ଭାରତର କରୋନା ସଂକ୍ରମିତ ସଂଖ୍ୟା ୨୨ ଲକ୍ଷ ୬୮ ହଜାରକୁ ବୃଦ୍ଧି : ୨୪ ଘଂଟାରେ ଦେଶରେ ୫୩ ହଜାର ୬୦୧ ନୂଆ ମାମଲା, ୮୭୧ ନୂଆ ମୃତ୍ୟୁ ସହ ମୃତ୍ୟୁସଂଖ୍ୟା ୪୫ ହଜାର ପାର

ଅଧିକ ପ୍ରଭାବିତ ରାଜ୍ୟଗୁଡିକ ସହ ଆଜି ମୋଦି କରିବେ ବୈଠକ

314

କନକ ବ୍ୟୁରୋ :ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ଉପର ମୁହାଁ ହେଉଛି । ଗତ ୨୪ ଘଂଟାରେ ଦେଶରେ ୫୩ ହଜାର ୬୦୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଂଟାରେ ୮୭୧ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଏବେ ୨୨ ଲକ୍ଷ ୬୮ ହଜାର ୬୭୬ରେ ପହଂଚିଛି ମୋଟ ସଂକ୍ରମିତଙ୍କ ସଂଖ୍ୟା । ଅନ୍ୟପଟେ ଗତ ୨୪ ଘଂଟାରେ ୮୭୧ ଜଣଙ୍କ ମୃତ୍ୟୁକୁ ମିଶାଇ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫ ହଜାର ୨୫୭କୁ ଛୁଇଁଛି । ଗତ ୨୪ ଦିନରେ କରୋନା ସଂକ୍ରମଣ ସଂଖ୍ୟା ୧୦ ଲକ୍ଷରୁ ବଢି ୨୨ଲକ୍ଷକୁ ଟପି ଯାଇଛି । ଗଲା ୪ ଦିନ ହେଲା ଲଗାତାର ୬୦ ହଜାର ପାଖାପାଖି ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେବେ ଆଶ୍ୱସ୍ତିର କଥା ଦ୍ରୁତ ବେଗରେ ବହୁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତମାନ ଦେଶରେ ୧୫ ଲକ୍ଷରୁ ଅଧିକ ସୁସ୍ଥ ହୋଇସାରିଲେଣି ।

ଗତ ୨୪ ଘଂଟାରେ ୪୭ ହଜାର ୭୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭାରତରେ ଏବେ ସୁସ୍ଥହାର ହାରାହାରି ୭୦ ପ୍ରତିଶତ ରହିଥିବା ବେଳେ କରୋନା ଜନିତ ମୃତ୍ୟୁ ହାର ୧.୯୯ ପ୍ରତିଶତ ରହିଛି । ଦେଶରେ ଏବେ ୬ ଲକ୍ଷ ୩୯ ହଜାର ୯୨୯ ରହିଛି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ।

ଦେଶରେ ଦ୍ରୁତ କରୋନା ସଂକ୍ରମଣକୁ ନେଇ ଆଜି ସର୍ବାଧିକ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ହେବ । ଏଥିରେ ରାଜ୍ୟରେ ସଂକ୍ରମଣର ସ୍ଥିତି ପଚାରି ବୁଝିବା ସହ ମହାମାରୀର ମୁକାବିଲା ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଚାର ବିମର୍ଶ କରିବେ ମୋଦି । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ ଓ ବିହାରର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ । ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ କରୋନା ସଂକ୍ରମଣକୁ ନେଇ ଆଲୋଚନା କରିଛନ୍ତି ମୋଦି । ହେଲେ ଏବେ ଦେଶରେ ସଂକ୍ରମଣ ସଂଖ୍ୟା ୨୨ଲକ୍ଷ ଟପିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ ହେବାକୁ ଯାଉଛି ।

ଦିଲ୍ଲୀ, ଗୁଜୁରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ଉତର ପ୍ରଦେଶ ହେଉଛି ଦେଶର ସେହି ୮ଟି ରାଜ୍ୟ, ଯେଉଁଠି କରୋନାରେ ୨ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଅରୁଣାଚଳ, ମିଜୋରାମ ଓ ସିକିମ ହେଉଛି ଏପରି ରାଜ୍ୟ ଯେଉଁଠି ୫ରୁ କମ ବ୍ୟକ୍ତିଙ୍କ ଜୀବନ ଯାଇଛି । ଅରୁଣାଚଳରେ ୩ ଜଣ, ସିକିମରେ ଜଣେ ଓ ମିଜୋରାମରେ କରୋନାରେ ଗୋଟିଏ ବି ମୃତ୍ୟୁ ହୋଇନାହିଁ ।