ଧରାପଡିଲା ପରୀ ହତ୍ୟାକାଣ୍ଡର ଅଭିଯୁକ୍ତ । ଏସଆଇଟି ମୁଖ୍ୟ ଅରୁଣ କହିଲେ, ଯøନ ନିର୍ଯାତନା ଉଦ୍ଦେଶ୍ୟରେ ଘଟିଛି ହତ୍ୟାକାଣ୍ଡ, ଅଭିଯୁକ୍ତ ବିରୋଧରେ ଅଛି ଯଥେଷ୍ଟ ପ୍ରମାଣ ।

1,409

କନକ ବ୍ୟୁରୋ : ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ କରାଯିବା ପରେ ଆଜି ତାକୁ ନୟାଗଡ ପକସୋ କୋର୍ଟରେ ହାଜର କରିଛି ଏସଆଇଟି । ଅଭିଯୁକ୍ତ ବିରୋଧରେ ତଦନ୍ତକାରୀ ଟିମ୍ ନିକଟରେ ଯଥେଷ୍ଟ ପ୍ରମାଣ ରହିଥିବା ଏସଆଇଟି ମୁଖ୍ୟ କହିଛନ୍ତି । ତେବେ ସେ ଏକା ଏହି ହତ୍ୟାକାଣ୍ଡ ଘଟାଇଥିଲା ନା ଏହା ପଛରେ ଆଉ କାହାର ସମ୍ପୃକ୍ତି ରହିଛି ସେସବୁ ରହସ୍ୟ ଉପରୁ ପରଦା ହଟାଇବା ପାଇଁ ଅଭିଯୁକ୍ତକୁ ଏସଆଇଟି ରିମାଣ୍ଡରେ ନେଇପାରେ ବୋଲି କୁହାଯାଉଛି ।

କପଡାରେ ଢ଼ଙ୍କା ଯାଇ, କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କୋର୍ଟରେ ହାଜର କରାଯାଉଥିବା, କଲେଜ ପଢ଼ୁଆ ଯୁବକ ଉପରେ ଏସଆଇଟିର ତଦନ୍ତ ଘୁରି ବୁଲୁଥିଲା । ପରୀ ଘର ପାଖରେ ହିଁ ଏହି ଅଭିଯୁକ୍ତର ଘର । କିନ୍ତୁ ଏତେ ଧୂର୍ତ ଥିଲା ଯେ ତାକୁ ଧରିବା ନୟାଗଡ ପୋଲିସ ପାଇଁ ଅସମ୍ଭବ ହୋଇଯାଇଥିଲା । ପୋଲିସକୁ ଚକମା ଦେଇ ବାଏଁବାଏଁ ଉଡାଇ ଦେଇଥିଲା ସବୁ ସନ୍ଦେହ । କିନ୍ତୁ, ଏସଆଇଟିର ଜାଲରୁ ଖସି ପାରିନଥିଲା । ଆଜି ତାକୁ ନୟାଗଡ ପକସୋ କୋର୍ଟରେ ହାଜର କରାଯାଇଛି ।

ପରୀକୁ କିଏ କରିଛି ହତ୍ୟା?
ହତ୍ୟାକାଣ୍ଡ ପଛର ଉଦ୍ଦେଶ୍ୟ କଣ?
କେମିତି ଓ କେଉଁ ପରିସ୍ଥିତିରେ କରାଗଲା ହତ୍ୟା?
ଏମିତି ଅନେକ ପ୍ରଶ୍ନର ଉତର ଖୋଜୁଥିବା ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ବା ଏସଆଇଟିକୁ ମିଳିଯାଇଛି ଉତର । ଆଜି ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରା ମିଡିଆ ସାମନାକୁ ଆସି ଆତ୍ମ ବିଶ୍ୱାସର ସହ କହୁଥିଲେ ସେମାନେ ପ୍ରମାଣ ପାଇ ଯାଇଛନ୍ତି ।

ପରୀ ହତ୍ୟାକାରୀ ନିକଟରେ ପହଁଚିବା ପାଇଁ ଏସଆଇଟି ଟିମ୍ ଯଦୁପୁର ଗାଁର ୧୮ ରୁ ୩୫ ବର୍ଷ ବୟସ୍କ ଯୁବକଙ୍କର ଏକ ତାଲିକା ପ୍ରସ୍ତୁତ କରିଥିଲା । ସେହି ତାଲିକା ଅନୁସାରେ ଏହି ଯୁବକର ଲାଳ ଓ ରକ୍ତ ନମୁନା ସଂଗ୍ରହ ପରେ ତାର ମୋବାଇଲ ରଖି ଦେଇଥିଲା ଏସଆଇଟି । ପରେ ମୋବାଇଲର କିଛି ଫୋଲଡର ଖୋଲିବା ପାଇଁ କୁହାଯାଇଥିଲା । କିନ୍ତୁ ସେ ପାସୱାର୍ଡ ଜାଣିନଥିବା ବାରମ୍ବାର କହିଥିଲା । ଏହା ପରେ ତା ଉପରେ ସନ୍ଦେହ ବଢ଼ି ବଢ଼ି ଚାଲିଥିଲା । ଏସଆଇଟିର କହିବା ଅନୁସାରେ ଯୌନ ନିର୍ଯାତନା ଉଦ୍ଦେଶ୍ୟରେ ପରୀକୁ ଅପହରଣ କରାଯାଇଥିଲା, ଏହା ପରେ ଦୁଷ୍କର୍ମ କରି ହତ୍ୟା କରାଯାଇଛି ।

ଜୁଲାଇ ୧୪ ତାରିଖରେ ନିଖୋଜ ହୋଇଯାଇଥିଲା ପରୀ, ଏବଂ ୨୩ ତାରିଖରେ ମୃତ ଦେହ ମିଳିଲା । କିନ୍ତୁ ପୋଲିସ କୌଣସି ସୁରାଗ ପାଇ ପାରିଲା ନାହିଁ । କାରଣ ପୂରା ଘଟଣାକୁ ଅତ୍ୟନ୍ତ ଚତୁରତାର ସହ ରୂପ ଦେଇଥିଲା ଅଭିଯୁକ୍ତ । ଏସଆଇଟି କହିଛି ଅପରାଧର ଉଦ୍ଦେଶ୍ୟ ସେମାନେ ଜାଣି ସାରିଛନ୍ତି । ଅର୍ଥାତ କିଏ, କେମିତି ଓ କାହିଁକି ଏହି ହତ୍ୟାକାଣ୍ଡ ଘଟାଇଛି ତାର ସବୁ ତଥ୍ୟ ମିଳି ଯାଇଛି । ଏବେ ଅପେକ୍ଷା ଏସଆଇଟି କେବେ ସେହି ରହସ୍ୟମୟ କାହାଣୀ ଉପରୁ ପରଦା ହଠାଇବ ।