ଭାଇ ହାତରେ ରାକ୍ଷୀ ବାନ୍ଧି ପାରିଲାନି ଭଉଣୀ । ଅଧା ରହିଗଲା ରାକ୍ଷୀ ପୂର୍ଣ୍ଣିମା । ନଦୀରେ ଗାଧୋଇବା ବେଳେ ବୁଡିଗଲା ଭଉଣୀ ।

494

କନକ ବ୍ୟୁରୋ: ରାକ୍ଷୀ ପୂର୍ଣ୍ଣିମାରେ ରାଇରଙ୍ଗପୁରରେ ଅଘଟଣ। ଭାଇକୁ ରାକ୍ଷୀ ବାନ୍ଧି ପାରିଲା ନାହିଁ ଭଉଣୀ,ଅଧୁରା ରହିଲା ସ୍ୱପ୍ନ,ଭାଇ ସହ ଗାଧେଇବାକୁ ଯାଇ ବୁଡିଗଲା ଭଉଣୀ । ଖଡଖାଇ ନଦୀରେ ଅକାଳରେ ଚାଲିଗଲା ଜୀବନ । କରୋନା କଟକଣା ଯୋଗୁଁ ବହୁ ପର୍ବ ପର୍ବାଣୀ ପାଳି ନଥିଲେ ସମସ୍ତେ । ତେବେ କରୋନା କଟକଣା ପରେ ପ୍ରଥମଥର ପାଇଁ ଗହ୍ମା ପୂର୍ଣ୍ଣିମା ପାଳନ କରିଥାନ୍ତେ,କିନ୍ତୁ ଘଟିଲା ଅଘଟଣ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅର୍ନ୍ତଗତ କୁଡୁମଦା ଗ୍ରାମରେ । ରାକ୍ଷୀ ପୂର୍ଣ୍ଣିମା ଅବସରରେ ମାଆ ମାୟାବତୀ ଟୁଡୁ ନିଜ ପୁଅ ଝିଅଙ୍କୁ ନେଇ ଖଡଖାଇ ନଦୀକୁ ଗାଧେଇବାକୁ ଯାଇଥିଲେ । ମାଆ ଗାଧେଇସାରି ଘରକୁ  ଫେରିଥିବା ବେଳେ ଭଉଣୀ ସାଉଁରୀ ଟୁଡୁ ଓ ଭାଇ ଚିତ୍ତରଞ୍ଜନ ଟୁଡୁ ନଦୀରେ ଗାଧୋଉଥିଲେ ।

ମାଆ ଘରକୁ ପହଂଚିବା ପରେ ସାଉଁରୀ ନଦୀରେ ଖସି ପଡି ନିଖୋଜ ହୋଇଯାଇଥିବା ଖବର ପାଇ ନଦୀକୁ ଦୌଡି ଯାଇଥିଲେ । ତେବେ ସେଠାରେ ଲୋକେ ସାଉଁରୀକୁ ମୃତ ଅବସ୍ଥାରେ ଉଦ୍ଧାର କରି ନଦୀ କୂଳରେ ରଖିଥିବା ଦେଖିବାକୁ ପାଇଥିଲେ ।

ଭାଇ ଭଉଣୀ ନଦୀରେ ଗାଧୋଉଥିବା ବେଳେ  ଭଉଣୀ ସାଉଁରୀର ଗୋଡ ଖସି ଯିବାରୁ ନଦୀ ଗର୍ଭରେ ବୁଡି ଯାଇଥିଲେ । ନାବାଳିକା ଭଉଣୀଙ୍କୁ ଭାଇ ବଞ୍ଚାଇବାକୁ ଚେଷ୍ଟା କରି ମଧ୍ୟ ବଞ୍ଚାଇ ନପାରି କାନ୍ଦି କାନ୍ଦି ଗ୍ରାମବାସୀଙ୍କୁ  ଡାକିଥିଲା । ଗ୍ରାମବାସୀ ନାବାଳିକାଙ୍କୁ ନଦୀରୁ ଭାସମାନ ଅବସ୍ଥାରେ ଉଦ୍ଧାର କରିଥିଲେ । ନାବାଳିକା ଭଉଣୀ ଗାଧୋଇ ସାରି ଭାଇକୁ ରାକ୍ଷୀ ବାନ୍ଧିବ ବୋଲି ଖୁସିଖୁସିରେ ଭାଇ ସହ ନଦୀକୁ ଗାଧେଇବାକୁ ଯାଇଥିଲା । ହେଲେ ବିଧିର ବିଧାନ ଅଲଗା ଥିଲା,ଭାଇକୁ ରାକ୍ଷୀ ବାନ୍ଧିବା ପୂର୍ବରୁ ଭଉଣୀ ଭାଇକୁ ଛାଡି ଚାଲିଗଲା ଆରପାରିକୁ । ସାଉଁରୀ ଟୁଡୁର ମୃତ୍ୟୁ ଖବର ପାଇ ଗାଁରେ ଶୋକର ଛାୟା ଖେଳିଯାଇଛି ।