କନକ ବ୍ୟୁରୋ: ରାକ୍ଷୀ ପୂର୍ଣ୍ଣିମାରେ ରାଇରଙ୍ଗପୁରରେ ଅଘଟଣ। ଭାଇକୁ ରାକ୍ଷୀ ବାନ୍ଧି ପାରିଲା ନାହିଁ ଭଉଣୀ,ଅଧୁରା ରହିଲା ସ୍ୱପ୍ନ,ଭାଇ ସହ ଗାଧେଇବାକୁ ଯାଇ ବୁଡିଗଲା ଭଉଣୀ । ଖଡଖାଇ ନଦୀରେ ଅକାଳରେ ଚାଲିଗଲା ଜୀବନ । କରୋନା କଟକଣା ଯୋଗୁଁ ବହୁ ପର୍ବ ପର୍ବାଣୀ ପାଳି ନଥିଲେ ସମସ୍ତେ । ତେବେ କରୋନା କଟକଣା ପରେ ପ୍ରଥମଥର ପାଇଁ ଗହ୍ମା ପୂର୍ଣ୍ଣିମା ପାଳନ କରିଥାନ୍ତେ,କିନ୍ତୁ ଘଟିଲା ଅଘଟଣ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅର୍ନ୍ତଗତ କୁଡୁମଦା ଗ୍ରାମରେ । ରାକ୍ଷୀ ପୂର୍ଣ୍ଣିମା ଅବସରରେ ମାଆ ମାୟାବତୀ ଟୁଡୁ ନିଜ ପୁଅ ଝିଅଙ୍କୁ ନେଇ ଖଡଖାଇ ନଦୀକୁ ଗାଧେଇବାକୁ ଯାଇଥିଲେ । ମାଆ ଗାଧେଇସାରି ଘରକୁ ଫେରିଥିବା ବେଳେ ଭଉଣୀ ସାଉଁରୀ ଟୁଡୁ ଓ ଭାଇ ଚିତ୍ତରଞ୍ଜନ ଟୁଡୁ ନଦୀରେ ଗାଧୋଉଥିଲେ ।
ମାଆ ଘରକୁ ପହଂଚିବା ପରେ ସାଉଁରୀ ନଦୀରେ ଖସି ପଡି ନିଖୋଜ ହୋଇଯାଇଥିବା ଖବର ପାଇ ନଦୀକୁ ଦୌଡି ଯାଇଥିଲେ । ତେବେ ସେଠାରେ ଲୋକେ ସାଉଁରୀକୁ ମୃତ ଅବସ୍ଥାରେ ଉଦ୍ଧାର କରି ନଦୀ କୂଳରେ ରଖିଥିବା ଦେଖିବାକୁ ପାଇଥିଲେ ।
ଭାଇ ଭଉଣୀ ନଦୀରେ ଗାଧୋଉଥିବା ବେଳେ ଭଉଣୀ ସାଉଁରୀର ଗୋଡ ଖସି ଯିବାରୁ ନଦୀ ଗର୍ଭରେ ବୁଡି ଯାଇଥିଲେ । ନାବାଳିକା ଭଉଣୀଙ୍କୁ ଭାଇ ବଞ୍ଚାଇବାକୁ ଚେଷ୍ଟା କରି ମଧ୍ୟ ବଞ୍ଚାଇ ନପାରି କାନ୍ଦି କାନ୍ଦି ଗ୍ରାମବାସୀଙ୍କୁ ଡାକିଥିଲା । ଗ୍ରାମବାସୀ ନାବାଳିକାଙ୍କୁ ନଦୀରୁ ଭାସମାନ ଅବସ୍ଥାରେ ଉଦ୍ଧାର କରିଥିଲେ । ନାବାଳିକା ଭଉଣୀ ଗାଧୋଇ ସାରି ଭାଇକୁ ରାକ୍ଷୀ ବାନ୍ଧିବ ବୋଲି ଖୁସିଖୁସିରେ ଭାଇ ସହ ନଦୀକୁ ଗାଧେଇବାକୁ ଯାଇଥିଲା । ହେଲେ ବିଧିର ବିଧାନ ଅଲଗା ଥିଲା,ଭାଇକୁ ରାକ୍ଷୀ ବାନ୍ଧିବା ପୂର୍ବରୁ ଭଉଣୀ ଭାଇକୁ ଛାଡି ଚାଲିଗଲା ଆରପାରିକୁ । ସାଉଁରୀ ଟୁଡୁର ମୃତ୍ୟୁ ଖବର ପାଇ ଗାଁରେ ଶୋକର ଛାୟା ଖେଳିଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/water-death-drowning-person-wallpaper.jpg)