ସିଙ୍ଗାପୁର ଭାରିଆଂଟକୁ ନେଇ ବଢିଲା ବିବାଦ । ଭାରତୀୟ ହାଇକମିସନଙ୍କୁ ଡାକି ଆପତ୍ତି ଜାହିର କଲା ସିଙ୍ଗାପୁର ।

ବିଦେଶ ମନ୍ତ୍ରୀ କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ମତ, ଭାରତର ମତ ନୁହେଁ

211

କନକ ବ୍ୟୁରୋ: ହିନ୍ଦୀରେ ଏକ ଶବ୍ଦ ଅଛି ‘ବଡ୍ ବୋଲେ’, ଆଉ ଓଡ଼ିଆରେ ଆଗ ଚଲା । ଏହା ବେଳେ ବେଳେ ଲୋକଙ୍କୁ ଅଡୁଆରେ ପକାଇ ଦିଏ । ଏଇ ଯେମିତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସିଙ୍ଗାପୁର ସମ୍ପର୍କରେ କରିଥିବା ଟ୍ୱିଟ୍ ଏବଂ ତାକୁ ନେଇ ସୃଷ୍ଟି ହୋଇଥିବା ବିବାଦ । କେଜ୍ରିୱାଲ ଟୁଇଟ କରି ଲେଖିଥିଲେ- ସିଙ୍ଗାପୁରରେ ଆସିଥିବା କରୋନାର ନୂଆ ରୂପ, ଛୋଟ ପିଲାଙ୍କ ପାଇଁ ଭୟଙ୍କର । ଭାରତରେ ଏହା ତୃତୀୟ ଲହର ଭାବେ ଆସିପାରେ । ତେଣୁ କେନ୍ଦ୍ର ସରକାର, ସିଙ୍ଗାପୁରକୁ ବିମାନସେବା ରଦ୍ଧ କରନ୍ତୁ ଏବଂ ପିଲାଙ୍କ ଟିକାକରଣ ପାଇଁ କାମ କରନ୍ତୁ ।

ଏହି ଟୁଇଟର କେହି ଘଂଟା ପରେ ପ୍ରତିକ୍ରିୟା ରଖିଛି ସିଙ୍ଗାପୁର ପ୍ରଶାସନ । ସ୍ଥିତି ଏଭଳି ହୋଇଯାଇଛି ଯେ, ଭାରତକୁ କେଜ୍ରିୱାଲଙ୍କ ମତ ପାଇଁ ଏକ ପ୍ରକାର ସ୍ପଷ୍ଟୀକରଣ ଦେବାକୁ ପଡ଼ିଛି । ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ୍ ଜୟଶଙ୍କର ଟୁଇଟ୍ କରି ଲେଖିଛନ୍ତି- ଭାରତ ଓ ସିଙ୍ଗାପୁର ମିଳିତ ଭାବେ କୋଭିଡ୍-୧୯ ବିରୋଧରେ ଲଢ଼ୁଛନ୍ତି । ଯେଉଁମାନେ ଦାୟିତ୍ୱହୀନ ମନ୍ତବ୍ୟ ରଖୁଛନ୍ତି, ସେମାନେ ଜାଣି ରଖିବା ଉଚିତ ଯେ, ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଏହା କ୍ଷତି ପହଂଚାଇବ । ଏଠି, ସ୍ପଷ୍ଟ କରି ଦେଉଛି- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାରତ ପାଇଁ କହିପାରିବେ ନାହିଁ । ଅର୍ଥାତ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ମତ, ଭାରତର ମତ ନୁହେଁ ।

କେଜ୍ରିୱାଲଙ୍କ ବୟାନ ପଛରେ ରାଜନୀତି ଅଛି ନା’ ଭାରତର ହିତ ସାଧନ ଅଛି, ସେ କଥା ସେ ହିଁ କରିପାରିବେ । କିନ୍ତୁ ତାଙ୍କ ବୟାନ ଭାରତ ପାଇଁ ଯେତେ ମହଙ୍ଗା ହୋଇଛି, ତାଠୁ ଅଧିକ ଅବରିନ୍ଦ କେଜ୍ରିୱାଲଙ୍କ ପାଇଁ ଅଡୁଆ ପାଲଟିଛି । ସିଙ୍ଗାପୁରର ପୂର୍ବତନ ବିଦେଶମନ୍ତ୍ରୀ ଭିଭିଆନ୍ ବାଲକ୍ରିଷ୍ଣନ୍ ଟୁଇଟ କରି ଲେଖିଛନ୍ତି- ନେତାମାନେ ତଥ୍ୟ ଉପରେ କଥା କୁହନ୍ତୁ । ସିଙ୍ଗାପୁର ଭ୍ୟାରିଆଂଟ ବୋଲି କିଛି ନାହିଁ । ସେହିପରି ମିଳିତ ଭାବେ ଦୁଇ ଦେଶ କରୋନା ସହ ଲଢ଼ିବାକୁ ଆହ୍ୱାନ ଦେଇଛନ୍ତି ।

ସେହିପରି ଭାରତରେ ଥିବା ସିଙ୍ଗାପୁର ଦୂତାବାସ ପକ୍ଷରୁ ମଧ୍ୟ କେଜ୍ରିୱାଲଙ୍କ ମତ ଉପରେ ଟୁଇଟ କରି ଆପତି ଉଠାଇଯାଇଛି । ହେଲେ ଏହି ପୁରା ଘଟଣାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିଶୋଦିଆ କହିଛନ୍ତି- ବିଜେପିକୁ ସିଙ୍ଗାପୁର ଚିନ୍ତା ଥିବା ବେଳେ କେଜ୍ରିୱାଲଙ୍କୁ ଭାରତର ପିଲାଙ୍କ ଚିନ୍ତା ଘାରିଛି ।