କନକ ବ୍ୟୁରୋ : ପ୍ରସିଦ୍ଧ ଗାୟକ ହନି ସିଂଙ୍କୁ ହତ୍ୟା ଧମକ ଦେଇଛି ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର । କାନାଡାରୁ ଗୋଲ୍ଡି ବରାର ଏକ ଭଏସ ମେସେଜ ପଠାଇ ହନି ସିଂଙ୍କୁ ଧମକ ଦେଇଛି । ଏନେଇ ହନି ସିଂ ଏବେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ସେହି ଭଏସ ନୋଟକୁ ଯାଂଚ କରୁଛି ।

Advertisment

ଗୋଲ୍ଡି ବରାର ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ମଧ୍ୟ କୁହାଯାଉଛି । ଏବେ ସେ ପଞ୍ଜାବ ଛାଡି କାନାଡାରେ ରହୁଥିବା ଜଣାପଡିଛି । ଏହା ପୂର୍ବରୁ ମଧ୍ୟ ସେ ଅନେକ ଥର ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ଅନେକ ଥର ହତ୍ୟା ଧମକ ଦେଇଥିଲେ । ଚଳିତ ବର୍ଷ ମାର୍ଚ୍ଚ ମାସରେ ସେ ଏକ ଇ-ମେଲ ପଠାଇ ସଲମାନଙ୍କ ହତ୍ୟା ଧମକ ଦେଇଥିଲେ     । ଏହାପରେ ସଲମାନଙ୍କ ଘରର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

ଗୋଲ୍ଡି ବରାର ପୂରା ନାମ ହେଉଛି ସତବିନ୍ଦରଜିତ ସିଂ । ତାଙ୍କ ପରିବାର ପଞ୍ଜାବର ମୁକ୍ତସର ସାହିବା ଠାରେ ରୁହନ୍ତି । ଗୋଲ୍ଡିର ଜନ୍ମ ୧୯୯୪ ରେ ହୋଇଥିଲା । ଗୋଲ୍ଡିକୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୌଇର ସହଯୋଗୀ ବୋଲି କୁହାଯାଏ । ଏବେ ସେ କାନାଡାରେ ରହି ନିଜର ଗ୍ୟାଙ୍ଗ ଚଳାଉଛି । ଗୋଲ୍ଡି ବିରୋଧରେ ହତ୍ୟା, ଦାଦାବଟି ଆଦାୟ ଭଳି ଅନେକ ମାମଲା ରହିଛି । ଏହାସହ ଗୋଲ୍ଡି ବିରୋଧରେ ଜାମିନ ବିହୀନ ଗିରଫ ୱାରେଣ୍ଟ ମଧ୍ୟ ଜାରି କରାଯାଇଛି ।