କରୋନାର ଭୟ, ଟାଏଫଏଡ ଆକ୍ରାନ୍ତଙ୍କୁ ମିଳିଲାନି ଚିକିତ୍ସା: ହସ୍ପିଟାଲରୁ ହସ୍ପିଟାଲ ବୁଲିଲେ ପରିବାର; ଚିକିତ୍ସା ଅବହେଳାରୁ କଣ୍ଠଶିଳ୍ପୀ ସଂଜୟ ତନ୍ତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ

227

କନକ ବ୍ୟୁରୋ: ଟାଇଫଏଡରେ ଆକ୍ରାନ୍ତ ସ୍ୱାମୀଙ୍କୁ ଧରି ହସ୍ପିଟାଲର ଚକ୍କର କାଟିଲେ ପରିବାର ଲୋକେ । ହୋଇପାରିଲାନି ଚିକିତ୍ସା, ଶେଷରେ ଜୀବନ ହାରିଲେ ସ୍ୱାମୀ । ମୃତ୍ୟୁବରଣ କରିଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ରାଉରକେଲାର ଜଣାଶୁଣା କଣ୍ଠଶିଳ୍ପୀ ସଂଜୟ ତନ୍ତୀ । ପରିବାର ଲୋକଙ୍କ ଅଭିଯୋଗ ଠିକ୍ ସମୟରେ ଚିକିତ୍ସା ନହେବାରୁ ସଂଜୟଙ୍କ ମୃତ୍ୟୁ ହୋଇଗଲା ।

କାନ୍ଦି କାନ୍ଦି ମା କହୁଛି, ମୋ ପୁଅ ଆଉ ଫେରିବନି । କରୋନା କଟକଣା ସମୟରେ ଏହି ଘଟଣାର ବେଶ ଗୁରୁତ୍ୱ ବଢିଯାଇଛି । ରାଉରକେଲାର ସଂଜୟ ତନ୍ତୀ ଟାଏଫଏଡରେ ଆକ୍ରାନ୍ତ ହେବା ପରେ ଘରେ ଚିକିତ୍ସିତ ହେଉଥିଲେ । ଅଧିକ ଅସୁସ୍ଥତା ବଢିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ ପରିବାର ଲୋକେ । ସେଠାରେ ତାଙ୍କୁ ଭର୍ତି ହେବାର ସୁଯୋଗ ମିଳିନଥିଲା । ପରେ ଦ୍ୱିତୀୟ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ କିଛି ପରୀକ୍ଷା ନିରିକ୍ଷା କରିବା ପରେ କୁହାଯାଇଥିଲା, କୋଭିଡ ପ୍ରମାଣ ପତ୍ର ବିନା ଆଡମିଶନ ହୋଇପାରିବ ନାହିଁ । ପରିବାର ଲୋକେ ତାଙ୍କୁ ଆଣି ତୃତୀୟ ଘରୋଇ ହସ୍ପିଟାଲରେ ଆଂଟିଜେନ ଟେଷ୍ଟ କରାଇଥିଲେ । ନେଗେଟିଭ ରିପୋର୍ଟ ଆସିଥିବା ସତ୍ୱେ ତାଙ୍କୁ ଭର୍ତି କରିନଥିଲେ । ପୁଣି ଥରେ ସେମାନେ କୋଭିଡ ରିପୋର୍ଟ ସହିତ ଦ୍ୱିତୀୟ ହସ୍ପିଟାଲକୁ ଫେରିଥିଲେ । ହେଲେ ତଥାପି ହୋଇପାରିଲାନି ଚିକିତ୍ସା ।

ସରକାରୀ ହସ୍ପିଟାଲ ନେବା ପାଇଁ ଦ୍ୱିତୀୟ ଘରୋଇ ହସ୍ପିଟାଲ କର୍ତୃପକ୍ଷ ପରାମର୍ଶ ଦେଇଥିଲେ । କିନ୍ତୁ ସେତବେଳକୁ ସଂଜୟଙ୍କ ଅବସ୍ଥା ସଂକଟାପର୍ଣ୍ଣ ହୋଇସାରିଥିଲା । ଶେଷରେ ସରକାରୀ ହସ୍ପିଟାଲକୁ ନେବା ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ସଠିକ ସମୟରେ ଘରୋଇ ହସ୍ପିଟାଲରେ ଚିକିତ୍ସା ନ ହେବା କାରଣରୁ ତାଙ୍କର ମୃତ୍ୟୁ ହେଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ କୋଭିଡର ବାହାନା କରି ଘରୋଇ ହସ୍ପିଟାଲ ତାଙ୍କୁ ଭର୍ତି କରୁନଥିଲେ, କୋଭିଡ ରିପୋର୍ଟ ନେଗେଟିଭ ଆସିବା ପରେ ବି କାହିଁକି ଚିକିତ୍ସା କଲେ ନାହିଁ ତାହା ସବୁଠାରୁ ବଡ ପ୍ରଶ୍ନ ହୋଇଛି ।