କନକ ବ୍ୟୁରୋ : ଫ୍ୟାନ୍ ମାନେ ସବୁବେଳେ ନିଜ ମନ ପସନ୍ଦର ଷ୍ଟାରଙ୍କୁ ଦେଖିବାକୁ ଚାତକ ଭଳି ଚାହିଁ ରହିଥାନ୍ତି । ନିଜ ପସନ୍ଦର ଷ୍ଟାରଙ୍କୁ ପାଖରେ ଦେଖିବାକୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥାନ୍ତି । ଯାହାଫଳରେ ଘଟଣାସ୍ଥଳରେ ଅଧିକ ଭିଡ଼ ହୋଇଥାଏ । ଯାହାକୁ ନିୟନ୍ତ୍ରଣ କରିବା ଏତେ ସହଜ ହୋଇନଥାଏ । ସେହିଭଳି ଭିଡ଼ ଦେଖିବାକୁ ମିଳିଥିଲା ବଲିଉଡ ସିଙ୍ଗର ସାନଙ୍କ କାର୍ଯ୍ୟକ୍ରମରେ । ସାନଙ୍କ ଲାଇଭ କନର୍ସଟ ଦେଖିବାକୁ ହଜାର ହଜାର ଲୋକ ଏକାଠି ହୋଇଥିଲା । ଯାହାକୁ ନିୟନ୍ତ୍ରଣ କରିବା ପୋଲିସ ପକ୍ଷରେ ସମ୍ଭବ ହୋଇନଥିଲା । କୌଣସି ଅଘଟଣ ହେବା ପୂର୍ବରୁ ପୋଲିସ ଲାଠି ଚାର୍ଜ କରି ଲାଇଭ କନସର୍ଟ ସ୍ଥାନରୁ ଭିଡ଼ ହଟାଇଥିଲା ।

Advertisment

କୋଲକାତାର ଏକ ଲାଇଭ କନସର୍ଟରେ ଯୋଗ ଦେବାକୁ ଯାଇଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି । ଶୀତୁଆ ସନ୍ଧ୍ୟାରେ ସାନଙ୍କ ଗୀତ ଶୁଣିବାକୁ କିଏ ବା ନ ଚାହିଁବ । ଯେଉଁଥିପାଇଁ ସାନଙ୍କ କନସର୍ଟରେ ଆବଶ୍ୟକତା ଠାରୁ ଅଧିକ ଲୋକ ଏକାଠି ହୋଇଥିଲେ । ଆଉ ସାନ୍ ମାତ୍ର ୨ଟି ଗୀତ ବୋଲିବା ପରେ କାର୍ଯ୍ୟକ୍ରମସ୍ଥଳରେ ଲୋକଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଥିଲା । ଏପରିକି କିଛି ଲୋକ ପରସ୍ପରକୁ ମାଡ ମାରିବାକୁ ମଧ୍ୟ ପଛାଇନଥିଲେ । ପରିସ୍ଥିତି ବିଗିଡିବାରୁ ତୁରନ୍ତ ପୋଲିସକୁ ଡକାଯାଇଥିଲା । କିନ୍ତୁ ପୋଲିସ ଆସିବା ପରେ ମଧ୍ୟ ସ୍ଥିତି ନିୟନ୍ତ୍ରଣକୁ ଆସିନଥିଲା । ଫଳରେ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଲା । ଲାଠିଚାର୍ଜ ପରେ କାର୍ଯ୍ୟକ୍ରମସ୍ଥଳ ଶାନ୍ତ ପଡିଥିଲା । ମିଳିଥିବା ଖବର ମୁତାବକ ଏହି ଘଟଣାରେ ୪ ଜଣ ଲୋକ ଆହତ ହୋଇଛନ୍ତି ।

ଏହାପୂର୍ବରୁ ଚଳିତବର୍ଷ ମେ’ ମାସରେ ଲାଇଭ କନସର୍ଟରେ ଗୀତ ଗାଉଥିବା ବେଳେ କଣ୍ଠଶିଳ୍ପୀ କେକେଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିଲା ଓ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ବନ୍ଦ କୋଠରୀ ଭିତରେ କନସର୍ଟ ସହ ଅଧିକ ଲୋକଙ୍କ ଭିଡ କାରଣରୁ କେକେଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିଲା ।