ଏଲଏସିରେ ଗଲୱାନ ଭଳି ସ୍ଥିତି ନ କରିବାକୁ ଭାରତ-ଚୀନ ମଧ୍ୟରେ ସହମତି ସୂଚନା : ସୁତ୍ର ଅନୁସାରେ, ଦୁଇ ପକ୍ଷ ପରଷ୍ପର ଉପରେ ରଖିବେ ନଜର, କୋରକମାଣ୍ଡର ସ୍ତରୀୟ ବୈଠକରେ ନିଷ୍ପତି

412

କନକ ବ୍ୟୁରୋ : ଲଦାଖରେ ଗଲୱାନ ଘାଟି ବିବାଦ ମାମଲା । ଭାରତ ଚୀନ୍ ଗଲୱାନ ଓ ହଟସ୍ପ୍ରିଙ୍ଗ ଅଂଚଳକୁ ଫେରିବାକୁ ସହମତ ହୋଇଥିବା ସୂଚନା ମିଳିଛି । ଏପରି ହେଲେ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ଏବେ ଥଣ୍ଡା ପଡିବାର ବାଟ ଖୋଲିଯିବ । ଦୁଇ ଦେଶର ପ୍ରତିରକ୍ଷା ଅଧିକାରୀ ସ୍ତରୀୟ  ଆଲୋଚନା ପରେ ଏଥିରେ ସମାଧାନର ବାଟ ବାହାର କରିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ଆସିଛି । ଏହି ଆଲୋଚନା ପରେ ପୂର୍ବ ଲଦାଖରେ ଥିବା ଗଲୱନ ଘାଟି ଏବଂ ଗୋଗ୍ରା ହଟସ୍ପ୍ରିଙ୍ଗ୍ ଅଂଚଳରୁ ଦୁଇ ଦେଶ ସେନା ପ୍ରତ୍ୟାହାର କରିନେବାକୁ ସହମତ ହୋଇଥିବା ଜଣାପଡିଛି ।

ଚୁସୁଲ ଠାରେ ଦୁଇ ଦେଶର ପ୍ରତିରକ୍ଷାମଣ୍ଡଳି ଆଲୋଚନାରେ ଭାରତ ପକ୍ଷରୁ ୧୪ କର୍ପସ୍ କମାଣ୍ଡର ଲ୍ୟୁଟନାଂଟ ଜେନେରାଲ ହରିନ୍ଦର ସିଂ ଏବଂ ଦକ୍ଷିଣ ଝିଝାଙ୍ଗ ମିଲିଟାରୀ ମୁଖ୍ୟ ମେଜର ଜେନେରାଲ ଲିଉ ଲିନ୍ ଅଂଶଗ୍ରହଣ କରିଥିଲେ । ୧୨ ଘଂଟାରୁ ୧୪ ଘଂଟା ଧରି ଆଲୋଚନା ହୋଇଥିଲା । ଜୁନ୍ ୬ ତାରିଖ ପରେ ଏହା ଥିଲା ତୃତୀୟ ବୈଠକ । ତେବେ ବିବାଦୀୟ ଲଦାଖ ସୀମା ଅଂଚଳରୁ ଦୁଇ ଦେଶର ସେନା ପ୍ରତ୍ୟାହାର ଏକ ବଡ ଜଟିଳ ପ୍ରକ୍ରିୟା ରହିବ । କାରଣ ଫିଙ୍ଗର ୪ ରୁ ଫିଙ୍ଗର ୮ ମଧ୍ୟରେ ପ୍ରାୟ ୮ କିଲୋମିଟର ଅଂଚଳକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ରହିଛି । ଗତ ଜୁନ୍ ୧୫ ତାରିଖ ରାତିରେ ଚୀନ୍ ସେନାର ବର୍ବର ଆକ୍ରମଣରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହି ଆଲୋଚନା ପରେ ଦୁଇ ଦେଶ ସେନା ପ୍ରତ୍ୟାହାର କରିବେ ।

କିନ୍ତୁ ଆଗାମୀ ୭୨ ଘଂଟା ପାଇଁ ଉଭୟ ସେନା ପରଷ୍ପର ଉପରେ ନଜର ରଖିବେ । ପୂର୍ବ ଲଦାଖର ଗଲୱାନ ଏବଂ ହଟ ସ୍ପ୍ରିଙ୍ଗ୍ ଅଂଚଳର ପାଟ୍ରୋଲିଂ ପଏଂଟ ୧୪, ୧୫ ଏବଂ ୧୭ ଏ ଅଂଚଳରୁ ହିଁ ଦୁଇ ଦେଶ ସେନା ପ୍ରତ୍ୟାହାର କରିବେ । ପର୍ଯ୍ୟାୟ କ୍ରମେ ଦୁଇ ଦେଶର ସୀମା ପ୍ରାୟ ଅଢେଇ କିମିରୁ ୩ କିମି ଯାଏଁ ପଛକୁ ଫେରିବେ ବୋଲି ସହମତ ହୋଇଥିବା ଜଣାପଡିଛି । ଏହି ସୈନ୍ୟ ପ୍ରତ୍ୟାହାର ପରେ ଲାଇନ୍ ଅଫ୍ ଆକଚୁଆଲ୍ କଂଟ୍ରୋଲରୁ ଚୀନ୍ ଏହାର ନିର୍ମାଣ ହଟାଇବା ନେଇ ରାଜି ହୋଇଥିବା ସୂଚନା ମିଳିଛି । ତେବେ ଏହା ଜଟିଳ ପ୍ରକ୍ରିୟା ହୋଇଥିବାରୁ ପ୍ରତିରକ୍ଷା ସହିତ କୁଟନୈତିକ ସ୍ତରୀୟ ଅଧିକ ଦ୍ୱିପାକ୍ଷିକ ଆଲୋଚନା ଆବଶ୍ୟକ ଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।