ବରିଷ୍ଠ ନେତା ଦାମ ରାଉତଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ । ବ୍ରେନ୍ ଡେଡ୍ ନେଇ ସୂଚନା ଦେଲେ ପୁଅ ସମ୍ବିତ ରାଉତରାୟ

189

କନକ ବ୍ୟୁରୋ : ସତୁରୀ-ଅଶୀ ଦଶକରେ ଜନନାୟକ ବିଜୁ ପଟ୍ଟନାୟକଙ୍କ ଡାକରାରେ ଯେଉଁମାନେ ରାଜନୀତିରେ ଯୋଗ ଦେଇଥିଲେ, ସେମାନଙ୍କ ମଧ୍ୟରୁ ଅନ୍ୟତମ ପ୍ରମୁଖ ଚେହେରା ଦାମ ରାଉତ । ଜରୁରୀକାଳୀନ ସ୍ଥିତି ପରେ ପରେ ଅର୍ଥାତ୍ ୧୯୭୭ ମସିହାରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲେ ଦାମ ରାଉତ । ଜନତା ପାର୍ଟି ଟିକେଟରେ ଏରସମା ବିଧାନସଭାରୁ ପ୍ରଥମେ ହୋଇଥିଲେ ନିର୍ବାଚିତ । ୧୯୯୫କୁ ଛାଡିଦେଲେ ଲଗାତର ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏରସମାକୁ ୫ ଥର ପ୍ରତିନିଧିତ୍ୱ କରିଥିବା ବେଳେ ୨ ଥର ଜିତିଛନ୍ତି ପାରାଦୀପ ଆସନରେ ।

୪ଥର ବିଜେଡିରୁ ବିଧାୟକ ହୋଇଛନ୍ତି ଦାମ ରାଉତ । ୨୦୧୮ରେ ବିବାଦୀୟ ସ୍ଥିତିରେ ମନ୍ତ୍ରୀପଦ ହରାଇବା ପରେ ବିଜେଡିରୁ ବହିଷ୍କୃତ ହୋଇଥିଲେ ସେ । ୨୦୧୯ରେ ବିଜେପିରେ ଯୋଗ ଦେଇ ଏରସମା-ବାଲିକୁଦା ଆସନରେ ନିର୍ବାଚନ ଲଢ଼ିଥିଲେ । ତେବେ ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସଙ୍କ ଠାରୁ ନିର୍ବାଚନ ହାରି ଯାଇଥିଲେ ଦାମ ରାଉତ ।

୨୦୧୮ରେ ବିଜେଡିରୁ ବହିଷ୍କୃତ
୨୦୧୯ରେ ବିଜେପିରେ ଯୋଗଦାନ
ଏରସମା-ବାଲିକୁଦା ଆସନରେ ବିଜେପି ଟିକେଟରେ ଲଢ଼ି ହାରି ଯାଇଥିଲେ ଦାମ

୫ ଦଶକରୁ ଦୀର୍ଘ ସମୟ ଧରି ଓଡ଼ିଶା ରାଜନୀତିରେ ବେଶ ସକ୍ରୀୟ ରହି ଆସିଛନ୍ତି ଡାକ୍ତର ଦାମୋଦର ରାଉତ । ଅର୍ଥ ମନ୍ତ୍ରାଳୟକୁ ଛାଡ଼ି ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦରେ ରହି ସେ ସୁଚାରୁ ରୂପେ ଦାୟିତ୍ୱ ତୁଲାଇଛନ୍ତି ।

ଦାମଙ୍କ କ୍ୟାରିୟର
୧୯୭୯ରେ ପ୍ରଥମେ ସମ୍ଭାଳିଥିଲେ ମନ୍ତ୍ରୀ ପଦ
ସୂଚନା ଓ ପ୍ରସାରଣ, ପଞ୍ଚାୟତିରାଜ, ମହିଳା ଓ ଶିଶୁ ବିକାଶ,
ସଂସ୍କୃତି, କୃଷି, ମତ୍ସ୍ୟ ଓ ପଶୁପାଳନ, ସମବାୟ,
ସ୍ୱାସ୍ଥ୍ୟ, ଅବକାରୀ ଭଳି ବଡ଼ ବଡ଼ ବିଭାଗର ମନ୍ତ୍ରୀ ପଦ ସମ୍ଭାଳିଛନ୍ତି

ଜଣେ ଅନୁଭବୀ ରାଜନେତା, କୁଶଳୀ ରଣନୀତିକାର, ସ୍ପଷ୍ଟବାଦୀ ନେତା ଭାବେ ତାଙ୍କର ବେଶ ଖ୍ୟାତି । କୌଣସି ବିବାଦୀୟ ପ୍ରସଙ୍ଗରେ ଯେତେବେଳେ ଅନ୍ୟ ନେତାମାନେ ମୁହଁ ଖୋଲିବାକୁ ସାହସ ଜୁଟାଇ ପାରନ୍ତି ନାହିଁ, ସେତେବେଳେ ଗଣମାଧ୍ୟମ ସାମ୍ନାକୁ ଆସି ସେ ମନ୍ତବ୍ୟ ରଖିଥାନ୍ତି । ଅନେକ ସମୟରେ ତାଙ୍କର ଅକାଟ୍ୟ ଯୁକ୍ତି ଅନ୍ୟମାନଙ୍କୁ ବେଶ ପ୍ରଭାବିତ କରିଥାଏ । ବେଳେ ବେଳେ ବିବାଦୀୟ ମନ୍ତବ୍ୟ ଦେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଥାନ୍ତି ଦାମ ରାଉତ । ଗତ ଜାନୁଆରୀ ମାସରେ ତାଙ୍କ ଉପରୁ ବହିଷ୍କାର ଆଦେଶ ହଟାଇ ଦେଇଥିଲେ ବିଜେଡି ସୁପ୍ରିମୋ । ରାଜ୍ୟ ରାଜନୀତିରେ ଦାମ ରାଉତ ଏକ ବ୍ୟକ୍ତି ନୁହଁନ୍ତି, ସେ ଏକ ଅନୁଷ୍ଠାନ ।