କନକ ବ୍ୟୁରୋ: ଶୀତ ହେଉ ଖରା, ଅବା ହେଉ ବର୍ଷା ଋତୁ । ସିନ୍ଧୁଆ ଡ୍ୟାମର ଅପରୂପ ସୌନ୍ଦର୍ଯ୍ୟ ସବୁବେଳେ ପର୍ଯ୍ୟଟକଙ୍କୁ ତା କୋଳକୁ ଡାକେ । ୩ ପଟେ ପାହାଡ, ମଝିରେ ପାଣି । ଜଙ୍ଗଲୀ ପରିବେଶର ପ୍ରାକୃତିକ ମନୋରମ ଦୃଶ୍ୟକୁ ଉପଭୋଗ କରିବାକୁ ବିଭିନ୍ନ ସମୟରେ ଲୋକଙ୍କ ଭିଡ ଏଠାରେ ଲାଗେ । ଶୀତ ଦିନେ ବିଭିନ୍ନ ପକ୍ଷୀଙ୍କ ସମାଗମ ବି ଏଠାରେ ହୁଏ ।

Advertisment

ବାଲେଶ୍ୱର ଜିଲ୍ଲାର ସୋର ବ୍ଲକ ଓ ଔପଦା ବ୍ଲକ ମଧ୍ୟ ଭାଗରେ ଅବସ୍ଥିତ ଏହି ସିନ୍ଧୁଆ ଡ୍ୟାମକୁ ପିକନିକ ଋତୁରେ ଛୁଟେ ହଜାର ହଜାର ଲୋକଙ୍କ ସୁଅ । ବଣଭୋଜି କରି ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଇବାକୁ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମୁଥିବା ବେଳେ ବିକାଶ ଠାରୁ ବହୁଦୂରରେ ଏହି ପର୍ଯ୍ୟଟନସ୍ଥଳୀ । ସବୁଠାରୁ ବଡ କଥା ହେଉଛି ଖୋଦ ପର୍ଯ୍ୟଟନ ମନ୍ତ୍ରୀଙ୍କ ଜିଲ୍ଲାରେ ହିଁ ଅବହେଳିତ ପର୍ଯ୍ୟଟନ ସ୍ଥଳୀ । ବାରମ୍ବାର ସ୍ଥାନୀୟ ବାସିନ୍ଦାଙ୍କ ଦାବି ପରେ ବି ଏଥିପ୍ରତି ଧ୍ୟାନ ଦିଆଯାଉନି । ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପର୍ଯ୍ୟଟନ ମନ୍ତ୍ରୀ ଥିବା ବେଳେ ସିନ୍ଧୁଆ ଡ୍ୟାମ ପରିଦର୍ଶନ କରିବାକୁ ଯାଇଥିଲେ । ହେଲେ ତାଙ୍କ ପରିଦର୍ଶନର କୌଣସି ପ୍ରଭାବ ଏଯାଏଁ କିଛି ପରିଲକ୍ଷିତ ହୋଇନି । ଏହାରି ଭିତରେ ନୂଆ ପର୍ଯ୍ୟଟନ ମନ୍ତ୍ରୀ ତଥା ବାଲେଶ୍ୱର ଜିଲ୍ଲାର ମନ୍ତ୍ରୀ ପର୍ଯ୍ୟଟନ ଦାୟିତ୍ୱରେ ଥିବା ବେଳେ ବି ତାଙ୍କର ନଜର ପଡୁନି । ବିକାଶ କାମ ସେମିତି ଶୂନ ହୋଇ ପଡିଛି । ସ୍ଥାନୀୟ ଜନ ପ୍ରତିନିଧି ବି ବିକାଶ କାମ ପାଇଁ ସେତେଟେ ଆଗ୍ରହ ଦେଖାଉ ନଥିବା ଅଭିଯୋଗ ହେଉଛି ।

ମନୋରମ ପରିବେଶର ମଜା ନେବାକୁ ଲୋକଙ୍କ ଗହଳି ଲାଗୁଥିଲେ ବି ସିନ୍ଧୁଆ ଡ୍ୟାମକୁ ଭଲ ରାସ୍ତା ଖଣ୍ଡେ ନାହିଁ । ସିନ୍ଧୁଆ ବଜାରରୁ ପୂରା ଡ୍ୟାମ ଯାଏଁ ଅଣଓସାରିଆ ରାସ୍ତା ଯାତାୟାତରେ ବାଧକ ସାଜୁଛି । ଡ୍ୟାମରେ ପାନୀୟ ଜଳର ବ୍ୟବସ୍ଥା ନାହିଁ ତେଣୁ ପର୍ଯ୍ୟଟକ ଉକ୍ତ ଡ୍ୟାମ ପାଣିକୁ ବଣଭୋଜିରେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ପାର୍କିଂ ସୁବିଧା, ଶୌଚାଳୟ ସମସ୍ୟା ଥିବା ବେଳେ ଅନ୍ୟପଟେ ଡ୍ୟାମ ପାଣିରେ ଲୋକେ ନିଜସ୍ୱ ଖର୍ଚ୍ଚରେ ବୋଟ୍ ପକାଇ ମଜା ନେଉଛନ୍ତି । ସରକାରଙ୍କ ପକ୍ଷରୁ ବିକାଶ କାମ ଆଗେଇଲେ ଏଠାରେ ବୋଟିଂ ବ୍ୟବସ୍ଥା ବି କରାଯାଇ ପାରନ୍ତା ।

ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସିନ୍ଧୁଆ ଡ୍ୟାମର ବିକାଶ କରି ରୂପାନ୍ତରିତ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ତେବେ ଏ ଖବର ଦେଖିବା ପରେ ପର୍ଯ୍ୟଟନ ମନ୍ତ୍ରୀ କେବେ ଏହି ସ୍ଥାନକୁ ପରିଦର୍ଶନ କରିବାକୁ ଯାଉଛନ୍ତି ଆଉ ସିନ୍ଧୁଆ ଡ୍ୟାମର ବିକାଶ ପାଇଁ କେଉଁ ପଦକ୍ଷେପ ନେଉଛନ୍ତି ତାକୁ ହିଁ ଅପେକ୍ଷା ।