ବନ୍ଦ ହେଲା ଶିଶିର ସରସ ମେଳା । ପ୍ରଦର୍ଶନୀ ପଡିଆର ମୁଖ୍ୟ ଦ୍ୱାରରେ ପଡିଲା ତାଲା,  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଡ ନିଷ୍ପତ୍ତି  ନେଲା ବିଏମସି ।

187

କନକ ବ୍ୟୁରୋ :  ରାଜ୍ୟରେ ଓମିକ୍ରନ ସଂକ୍ରମଣ ବ୍ୟାପୁଥିବା ବେଳେ ରାଜ୍ୟ ସରକାର ନୂଆ ଗାଇଡଲାଇନ ଆଣିବା ସହ କଟକଣାକୁ କଡାକଡି କରିଛନ୍ତି । ଖାସକରି ସଂକ୍ରମଣ ବୃଦ୍ଧି ପାଉଥିବା ଜିଲ୍ଲା ଗୁଡିକ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି । ଆଉ ଏସବୁ ଭିତରେ ବିଏମସି ବିଭିନ୍ନ କଟକଣା ଲଗାଇବା ସହ ଓମିକ୍ରନର ମୁକାବିଲା ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛି । ଆଉ ଏହି କ୍ରମରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଭୁବନେଶ୍ୱର ୟୁନିଟ-୩ ସ୍ଥିତ ପ୍ରଦର୍ଶନୀ ପଡିଆରେ ହେଉଥିବା ଶିଶିର ସରସ ମେଳାକୁ ବନ୍ଦ କରାଯାଇଛି ।

ଭୁବନେଶ୍ୱର ସମେତ ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ହେବାରୁ ଲୋକମାନଙ୍କର କିପରି ଗହଳି ନହେବ ତାହାକୁ ଦୃଷ୍ଟିରେ ରଖି ବିଏମସି ଏହି ମେଳାକୁ ବନ୍ଦ କରିଛି। ବିଏମସି ପକ୍ଷରୁ ପ୍ରଦର୍ଶନୀ ପଡ଼ିଆର ମୁଖ୍ୟ ‌ପ୍ରବେଶ ଦ୍ୱାରରେ ବନ୍ଦ ନେଇ ଏକ ପୋଷ୍ଟର ଲଗାଇ ଦିଆଯାଇଛି। ଅଚାନକ ମେଳା ବନ୍ଦ ହୋଇଯିବା ଫଳରେ ଏଠାକୁ ବୁଲି ଆସିଥିବା ଏବଂ ଜିନିଷପତ୍ର କିଣିବାକୁ ଆସିଥିବା ଦର୍ଶକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଆଗରୁ ଏହି ମେଳାକୁ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ଏବେ ସ୍ୱାସ୍ଥ୍ୟଗତ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ବିଏମସି ପକ୍ଷରୁ କୁହାଯାଇଛି ଜ୍ଝ

ସୂଚନାଯୋଗ୍ୟ, ରାଜ୍ୟର ୩୦ ଜିଲ୍ଲା ସମେତ ଦେଶର ପ୍ରାୟ ୨୨ଟି ରାଜ୍ୟର ଗ୍ରାମୀଣ କାରିଗରୀ ଓ କଳାକୌଶଳକୁ ନେଇ ଗତମାସ ୨୮ ତାରିଖ ଠାରୁ ଶିଶିର ସରମ ମେଳା ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ଼ରେ ଏହାର ଉଦଘାଟନ କରିଥିଲେ। ଛତିଶଗଡ଼ର ଟସର, ଆସାମ ଓ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ବେତ ତଥା ବାଉଁଶରୁ ପ୍ରସ୍ତୁତ ସାମଗ୍ରୀ, ପଶ୍ଚିମବଙ୍ଗର ହସ୍ତତନ୍ତ ଓ ଝୋଟ ସାମଗ୍ରୀ, ମଣିପୁରର ଡ୍ରାଏ ଫ୍ଲାୱାର, ଗୁଜରାଟ କାରିଗରଙ୍କ ଘର ସାଜସଜ୍ଜା ଓ ସାଲ୍ ସହ ପଞ୍ଜାବର ଫୁଲକରୀ, ବିହାରର ମଧୁବନି ପେଣ୍ଟିଂ, ଆନ୍ଧ୍ରପ୍ରଦେଶର ହସ୍ତତନ୍ତ ସାମଗ୍ରୀ ସହ ଅନ୍ୟ ରାଜ୍ୟଗୁଡ଼ିକର ମଧ୍ୟ ବିଭିନ୍ନ ଆକର୍ଷଣୀୟ ଘରକରଣା ଜିନିଷ ବିକ୍ରିବଟା ଚାଲିଥିଲା।

ଗ୍ରାମୀଣ କାରିଗରୀ ଓ ସାମଗ୍ରୀର ବିଶାଳ ସମ୍ଭାର ନେଇ ୨ବର୍ଷ ପରେ ଜାତୀୟସ୍ତରୀୟ ପ୍ରଦର୍ଶନୀ ‘ଶିଶିର ସରସ’ ଫେରିଥିଲା। ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି ମେଳା ପରିସର‌ରେ ମୋଟ୍‌ ୩୦୨ଟି ଷ୍ଟଲ୍‌ ପଡ଼ିଥିବା ବେଳେ ଫୁଡ୍‌‌କୋର୍ଟରେ ୧୦ଟି ଖାଦ୍ୟ ଷ୍ଟଲ୍‌ ପର୍ଯ୍ୟଟକଙ୍କୁ ଆକର୍ଷିତ କଥିଲା। ୩୯୨ଜଣ ମହିଳା ସ୍ବୟଂସହାୟିକା ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ଏଥିରେ ଅଂଶଗ୍ରହଣ କରିଥିବା ବେଳେ ୫୦୦ରୁ ଅଧିକ କାରିଗର ତଥା ବିକ୍ରେତା ଏଥିରେ ଅଂଶଗ୍ରହଣ କରିଥିଲେ। ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ଶିଶିର ସରସ ମେଳା ବନ୍ଦ ଫଳରେ ଅନେକ ବ୍ୟବସାୟୀ ନିରାଶ ହୋଇଛନ୍ତି ।