୩ କୃଷି ଆଇନକୁ ପୂରିଲା ୧ ବର୍ଷ । କଳା ଦିବସ ପାଳିଲା ସିରୋମଣି ଅକାଳି ଦଳ  

75

କନକ ବ୍ୟୁରୋ: କେନ୍ଦ୍ର କୃଷି ଆଇନକୁ ବିରୋଧ କରି ପୁଣି ତେଜିଲା ଚାଷି ଆନ୍ଦୋଳନ । ଏନେଇ ଶୁକ୍ରବାରକୁ ବ୍ଲାକ୍ ଫ୍ରାଇଡେ ଘୋଷଣା କରିବା ସହ ଦିଲ୍ଲୀରେ  ଶତାଧିତ ଚାଷିଙ୍କୁ ନେଇ ସିରୋମଣି ଅକାଳି ଦଳ ବିରୋଧ ପ୍ରର୍ଦଶନ କରିଛି । କୃଷି ଆଇନ ପ୍ରଣୟନକୁ ୧ ବର୍ଷ ପୁରଣ ହୋଇଥିବାରୁ ଏହାକୁ ବ୍ଲାକ୍ ଫ୍ରାଇଡେ ଭାବେ ପାଳନ କରୁଛି ସିରୋମଣି ଅକାଳି ଦଳ ।

ହରିଆଣା କର୍ନେଲ୍ ଚାଷି ଆନ୍ଦୋଳନର କିଛି ଦିନ ପରେ ଏବେ ପୁଣିଥରେ ଦେଖିବାକୁ ମିଳିଛି ଚାଷି ଆନ୍ଦୋଳନ । କେନ୍ଦ୍ର କୃଷି ଆଇନକୁ ବିରୋଧ କରି ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷି । କୃଷି ଆଇନ ପ୍ରଣୟନକୁ ୧ ବର୍ଷ ପୁରଣ ହୋଇଥିବାରୁ ଏହାକୁ ବ୍ଲାକ୍ ଫ୍ରାଇଡେ ଭାବେ ପାଳନ କରୁଛି ସିରୋମଣି ଅକାଳି ଦଳ । ଦିଲ୍ଲୀରେ ସିରୋମଣି ଅକାଳି ଦଳ ସହ ଶତାଧିକ ଚାଷି ମିଶି ଆନ୍ଦୋଳନ କରିଛନ୍ତି । ଫଳରେ ଦିଲ୍ଲୀର ଅନେକ ରୋଡରେ ବଡ ଧରଣର ଟ୍ରାଫିକ ଜାମ ହେବାର ଦୃଶ୍ୟ ଦେଖିବାକୁ ମିଳିଛି । ଦିଲ୍ଲୀ, ପଂଜାବ, ହରିଆଣାରେ ଚାଷୀମାନେ ପ୍ରତିବାଦ କରିଛନ୍ତି ।

ସେପଟେ ବ୍ଲାକ୍ ଫ୍ରାଇଡେକୁ ନଜରରେ ରଖି ଦିଲ୍ଲୀ ସରକାର ପକ୍ଷରୁ ଧାରା ୧୪୪ ଲାଗୁ ହୋଇଥିଲା । ଆଉ ଏହାର ଉଲଙ୍ଘନ କରିଥିବାରୁ ଅକାଳି ଦଳର ନେତା ସୁଖବୀର ସିଂ ବାଦଲ ଓ ଲୋକସଭା ସାଂସଦ ହରସିମରତ କୌରଙ୍କ ସମେତ ୧୫ ଜଣଙ୍କୁ ପୋଲିସ ଅଟକ ରଖିଛି । ସାଂସଦ ହରସିମ୍ରତ କୌର କହିଛନ୍ତି, ଆମେ ଶାନ୍ତିପୁର୍ଣ୍ଣ ଭାବେ ଆନ୍ଦୋଳନ କରୁଥିଲୁ କିନ୍ତୁ ପୋଲିସ ଆମକୁ ବଳ ପୁର୍ବକ ଅଟକାଇଛି । ସେହିପରି ଏହା ଅଗଣତାନ୍ତ୍ରୀକ ଓ ନିନ୍ଦନୀୟ ବୋଲି ସେ କହିଛନ୍ତି ।

ଦିଲ୍ଲୀ ଓ ପଂଜାବର ବିଭିନ୍ନ ଗୁରୁଦ୍ୱାରାରେ ଚାଷୀ ନେତାମାନେ ଏକାଠି ହୋଇ ଶାନ୍ତିପୂର୍ଣ୍ଣ ଭାବେ କେନ୍ଦ୍ର କୃଷି ଆଇନ୍କୁ ବିରୋଧ କରିଛନ୍ତି । ଯେଉଁପର୍ଯ୍ୟନ୍ତ କୃଷି ଆଇନ୍କୁ ହଟା ନାଯାଏ, ସେପର୍ଯ୍ୟନ୍ତ ସେମାନଙ୍କ ପ୍ରତିବାଦ ଜାରି ରହିବ ବୋଲି ଚାଷୀମାନେ ଅଡି ବସିଛନ୍ତି ।