ଭାରତୀୟ ଖେଳାଳିଙ୍କୁ ଦର୍ଶକଙ୍କ ଜାତିଆଣ ଆକ୍ଷେପ ପ୍ରସଙ୍ଗ : କଠୋର ଓ ଜରୁରୀ କାର୍ଯ୍ୟାନୁଷ୍ଠାନ ଦାବି କଲେ କୋହଲି; ସଚିନ କହିଲେ ଖେଳ ଏକାଠି ହେବା ଶିଖାଏ, ବିଭେଦ ନୁହେଁ

ସେପଟେ ଭାରତୀୟ ଖେଳାଳିଙ୍କୁ କ୍ଷମା ମାଗିଲା ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ

523

କନକ ବ୍ୟୁରୋ : ସିଡନୀ ଟେଷ୍ଟରେ ଭାରତୀୟ ଖେଳାଳିଙ୍କ ପ୍ରତି ଅଷ୍ଟ୍ରେଲିଆ ଦର୍ଶକଙ୍କ ଜାତିଆଣ ଅକ୍ଷେପ ଘଟଣାରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିରାଟ କୋହଲି । ଜାତିଆଣ ଆକ୍ଷେପକୁ କୌଣସି ଭାବେ ଗ୍ରହଣ କରାଯାଇ ପାରିବ ନାହିଁ । ଏଭଳି ଘଟଣା ପଡ଼ିଆରେ ଦେଖିବା ଅତ୍ୟନ୍ତ ଦୁଃଖଦ ଘଟଣା । ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଜରୁରୀ କାଳୀନ ଭିତିରେ ତଦନ୍ତ ହେବା ଦରକାର । ଏହାସହ ଜାତିଆଣ ଆକ୍ଷେକାରୀଙ୍କ ବିରୋଧରେ କଠୋର ଓ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଦାବି କରିଛନ୍ତି କୋହଲି । କୋହଲି ଏବେ ସିଡନୀ ଟେଷ୍ଟରେ ଖେଳୁନାହାନ୍ତି । ତାଙ୍କ ବଦଳରେ ଅଜିଙ୍କ୍ୟ ରାହାଣେ ଅଧିନାୟକ ପଦ ସମ୍ଭାଳୁଛନ୍ତି ।


ସେପଟେ କ୍ରିକେଟ ଲିଜେଣ୍ଡ ସଚିନ ତେନ୍ଦୁଲକର ମଧ୍ୟ ଜାତିଆଣ ଆକ୍ଷେପ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସଚିନ ଲେଖିଛନ୍ତି ଯେ, କ୍ରୀଡ଼ା ଏକାଠି ହେବା ଶିଖାଇଥାଏ, ବିଭେଦ ନୁହେଁ । କ୍ରିକେଟ କେବେ ହେଲେ ବିଭେଦ ସୃଷ୍ଟି କରେ ନାହିଁ । ବଲ୍ ଓ ବ୍ୟାଟ ଏହାକୁ ଧରିଥିବା ଖେଳାଳିଙ୍କ ଜାତି, ବର୍ଣ୍ଣ, ଧର୍ମ କିମ୍ବା ଜାତୀୟତାକୁ ଦେଖେ ନାହିଁ, ବରଂ ସମ୍ପୃକ୍ତ ଖେଳାଳିଙ୍କ ଦକ୍ଷତାକୁ ପରଖିଥାଏ । ଆଉ ଯେଉଁମାନେ ଏହା ବୁଝିବାକୁ ଅସମର୍ଥ ସେମାନଙ୍କ ପାଇଁ ଖେଳପଡ଼ିଆରେ କୌଣସି ସ୍ଥାନ ନାହିଁ ବୋଲି ସଚିନ କହିଛନ୍ତି ।

