କନକ ବ୍ୟୁରୋ: ଗ୍ରୀଷ୍ମ ଆରମ୍ଭରୁ ଗଜପତି ବାଣମୁଣ୍ଡା ଗାଁରେ ଅସହ୍ୟ ହେଲାଣି ଜଳକଷ୍ଟ । କାମରେ ଆସୁନି ଗାଁରେ ନିର୍ମାଣ ହୋଇଥିବା ବସୁଧା ଯୋଜନାର ପ୍ରକଳ୍ପ । କୂଅରୁ ବାହାରୁଛି ଗୋଳିଆ ପାଣି । ଚୁଆ ପାଣିକୁ ପିଇବା ପାଣି ଭାବେ ବ୍ୟବହାର କରୁଛନ୍ତି ଗାଁର ୬୦ ପରିବାର ।

ଗ୍ରୀଷ୍ମ ଆରମ୍ଭରୁ ଜଳକଷ୍ଟ । ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ବାଣମୁଣ୍ଡ ଗାଁରେ ଫେଲ ମାରିଛି ବସୁଧା ଯୋଜନା । ଜଳ ଯୋଗଣ ପାଇଁ ପ୍ରକଳ୍ପ ନିର୍ମାଣ ହୋଇଛି । ହେଲେ ଲୋକଙ୍କୁ ମିଳୁନି ପିଇବା ପାଣି । ଗାଁରେ ଦୁଇଟି କୂଅ ଅଛି ହେଲେ ସେଥିରୁ ବାହାରୁଛି କାଦୁଅ ପାଣି । ଯାହା ପିଇବା ସମ୍ଭବ ନୁହେଁ । ତେଣୁ ବାଧ୍ୟ ହୋଇ ଲୋକମାନେ ଗାଁ ନିକଟରେ ଥିବା ଚୁଆ ଉପରେ ନିର୍ଭର କରୁଛନ୍ତି । ମହିଳାମାନେ ଚୁଆରୁ ପାଣି ସଂଗ୍ରହ କରି ପିଇବା ପାଣି ଭାବେ ବ୍ୟବହାର କରୁଛନ୍ତି ।

କେବଳ ପିଇବା ପାଣି ସମସ୍ୟା ନହେଁ ଗାଁକୁ ଭଲ ରାସ୍ତଟିଏ ବି ନାହିଁ । ପକ୍କା ରାସ୍ତାଟିଏ ନଥିବାରୁ ଯାତାୟତ ପାଇଁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଦିନ ଆସିଲେ ରାସ୍ତାର ଅବସ୍ଥା ନକହିବା ଭଲ । ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼େ । ଆମ୍ବୁଲାନ୍ସଟିଏ ଗାଁକୁ ଆସିପାରେନାହିଁ ।

ସ୍ୱାଧୀନତାର ୭ ଦଶନ୍ଧି ପରେ ମଧ୍ୟ ଏହି ଗାଁର ଲୋକମାନେ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ବଂଚିତ ରହିଛନ୍ତି । ତେଣୁ ନିର୍ବାଚନ ପୂର୍ବରୁ ସମସ୍ୟାର ସମାଧାନ ନହେଲେ ଭୋଟ୍ ବର୍ଜନ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।