ଦୁଷ୍କର୍ମ ଅପରାଧୀ ରାମ ରହିମ ଚଳିତ ବର୍ଷ ତୃତୀୟ ଥର ପାଇଁ ଜେଲରୁ ବାହାରିଲେ । ୨୧ ଦିନିଆ ପାରୋଲ ଅନୁମତି ଦେଲେ ହରିଆଣା ସରକାର

162

କନକ ବ୍ୟୁରୋ : ଦୁଷ୍କର୍ମ ଓ ହତ୍ୟା ଅପରାଧରେ ହରିଆଣାର ରୋହତକ ଜେଲରେ ସଜା କାଟୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମକୁ ପୁଣିଥରେ ଜେଲରୁ ବାହାରିଛନ୍ତି । ଗୋଟିଏ ଦିନ ପୂର୍ବରୁ ହରିଆଣା ସରକାର ରାମ୍ ରହିମଙ୍କ ୨୧ ଦିନିଆ ପାରୋଲକୁ ଅନୁମତି ଦେଇଥିଲେ । ଆଜି ସେ ଜେଲରୁ ବାହାରୁଛନ୍ତି । ଚଳିତ ବର୍ଷ ତୃତୀୟ ଥର ପାଇଁ ହରିଆଣା ସରକାର ରାମ୍ ରହିମଙ୍କ ପାରୋଲକୁ ଅନୁମତି ଦେଇଛନ୍ତି ।

ସୋମବାର ସନ୍ଧ୍ୟାରେ ହରିଆଣା ସରକାର ରାମ ରହିମର ପାରୋଲକୁ ଅନୁମତି ଦେବା ପରେ ଜେଲ ତରଫରୁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏବେ ସେ ଜେଲରୁ ଆସି ଉତ୍ତର ପ୍ରଦେଶର ବାଗପତ ଆଶ୍ରମରେ ରହିବେ । ଏପର୍ଯ୍ୟନ୍ତ ସେ ମୋଟ ୭ ଥର ଜେଲରୁ ବାହାରକୁ ଆସିସାରିଲେଣି ।

କହିରଖୁ କି ସଜା କାଟୁଥିବା କୌଣସି ଅପରାଧୀକୁ ପାରୋଲ ଦେବା ରାଜ୍ୟ ସରକାରଙ୍କ ଅଧିକାର ଅଟେ । ଏହା ଜେଲରେ ଅପରାଧୀର ଭଲ ବ୍ୟବହାର ଅଧାରରେ ପ୍ରଦାନ କରାଯାଇଥାଏ । ୨୦୧୭ ରେ ଦଣ୍ଡିତ ହୋଇ ଜେଲ ଯିବା ପରେ ଏପର୍ଯ୍ୟନ୍ତ ରାମ୍ ରହିମକୁ ୭ ଥର ଜେଲରୁ ପାରୋଲ ମିଳିଛି । ରାମ୍ ରହିମ ନିଜର ଦୁଇଜଣ ଶିଷ୍ୟଙ୍କ ସହ ଦୁଷ୍କର୍ମ କରିବା ଅପରାଧରେ ୨୦ ବର୍ଷ ଜେଲଦଣ୍ଡ ଓ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି ।