କନକ ବ୍ୟୁରୋ: ରାକ୍ଷୀ ପାଇଁ ଥାଳି ସଜା ହୋଇଥିଲା । ଚାଉଳ ଥିଲା, ଫୁଲ ସିନ୍ଦୂର ରହିଥିଲା ଆଉ ୪ଟି ନୂଆ ରାକ୍ଷୀ ନେଇ ଭଉଣୀ ଅପେକ୍ଷା କରିଥିଲା । ଭାଇ ଆସିବ, ତା ଗେହ୍ଲୀ ଭଉଣୀ ଭାଇକୁ ଦୁଆର ମୁହଁରୁ ଟାଣି ଆଣି ଖଟ ଉପରେ ବସାଇ ଦେବ ଆଉ ଭାଇ ହାତରେ ଗୋଟେ ପରେ ଗୋଟେ କରି ଚାରି ଚାରିଟି ରାକ୍ଷୀ ବାନ୍ଧିଦେବେ ଚାରି ଭଉଣୀ । ଏମିତି ଅନେକ ସ୍ୱପ୍ନ ନେଇ ବାପି ଭାଇର ବାଟ ଚାହିଁ ରହିଥିଲେ ଏ ଭଉଣୀମାନେ । ନା ଭାଇ ଆସିଲା, ନା ରାକ୍ଷୀ ବନ୍ଧା ହେଲା । ଆଜି ଯାଏଁ ଭଉଣୀଙ୍କ ଭଳି ସେ ରାକ୍ଷୀ ଥାଳି ସେମିତି ଭାଇର ଅପେକ୍ଷାରେ ରହିଛି...
ଭୁବନେଶ୍ୱର ବାପୁଜୀ ନଗରର ବାପି ପ୍ରଧାନ । ବାଲେଶ୍ୱରକୁ କାମ କରିବାକୁ ଯାଇଛନ୍ତି ଯେ ଯାଇଛନ୍ତି । ନା ଘରକୁ ଫେରୁଛନ୍ତି ନା ତାଙ୍କର କିଛି ଖୋଜ ଖବର ମିଳୁଛି । ଗତବର୍ଷ ଅଗଷ୍ଟ ମାସ ଜଣେ ଠିକାଦାରଙ୍କ ସହ କାମ କରିବାକୁ ଯାଇଥିଲେ ବାପି । ଆଉ ସେବେଠାରୁ ତାଙ୍କର କିଛି ପତାଅତା ମିଳୁନି । ବାରମ୍ବାର ଠିକାଦାରକୁ ଯୋଗାଯୋଗ କଲେ ବି ସେ କିଛି ଶୁଣୁନଥିବା ଭଉଣୀମାନେ ଅଭିଯୋଗ କରିଛନ୍ତି ।
ଘରର ଅବସ୍ଥା ସ୍ୱଚନୀୟ ଥିବା ବେଳେ ବୁଢୀମାଆ ବି ପୁଅକୁ ଝୁରି ଝୁରି ପାଗଳୀ ପ୍ରାୟ । ଭାଇ ବିନା ଘରର ଶ୍ମଶାନ ଭଳି ଲାଗୁଥିବାରୁ ଭାଇକୁ ଖୋଜିବାକୁ ଘରୁ ଗୋଡ କାଢିଛନ୍ତି ଭଉଣୀ । ଆଉ ଗଳିକନ୍ଦି, ଛକ ବଜାର, ଘର ଘର ବୁଲି ନିଖୋଜ ଭାଇର ପୋଷ୍ଟର ମାରୁଛନ୍ତି । ଆଶା ଅଛି କାଳେ କିଏ ଭାଇକୁ ଦେଇ ଖବର ଦେବ । ଆଉ ତାଙ୍କ ଗେହ୍ଲା ଭାଇ ଘରକୁ ଫେରି ଆସିବ...
ସେପଟେ ହଜିଲା ଭାଇକୁ ଖୋଜି ଦେବାକୁ ପୋଲିସକୁ ଯେତେ କାକୁତି ମିନତି ହେଲେ ବି ପୋଲିସ ଏଣୁତେଣୁ ବାହାନା କରି କଥା ଟାଳି ଦେଉଛି । ଭୁବନେଶ୍ୱର ପୋଲିସ ବାଲେଶ୍ୱର ଯିବାକୁ କହୁଛି ଆଉ ବାଲେଶ୍ୱର ପୋଲିସ ଭୁବନେଶ୍ୱର କଥା କହି କିଛି ବୁଝୁନଥିବା ଅଭିଯୋଗ ହୋଇଛି । ତେବେ ଭାଇ କେଉଁଠି ଅଛି ? କେମିତି ଅଛି? ଭଲରେ ଅଛି ତ? ନା ତାହା ସହ କିଛି ଘଟିଛି? ଏମିତି ଅନେକ ପ୍ରଶ୍ନର ବୁଢିଆଣୀ ଜାଲରେ ଛନ୍ଦି ହୋଇ ବାପି ଭାଇକୁ ଅପେକ୍ଷା କରିଛି ଭଉଣୀଙ୍କ ଆଖିର ଲୁହ...