ଆମେରିକାର ନ୍ୟୁ ମେକ୍ସିକୋ ମହାକାଶକୁ ଯାତ୍ରା କରି ୯୦ ମିନିଟରେ ଫେରିଆସିଲେ ଭାରତୀୟ ବଂଶୋଦ୍ଭବ ସିରିଶା ବାନ୍ଦଲା : ବ୍ରିଟେନର ବିଶିଷ୍ଟ ଉଦ୍ୟାଗୀ ରିଚାର୍ଡ ବ୍ରାନସନ ଓ ଅନ୍ୟ ୪ଜଣଙ୍କ ସହ ୟୁନିଟ ୨୨ ମହାକାଶ ଯାନରେ କରିଥିଲେ ଉଡାଣ

183

କନକ ବ୍ୟୁରୋ : ଭାରତ ଜନ୍ମିତ ମହିଳା ସିରିଶା ବାନ୍ଦଲା ଆଜି ଆମେରିକାର ନ୍ୟୁ ମେକ୍ସିକୋରୁ ମହାକାଶକୁ ସଫଳତାର ସହ ଯାତ୍ରା କରି ୯୦ ମିନିଟ୍‌ରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବ୍ରିଟେନର ବିଶିଷ୍ଟ ଉଦ୍ୟୋଗୀ ତଥା ଭର୍ଜିନ ଗାଲାକ୍ଟିକ୍‌ର ମୁଖ୍ୟ ରିଚାର୍ଡ ବ୍ରାନସନ୍ ଓ ଅନ୍ୟ ୪ ଜଣଙ୍କ ସହିତ ସେ ଅନ୍ତରୀକ୍ଷ ଅଭି‌ମୁଖେ ରବିବାର ରୋମାଞ୍ଚକର ଯାତ୍ରା କରିଥିଲେ। କମ୍ପାନିର ୟୁନିଟି ୨୨ ମହାକାଶ ଯାନରେ ସେମାନେ ଉଡ଼ାଣ କରିଥିଲେ । କଳ୍ପନା ଚାୱଲା ଏବଂ ସୁନିତା ୱିଲିୟମ୍‌ସଙ୍କ ପରେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରେ ଜନ୍ମିତ ସିରିଶା ତୃତୀୟ ଭାରତୀୟ ବଂଶୋଦ୍ଭବ ମହିଳାଭାବେ ମହାକାଶକୁ ଯାଇଛନ୍ତି ।

ଭାରତୀୟ ସମୟ ସଂଧ୍ୟା ୬ଟା ୩୦ରେ ମହାକାଶ ଯାନର ଉଡ଼ାଣ ଆରମ୍ଭ ହେବାକୁ ଥିଲା । କିନ୍ତୁ ଖରାପ ପାଗ ଯୋଗୁ ରାତି ପ୍ରାୟ ୮ଟା ବେଳେ ଏହା ଯାଇଥିଲା । ୭୦ ବର୍ଷୀୟ ରିଚାର୍ଡ ନ୍ୟୁ ମେକ୍ସିକୋ ମହାକାଶ କେନ୍ଦ୍ରରେ ଏକ ସାଇକଲ ଚଳାଇ ଆସି ପହଞ୍ଚିଥିଲେ । ଏହି ମହାକାଶ ଯାତ୍ରାରେ ସିରିଶାଙ୍କ ସହିତ ଅନ୍ୟ ଜଣେ ମହିଳା ଯାତ୍ରୀ ମଧ୍ୟ ରହିଥିଲେ। ମହାକାଶକୁ ଯିବାର କିଛି ସମୟ ପୂର୍ବରୁ କମ୍ପାନି ପକ୍ଷରୁ ଏକ ଟ୍ବିଟ୍ କରାଯାଇଥିଲା। ସେଥିରେ ଲେଖାଯାଇଥିଲା ମହାକାଶକୁ ଯାତ୍ରା କରିବାର ଏହା ଏକ ସୁନ୍ଦର ଦିନ ।

ନ୍ୟୁ ମେକ୍ସିକୋ ମହାକାଶ କେନ୍ଦ୍ରରେ ୟୁନିଟି ୨୨ର କ୍ରିଉମାନେ ପହଞ୍ଚି ସାରିଛନ୍ତି । ଏହି ଯାତ୍ରାରେ ମହାକାଶଚାରୀମାନେ ଜିରୋ ଗ୍ରାଭିଟି ବା ମାଧ୍ୟାକର୍ଷଣ ଶକ୍ତି ଶୂନ୍ୟ ଅଞ୍ଚଳର ଅଭିଜ୍ଞତା ନେଇଥିଲେ । ଅର୍ଥାତ୍ ସେମାନେ ନିଜର ଓଜନ ନ ଥିବା ଭଳି ଅନୁଭୂତି ହାସଲ କରିଥିଲେ । ଏହାପରେ ସେମାନେ ପୃଥିବୀକୁ ଫେରିଆସିଥିଲେ । ମହାକାଶକୁ ଧନୀକଙ୍କ ଯାତ୍ରା ରିଚାର୍ଡଙ୍କ ଠାରୁ ଆରମ୍ଭ ହୋଇଛି । ଏହାପରେ ଆସନ୍ତା ୨୦ ତାରିଖରେ ଆମାଜନ କମ୍ପାନି ମୁଖ୍ୟ ଜେଫ ବେ‌ଜୋସ୍ ତାଙ୍କ ମହାକାଶ କମ୍ପାନି ବ୍ଳୁ ଅରିଜିନ୍‌ର ନ୍ୟୁ ସେଫର୍ଡ ଯାନରେ ଅନ୍ତରୀକ୍ଷକୁ ଯାତ୍ରା କରିବେ ।

ଆପୋଲୋ ଯାନ ଚନ୍ଦ୍ରରେ ପହଞ୍ଚିବାର ୫୨ତମ ବର୍ଷ ପୂର୍ତ୍ତି ଆସନ୍ତା ୨୦ ତାରିଖରେ ହେଉଥିବାରୁ ସେ ଏହି ଦିନକୁ ଚୟନ କରିଛନ୍ତି । ରିଚାର୍ଡଙ୍କ ଭର୍ଜିନ ଗାଲାକ୍ଟିକ୍ କମ୍ପାନିରେ ସିରିଶା ସରକାରୀ ବ୍ୟାପାର ଏବଂ ଗବେଷଣା କାର୍ଯ୍ୟର ଉପସଭାପତି ଭାବେ ଦାୟିତ୍ବ ସମ୍ଭାଳୁଛନ୍ତି । ସିରିଶାଙ୍କୁ ୪ ବର୍ଷ ହୋଇଥିବାବେଳେ ତାଙ୍କ ପରିବାର ଆମେରିକା ଯାଇଥିଲେ। ଫଳରେ ମହାକାଶ ବିଜ୍ଞାନୀ ହେବା ପାଇଁ ଥିବା ତାଙ୍କର ପିଲାଦିନର ସ୍ବପ୍ନ ଆଜି ସାକାର ହୋଇଛି ।