ସିଙ୍ଗାପୁର ଷ୍ଟ୍ରେନ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବୟାନ ପରେ ବଢିଲା ବିବାଦ । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଲେ, ଦାୟିତ୍ୱହୀନ ମନ୍ତବ୍ୟ ଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ

327

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଚାଲିଥିବା ବେଳେ ତୃତୀୟ ଲହରକୁ ନେଇ ଆଶଙ୍କା ବଢିବାରେ ଲାଗିଛି । ଏହାରି ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିଙ୍ଗାପୁର ଷ୍ଟ୍ରେନକୁ ନେଇ ଭାରତ ସରକାରଙ୍କୁ ଅବଗତ କରିଥିବା ବେଳେ ଓ ଭାରତ ସରକାର ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି କହିଥିଲେ ।

ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସିଙ୍ଗାପୁର ସରକାର । ସିଙ୍ଗାପୁରର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଏନେଇ ଏକ ପ୍ରେସ ରିଲିଜ କରାଯାଇଛି । ସେହିପରି ଭାରତରେ ସିଙ୍ଗାପୁର ରାଷ୍ଟ୍ରଦୂତ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଟ୍ୱିଟ ଉପରେ ଜବାବ ରଖିଛନ୍ତି । ସେ ଏହାକୁ ରିଟ୍ୱିଟ କରି ଲେଖିଛନ୍ତି, ସିଙ୍ଗାପୁରରେ ଭୂତାଣୁର ନୂଆ ଷ୍ଟ୍ରେନ ମିଳିବା ଘଟଣାରେ କୌଣସି ସତ୍ୟତା ନାହିଁ । ଟେଷ୍ଟିଂରୁ ମିଳିଥିବା ସୂଚନା ଅନୁସାରେ, ସିଙ୍ଗାପୁରରେ ମିଳିଥିବା ବି-ୱାନ-ସିକ୍ସ-ୱାନ-ସେଭେନ-ଟୁ ଷ୍ଟ୍ରେନ, ଏଥିରେ କେତେକ ଶିଶୁ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଏବଂ ଏହି ଷ୍ଟ୍ରେନ ପ୍ରଥମେ ଭାରତରେ ଦେଖାଦେଇଥିଲା ।

ଅରବିନ୍ଦ କେଜ୍ରିୱାଲଙ୍କ ବୟାନକୁ ନେଇ ମତ ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱହୀନ ମନ୍ତବ୍ୟ ଦୁଇ ଦେଶର ସର୍ମ୍ପକକୁ ପ୍ରଭାବିତ କରିପାରେ ବୋଲି କହିଛନ୍ତି । ଏହାସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଇଥିବା ବୟାନ ଭାରତର ବୟାନ ନୁହେଁ ବୋଲି କହିଛନ୍ତି ଏସ ଜୟଶଙ୍କର । ରବିବାର ଦିନ କରୋନା ଭୂତାଣୁର ୩୮ଟି ନୂଆ ମାମଲା ସିଙ୍ଗାପୁରରେ ସାମ୍ନାକୁ ଆସିଥିଲା । ଯାହା ଗତବର୍ଷ ପରେ ସର୍ବାଧିକ । ତେବେ ସଂକ୍ରମିତ ଏହି ୩୮ଜଣଙ୍କ ମଧ୍ୟରେ ୪ଜଣ ଶିଶୁ ଥିବା ଜଣାପଡିଛି । ଏହାପରେ ସୋମବାର ଦିନ ୩୩୩ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହାପରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ସହ ନିୟମ କଡାକଡି କରାଯାଇଛି । ବୁଧବାରରୁ ସିଙ୍ଗାପୁରରେ ସ୍କୁଲ ଓ କଲେଜକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ଘୋଷଣା କରାଯାଇଛି ।