କନକ ବ୍ୟୁରୋ: ମହାରାଷ୍ଟ୍ରର ମଦର ଟେରେସା ଭାବେ ପ୍ରସିଦ୍ଧ ପଦ୍ମଶ୍ରୀ ସିନ୍ଧୁତାଇ ସପକାଲଙ୍କର ମଙ୍ଗଳବାର ରାତିରେ ୭୩ ବର୍ଷରେ ପରଲୋକ ଘଟିଛି । ସିନ୍ଧୁତାଇ ସେପ୍ଟିସିମିୟା ରୋଗରେ ପୀଡିତ ଥିଲେ। ଦେଢ ମାସ ହେଲା ପୁଣେର ଗ୍ୟାଲେକ୍ସି ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା ।

Advertisment

ସିନ୍ଧୁତାଇ ତାଙ୍କ ଜୀବନକୁ ଅନାଥ ପିଲାଙ୍କ ସେବାରେ ଲଗେଇ ଦେଇଥିଲେ । ଅନାଥ ପିଲାଙ୍କୁ ଖାଦ୍ୟ ଯୋଗାଇବା ପାଇଁ ସେ ଟ୍ରେନ୍ ଓ ସଡକରେ ଭିକ ମଧ୍ୟ ମାଗୁଥିଲେ । ପଦ୍ମଶ୍ରୀ ପୁରସ୍କାର ମିଳିବା ପରେ ସିନ୍ଧୁତାଇ କହିଥିଲେ ଏହି ପୁରସ୍କାର ମୋର ସହଯୋଗୀ ଓ ମୋର ପିଲାମାନଙ୍କର ଅଟେ। ସିନ୍ଧୁତାଇ ଏକଦା ମିଡିଆର ବହୁତ ପ୍ରଶଂସା କରିଥିଲେ । ସିନ୍ଧୁତାଇ କହିଥିଲେ, ମିଡିଆର ସହଯୋଗ ସବୁବେଳେ ମୋତେ ମିଳିଛି । ମିଡିଆର ସହଯୋଗ ଯୋଗୁଁ ମୋତେ ପୁରା ଦୁନିଆ ଜାଣୁଛି ।

ମହାରାଷ୍ଟ୍ରର ବର୍ଧା ଜିଲ୍ଲାରେ ଏକ ସାଧାରଣ ପରିବାରରେ ସିନ୍ଧୁତାଇ ୧୯୪୮ରେ ଜନ୍ମ ଗ୍ରହଣ କରିଥିଲେ । ରୂଢିବାଦୀ ପରିବାରରୁ ଆସିଥିବାରୁ ଚତୁର୍ଥ ଶ୍ରେଣୀରେ ତାଙ୍କୁ ପାଠ ଛାଡିବାକୁ ପଡିଥିଲା । ସେ ୧୦ ବର୍ଷ ବୟସରେ ୨୦ ବର୍ଷର ଜଣେ ଯୁବକଙ୍କୁ ବିବାହ କରିଥିଲେ । କିଛି ବର୍ଷ ପରେ ସେ ଗର୍ଭବତୀ ହେବା ପରେ ଗର୍ଭର ନବମ ମାସରେ ତାଙ୍କ ପେଟକୁ ଗୋଇଠା ମାରି ତାଙ୍କ ସ୍ଵାମୀ ଘରୁ ବାହାର କରିଦେଇଥିଲେ । ଏହା ପରେ ଅଚେତ ଅବସ୍ଥାରେ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ତାଙ୍କ ପାଖରେ ଘର ନଥିବାରୁ ସେ ତାଙ୍କ ଶିଶୁକନ୍ୟାକୁ ରେଳ ଷ୍ଟେସନରେ ଛାଡି ଦେଇଥିଲେ ।

ସେ ଥରେ ଆତ୍ମହତ୍ୟା କରିବା ବିଷୟରେ ମଧ୍ୟ ଭାବିଥିଲେ । ନିଜ ପେଟ ଭରିବା ପାଇଁ ସେ ଟ୍ରେନରେ ଭିକ ମଧ୍ୟ ମାଗୁଥିଲେ । ଏହି ସବୁ ଘଟଣା ତାଙ୍କ ଆତ୍ମାକୁ କନ୍ଦେଇ ଦେଇଥିଲା । ତେବେ ଟ୍ରେନରେ ଭିକ ମାଗି ସିନ୍ଧୁତାଇ ରେଳ ଷ୍ଟେସନରେ ହିଁ ଶୋଇ ପଡୁଥିଲେ । ଦିନେ ରେଳ ଷ୍ଟେସନରେ ତାଙ୍କୁ ଏକ ଛୋଟପିଲା ମିଳିଥିଲା, ସେହିଦିନ ଠାରୁ ଅନାଥ ପିଲାମାନଙ୍କୁ ସାହାଯ୍ୟ କରିବାକୁ ତାଙ୍କୁ ପ୍ରେରଣା ମିଳିଥିଲା । ଏହି ପ୍ରେରଣା ପରେ ସେ ମହାରାଷ୍ଟ୍ରରେ ୬ଟି ବଡ ସମାଜସେବୀ ସଂସ୍ଥା ବନେଇ ପାରିଥିଲେ । ଏହି ୬ଟି ସଂସ୍ଥାରେ ୧୫୦୦ରୁ ଅଧିକ ଅନାଥ ପିଲା ଏକ ପରିବାର ଭଳି ରହନ୍ତି । ଏହି ସମାଜସେବୀ ସଂସ୍ଥାଗୁଡିକରେ ବିଧବା ମହିଳାମାନେ ମଧ୍ୟ ରହନ୍ତି ।

ସିନ୍ଧୁତାଇଙ୍କୁ ପଦ୍ମଶ୍ରୀ ସହିତ ୭୦୦ରୁ ଅଧିକ ପୁରସ୍କାର ମିଳିଥିଲା । ତାଙ୍କୁ ପୁରସ୍କାରରେ ଯେଉଁ ଅର୍ଥ ମିଳୁଥିଲା ସେହି ଅର୍ଥକୁ ବି ସେ ପିଲାଙ୍କ ଲାଳନପାଳନ ପାଇଁ ଖର୍ଚ୍ଚ କରି ଦେଉଥିଲେ । ସିନ୍ଧୁତାଇଙ୍କ ଜୀବନୀ ଉପରେ ‘ମି ସିନ୍ଧୁତାଇ ସପକାଲ’ ନାମକ ଏକ ମରାଠି ଚଳଚ୍ଚିତ୍ର ୨୦୧୦ରେ ରିଲିଜ ହୋଇଥିଲା । ଏହି ଚଳଚ୍ଚିତ୍ର ୫୪ତମ ଲଣ୍ଡନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ କରାଯାଇଥିଲା ।