉଛି ଯଦୁପୁରର ସରୋଜ ସେଠୀ । ସେ ଜଣେ କଲେଜ ଛାତ୍ର ହୋଇଥିବା ବେଳେ ପରୀ ଘର ପାଖରେ ହି ତାର ଘର । ତେବେ ଅଭିଯୁକ୍ତର ଦୁଇ ଜଣ ଉଭଣୀ ଅଛନ୍ତି, ଯେଉଁମାନଙ୍କ ମଧ୍ୟରେ ସାନ ଭଉଣୀର ବାହାଘର ହୋଇଥିବା ବେଳେ ବଡ ଭଉଣୀ ଚାକିରି କରୁଛନ୍ତି । ତେବେ ପରୀକୁ ଅଭିଯୁକ୍ତର ସାନ ଉଭଣୀ ବହୁତ ଗେହ୍ଲା କରୁଥିଲା ଆଉ ସବୁବେଳେ ସେ ପରୀକୁ ସାଥିରେ ଧରି ବୁଲୁଥିଲା । ଏପରିକି ସାଥି ହୋଇ ସେମାନେ ଗାଁ ମୁଣ୍ଡରେ ଥିବା ଏକ ଜାମୁକୋଳି ଗଛ ପାଖକୁ ଯାଇ ଜାମୁକୋଳି ଖାଉଥିଲେ । ତେବେ ଘଟଣା ଦିନ ପିଲାଟି ଜାମୁକୋଳି ଆଶାରେ ଅଭିଯୁକ୍ତ ଘରକୁ ଆସିଥିଲା ମାତ୍ର ଘରେ କେହି ନଥିବା ବେଳେ ସରୋଜ ତାକୁ ଜାମୁକୋଳି ଦେବାକୁ କହି ଭିତରକୁ ଡାକିନେଇଯାଇଥିଲା । ଏହାପରେ ସେ ପ୍ରଥମେ ପରୀର ଫ୍ରକ୍ ଖୋଲିଥିଲା ଏବଂ ପରେ ପିନ୍ଧିଥିବା ଲେଗିନ୍ସ ପ୍ୟାଂଟ ଖୋଲି ତା ସହ କୁକର୍ମ କରିବାକୁ ଚେଷ୍ଟା କରିଥିଲା ମାତ୍ର ଏହି ସମୟରେ ପରୀ ପାଟିକରି କାନ୍ଦିବାରୁ ଧରାପଡିଯିବା ଭୟରେ ସେ ତାର ତଣ୍ଟିଚିପି ହତ୍ୟା କରିଦେଇଥିଲା ।

ଏତିକିରେ ବି ପରୀ ପିଶାଚର ମନ ଭରିନଥାଏ । ଦେହର ଭୋକ ମେଂଟାଇବା ପାଇଁ ସେ କୁନି ଝିଅର ମୃତଦେହକୁ ବି ଛାଡିନଥିଲା । ପରୀକୁ ହତ୍ୟା କଲା ପରେ ଶବ ସହ ଦୁଷ୍କର୍ମ କରିବାକୁ ମଧ୍ୟ ଉଦ୍ୟମ କରିଥିଲା ଅଭିଯୁକ୍ତ ସରୋଜ ସେଠୀ । ମାତ୍ର ପରେ ହୋସ୍ ଆସିବା ପରେ ଶବକୁ ଲୁଚାଇବା ପାଇଁ ଆରମ୍ଭ କରିଥିଲା ଷଡଯନ୍ତ୍ର । ଏହାପରେ ସେ ପରୀର ମୃତଦେହ ଏବଂ ପରୀ ପିନ୍ଧିଥିବା ଫ୍ରକକୁ ଏକ ଅଖାରେ ପୁରାଇ ଘର ପଛପଟେ ଥିବା ଏକ କୁଦରେ ଲୁଚାଇଦେଇଥିଲା ଆଉ ତା ଉପରେ ନଡିଆ ବାହୁଁଙ୍ଗା ଢାଙ୍କି ଦେଇଥିଲା । ମାତ୍ର ଏହାରି ଭିତରେ ପରୀ ପିନ୍ଧିଥିବା ଲେଗିନ୍ସ ପ୍ୟାଂଟ କିନ୍ତୁ ଘରେ ରହିଯାଇଥିଲା , ଏହାପରେ ସେ ହଡବଡେଇ ଯାଇ ଗାଁରେ ଥିବା ଏକ ପରିତ୍ୟକ୍ତ ପୋଖରୀରେ ଫିଙ୍ଗିଦେଇଥିଲା । ତେବେ ଏହି ପ୍ୟାଂଟଟିକୁ ଖୋଜିବା ପାଇଁ ଆଜି ଏସଆଇଟି ପୋଖରୀକୁ ଶୁଖାଉଥିବା ନେଇ କହିଛନ୍ତି ଅରୁଣ ବୋଥ୍ରା ।