ଅନ୍ୟପକ୍ଷରେ ସିଡନୀ ଟେଷ୍ଟରେ ଭାରତୀୟ ଖେଳାଳିଙ୍କ ପ୍ରତି ଅଷ୍ଟ୍ରେଲିଆ ଦର୍ଶକଙ୍କ ଜାତିଆଣ ଆକ୍ଷେପ ପ୍ରସଙ୍ଗରେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଠାରୁ ରିପୋର୍ଟ ମାଗିଥିଲା ଆଇସିସି । ଏହାକୁ ନେଇ ଅଷ୍ଟ୍ରେଲିଆ ବୋର୍ଡ ତଦନ୍ତ କରୁଛି ଓ ଏହି ରିପୋର୍ଟ ଆଇସିସି ମ୍ୟାଚ୍ ରେଫେରିଙ୍କୁ ଦିଆଯିବ । ତେବେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ପକ୍ଷରୁ ଏକ ଆନୁଷ୍ଠାନିକ ବୟାନ ଜାରି କରାଯାଇଛି । ଏଥିରେ ଜାତିଆଣ ଆକ୍ଷେପ ଆଣିଥିବା କିଛି ଦର୍ଶକଙ୍କୁ ପଡ଼ିଆରୁ ବାହାର କରାଯାଇଥିବା କୁହାଯାଇଛି । ଜାତିଆଣ ଆକ୍ଷେପ ପ୍ରସଙ୍ଗ ନେଇ ଭାରତୀୟ ଖେଳାଳିଙ୍କୁ ଭୁଲ ମାଗିଛି ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ।

ଏହାସହ ତୁରନ୍ତ ପ୍ରସଙ୍ଗକୁ ସାମନାକୁ ଆଣିଥିବାରୁ ଭାରତୀୟ ଖେଳାଳିଙ୍କୁ ଧନ୍ୟବାଦ ଦେଇଛି ଅଷ୍ଟ୍ରେଲିଆ ବୋର୍ଡ । ସିଡନୀ ଟେଷ୍ଟର ତୃତୀୟ ଦିନ ଅର୍ଥାତ ଶନିବାର ଖେଳ ସମୟରେ ଭାରତୀୟ ଖେଳାଳିଙ୍କୁ ଷ୍ଟାଡିୟମରେ ଥିବା ଦର୍ଶକ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଥିଲା । ମହମ୍ମଦ ସିରାଜ ଫିଲ୍ଡିଂ କରୁଥିବା ସମୟରେ ଏହାର ଶିକାର ହୋଇଥିଲେ । ଷ୍ଟାଡିୟମରେ ଥିବା ଅଷ୍ଟ୍ରେଲିଆ ଦର୍ଶକ ତାଙ୍କୁ କଳା ଗଧ ଓ ଭାଲୁ ବୋଲି ଆକ୍ଷେପ କରିଥିଲେ । ଏହି ଘଟଣାକୁ ତୁରନ୍ତ କ୍ୟାପଟେନ୍ ରାହାଣେଙ୍କ ନଜରକୁ ଆଣିଥିଲେ ସିରାଜ । ଏହା ପରେ ପରେ ଫିଲ୍ଡ ଅମ୍ପାୟାରଙ୍କୁ ରାହାଣେ ଏନେଇ ଜଣାଇଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ବିଶୃଂଖଳିତ ଦର୍ଶକଙ୍କୁ ସୁରକ୍ଷାକର୍ମୀଙ୍କ ଜରିଆରେ ଗ୍ୟାଲେରୀରୁ ଚିହ୍ନଟ କରି ବାହାର କରି ଦିଆଯାଇଥିଲା । ଏସବୁ ସତ୍ୱେ ଟେଷ୍ଟର ଚତୁର୍ଥ ଦିନ ଅର୍ଥାତ ରବିବାର ମଧ୍ୟ ଭାରତୀୟ ଖେଳାଳିଙ୍କ ପ୍ରତି କିଛି ଅଷ୍ଟ୍ରେଲିଆ ଦର୍ଶକ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି ।