କନକ ବ୍ୟୁରୋ : ନକଲି ଠକ ଡାକ୍ତର ରମେଶ ସ୍ୱାଇଁଙ୍କ ୧୮ ପତ୍ନୀ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ମହିଳାଙ୍କୁ ଠକେଇ ପଛରେ ରହିଛି ଜଣେ ମହିଳାଙ୍କ ସଂପୃକ୍ତି । ସେହି ସଂପୃକ୍ତ ମହିଳା ଜଣଙ୍କ ରମେଶ ଭଉଣୀ ବୋଲି ଜଣାପଡିଛି । ତାଙ୍କ ନାଁ ରଶ୍ମିତା ବେହେରା ବୋଲି ଜଣାପଡିଛି । ତାଙ୍କୁ ଏକ ଅଜଣା ସ୍ଥାନରେ ରଖି ଉଚରାଉଚରା କରାଯାଉଛି । କେନ୍ଦ୍ରାପଡାରେ ରେଡ ପରେ ଏହି ମହିଳାଙ୍କୁ ଭୁବନେଶ୍ୱର ଉଠାଇ ଆଣିଛି ପୁଲିସ । ରମେଶଙ୍କ ଠକ ବିବାହ ପଛରେ ରମେଶଙ୍କ ପରିବାରର ହାତ ଥିବା ତଦନ୍ତ ବେଳେ ଜଣାପଡିଛି । ରମେଶ ବାହାହେବା ଷଡଯନ୍ତ୍ରରେ ପୁରା ପରିବାର ସହାୟତା କରୁଥିଲେ । ମହିଳାଙ୍କ ବାବଦରେ ପୁଲିସ ଖୋଳତାଡ କରୁଥିବାବେଳେ ପରିବାରର ଅନ୍ୟ ସଦସ୍ୟ ଫେରାର ଅଛନ୍ତି ।

Advertisment

ଏଣେ ରଙ୍ଗିଲା ରମେଶ ବିରୋଧରେ ଅଭିଯୋଗ ତାଲିକା ଲମ୍ବିବାରେ ଲାଗିଛି । ତା’ ଠକେଇର ଚେର ଓଡ଼ିଶା ସମତେ ୧୨ଟି ରାଜ୍ୟକୁ ଲମ୍ବିଥିବା ଜଣାପଡ଼ିଲାଣି । ପୂର୍ବରୁ ୨ଟି ଠକେଇ ଅଭିଯୋଗ ଆସିଥିବା ବେଳେ ଆଜି ଆଉ ୯ଟି ଅଭିଯୋଗ ତାଲିକାରେ ଯୋଡ଼ି ହୋଇଛି । ନକଲି ଡାକ୍ତର ସାଜିବା, ବିଭିନ୍ନ ଅଞ୍ଚଳରେ କ୍ଲିନିକ୍ ଖୋଲିବା, ଡାକ୍ତର ଓ ନର୍ସଙ୍କୁ ନିଯୁକ୍ତି ଦେବା, ବିଭିନ୍ନ ଉପାୟରେ ଠକେଇ କରିବା ଭଳି ଅଭିଯୋଗମାନ ଆସୁଛି । ମାଟ୍ରିକ୍ ଫେଲ୍ ହୋଇ ମଧ୍ୟ ନକଲି ଡାକ୍ତର ବେଶରେ ଉଚ୍ଚଶିକ୍ଷିତା ଓ ସମ୍ଭ୍ରାନ୍ତ ମହିଳାଙ୍କୁ ଫସାଇ ବିବାହ କରିବା କେଳେଙ୍କାରିରେ ରମେଶ ସହ ଆଉ କିଛି ସାମିଲ୍ ଥିବା ସନ୍ଦେହ କରାଯାଉଛି ।