କନକ ବ୍ୟୁରୋ: ଆସନ୍ତା ଜାନୁଆରି ୪ତାରିଖରୁ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଶିଶିର ସରସ ମେଳା ଅନୁଷ୍ଠିତ ହେବ। ସ୍ବୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀଙ୍କୁ ନିଜ ସାମଗ୍ରୀର ବିକ୍ରିବଟା ପାଇଁ ଏହି ମେଳା ଏକ ଭଲ ମାଧ୍ୟମ। ଏଥିରେ ଦେଶର ୨୫ ରାଜ୍ୟ ଅଂଶଗ୍ରହଣ କରୁଥିବା ବେଳେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ୩ଶହରୁ ଅଧିକ ସଂଗଠନ ମେଳାରେ ସ୍ଥାନ ପାଇବ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।
ଓରମାସ ପକ୍ଷରୁ ଏହି ମେଳା ଆୟୋଜିତ ହୋଇଆସୁଛି। ତେବେ ଏଥିରେ ଭାଗ ନେବାକୁ ଥିବା ବ୍ୟବସାୟୀମାନେ ଗ୍ରାହକମାନଙ୍କଠାରୁ ଯେଭଳି ଉଚିତ୍ ଦର ନେବେ ତାହା ଉପରେ କର୍ତ୍ତୃପକ୍ଷଙ୍କ ନଜର ରହିବ। ମେଳା ପରିସରକୁ ପରିଷ୍କାର ରଖିବା, ପ୍ଲାଷ୍ଟିକ୍-ପଲିଥିନ୍ ମୁକ୍ତ କରିବା, ପାନୀୟ ଜଳ ସୁବିଧା, ସୁରକ୍ଷା ଓ ଆଲୋକ ସୁବିଧା ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି। ମେଳାରେ ଉତ୍ତର-ପୂର୍ବ ରାଜ୍ୟର ବାଉଁଶ ଶିଳ୍ପ ସାମଗ୍ରୀ, ଘରସଜ୍ଜା ଫୁଲ ଓ ଫୁଲଦାନୀ, ଶୀତ ପୋଷାକ, ଉତ୍ତର ପ୍ରଦେଶର ହସ୍ତତନ୍ତ, ସିଲ୍କ ଓ ରଟ୍ ଆଇରନ୍ ସାମଗ୍ରୀ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଟସର କପଡ଼ା ଓ ଲୁଗା, ରାଜସ୍ଥାନ, ଗୁଜୁରାଟ ଓ ମହାରାଷ୍ଟ୍ରର ଖାଦ୍ୟ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁର ହସ୍ତତନ୍ତ ଓ ଘରକରଣା ସାମଗ୍ରୀ ଭଳି ଅନ୍ୟ ରାଜ୍ୟର ସାମଗ୍ରୀ ମଧ୍ୟ ଉପଲବ୍ଧ ହେବ।
ଏହି ମେଳାରେ ପ୍ରଥମ ଥର ଲାଗି ସ୍ବୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଟୀମାନଙ୍କ ଉତ୍ପାଦଗୁଡ଼ିକର ଉଦ୍ୟୋଗ ଆଧାର ଓ ଏହାର ପଞ୍ଜୀକରଣ ପାଇଁ ବ୍ୟବସ୍ଥା କରାଯାଇଛି। ଚଳିତବର୍ଷ ମେଳାରେ ୧୨ଟି ଷ୍ଟଲକୁ ନେଇ ଫୁଡ୍ କୋର୍ଟ ଖୋଲାଯିବ। ଏଥିରେ ଓଡ଼ିଶା ସମେତ ବିହାର, ଗୁଜୁରାଟ, ମହାରାଷ୍ଟ୍ର, ତେଲେଙ୍ଗାନା, ଛତିଶଗଡ଼, ଝାଡ଼ଖଣ୍ଡ, ହରିୟାନା ଓ କେରଳର ଖାଦ୍ୟ ସାମଗ୍ରୀ ମିଳିବ।
ସେହିପରି ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରଚଳିତ ପୋଷାକ ଓ ହସ୍ତଶିଳ୍ପ ସାମଗ୍ରୀ ନେଇ ଏକ ଫ୍ୟାସନ ସୋ’ ଆୟୋଜିତ ହେବ। ପ୍ରତି ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଏହି ମେଳାରେ ଓରମାସର ସହଯୋଗୀ ସଂସ୍ଥାଭାବେ ମିସନ ଶକ୍ତି, ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ, ହସ୍ତଶିଳ୍ପ ଓ ଲଘୁ ଉଦ୍ୟୋଗ ନିର୍ଦେଶାଳୟ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ସାମିଲ ହେଉଥିବା ଶ୍ରୀ ଜେନା ସୂଚନା ଦେଇଥିଲେ।