କନକ ବ୍ୟୁରୋ : ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୫ଦିନିଆ ରିମାଣ୍ଡରେ ନେଲା ସିବିଆଇ । ମାର୍ଚ୍ଚ ୪ ପର୍ଯ୍ୟନ୍ତ ରିମାଣ୍ଡରେ ନେଇ ଜେରା କରିବ ସିବିଆଇ । ମଦ ନୀତି ଦୁର୍ନୀତି ମାମଲାକୁ ନେଇ ସିିବିଆଇ ସିସୋଦିଆଙ୍କୁ ରିମାଣ୍ଡରେ ନେଇ ଜେରା କରିବାକୁ ଆବେଦନ କରିଥିଲା । ଏନେଇ ସୋମବାର ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟ ଶୁଣାଣି କରିଥିଲେ । ରବିବାର ସଂଧ୍ୟାରେ ଜେରା ପରେ ଦିଲ୍ଲା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ ।

Advertisment

ଅବକାରୀ ନୀତି ମାମଲାରେ ଅଧିକ ଜେରା ପାଇଁ ହାଜର ହୋଇଥିଲେ ମନୀଷ ସିସୋଦିଆ । ଦୀର୍ଘ ୮ ଘଣ୍ଟାର ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା । ଅବକାରୀ ନୀତି ମାମଲାରେ ଫେବୃଆରୀ ୧୯ ତାରିଖରେ ହାଜର ହେବାକୁ ସିସୋଦିଆଙ୍କୁ ନୋଟିସ୍ କରିଥିଲା ସିବିଆଇ । କିନ୍ତୁ ସିସୋଦିଆ ହାଜର ହେବାକୁ ଏକ ସପ୍ତାହ ଅଧିକ ସମୟ ମାଗିଥିଲେ । ସିବିଆଇ ମଧ୍ୟ ତାଙ୍କୁ ଏଥିପାଇଁ ଅନୁମତି ଦେଇଥିଲା ।

ଗତ ବର୍ଷ ଦିଲ୍ଲୀ ନୂଆ ଅବକାରୀ ନୀତି ମାମଲାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲୀ ଉପରାଜ୍ୟପାଳ । ଘଟଣାକୁ ନେଇ ଆମ ଆଦମୀ ପାର୍ଟି ପ୍ରତିକ୍ରିୟା ଦେଇଛି । ରାଜନୈତିକ ଚାପ ପାଇଁ ସିସୋଦିଅ।।ଙ୍କୁ ଗିରଫ କରିଛି ସିବିଆଇ । ସେପଟେ କଂଗ୍ରେସ କହିଛି ସରକାରୀ ତଦନ୍ତକାରୀ ସଂସ୍ଥାର ଦୁରୁପଯୋଗ କରୁୁଛି ବିଜେପି । ଏବେ ନଜର ପକାନ୍ତୁ ସିସୋଦିଆଙ୍କୁ କ’ଣ ପ୍ରଶ୍ନ କରିଥାଇପାରେ ସିବିଆଇ ।

ସିସୋଦିଆଙ୍କୁ କ’ଣ ପଚାରିଲା ସିବିଆଇ ?

- ଡ୍ୟାନିକ୍ସ ଅଫିସର ସି ଅରବିନ୍ଦଙ୍କୁ ଅରବିନ୍ଦ କେଜ୍ରିୱାଲ ଡାକିଥିଲେ କି ?
- ତାଙ୍କୁ ‘ଚିଠା ଜିଓଏମ୍’ ହସ୍ତାନ୍ତର କରିଥିଲେ କି ?
- ଘରୋଇ ସଂସ୍ଥାକୁ ପାଇକାରୀ ବ୍ୟବସାୟ ଦେବା ପାଇଁ ଜିଓଏମ୍ ବୈଠକରେ ଆଲୋଚନା ହୋଇଥିଲା କି ?
- ଘରୋଇ ସଂସ୍ଥା ଗୁଡ଼ିକ ପାଇଁ ୧୨ ପ୍ରତିଶତ ମାର୍ଜିନ ରହିବ ବୋଲି ଆଲୋଚନା ହୋଇଥିଲା କି ?
- ୧୨ ପ୍ରତିଶତ ମାର୍ଜିନ୍ରୁ ଅଭିଯୋଗ ହେଉଥିବା ୬ ପ୍ରତିଶତ କିକ୍ବ୍ୟାକ୍ କେଉଁଠି ଖର୍ଚ୍ଚ ହୋଇଛି ?
- କିକ୍ବ୍ୟାକ୍ ଆକାରରେ ମୋଟ୍ କେତେ ଟଙ୍କା ଆଦାୟ କରାଯାଇଛି ?
- ବ୍ୟବସାୟୀ ଅମିତ ଅରୋଡା, ଦିନେଶ ଅରୋଡା ଓ ଅର୍ଜୁନ୍ ପାଣ୍ଡେଙ୍କ ସହ ସମ୍ପର୍କ କ’ଣ ?
- ଅବକାରୀ ନୀତି ପ୍ରଣୟନ ଲାଗି ଅବକାରୀ କମିସନର ଓ ଅନ୍ୟ ଦୁଇଜଣ ଅବକାରୀ ଅଧିକାରୀଙ୍କ ସହ କ’ଣ କଥାବାର୍ତ୍ତା ହୋଇଥିଲା ?
- ଆପଣ ଏକାଧିକ ଫୋନ୍ ବ୍ୟବହାର କରନ୍ତି କି, ଯେଉଁଗୁଡ଼ିକ ମଧ୍ୟରୁ ଅଧିକାଂଶ ଅନ୍ୟ ଲୋକଙ୍କ ନାମରେ ରହିଛି ?