ମୋ ବାପା ଯୋଦ୍ଧା ଥିଲେ, କେବେ ଆଖିରୁ ଲୁହ ଝରିବନି । ଯଦି ସାହସ ଅଛି ସାମ୍ନାକୁ ଆସ, ପଛରୁ ପଥର, ଗୁଳି କାହିଁକି ମାରୁଛ? ଆତଙ୍କବାଦୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ସିମ୍ରିଦ୍ଧି ।

355

କନକ ବ୍ୟୁରୋ : ଆତଙ୍କବାଦୀଙ୍କୁ ଯୁବତୀଙ୍କ ଖୋଲା ଚ୍ୟାଲେଞ୍ଜ ।ଯଦି ସାହସ ଅଛି ସାମ୍ନାକୁ ଆସ, ମୋ ସାଙ୍ଗରେ ଡିବେଟ କର । ତମ ପାଟିରୁ ପଦୁଟିଏ ଶବ୍ଦ ବାହାରିବନି । କେବଳ ପଛରୁ ଲୁଚିକି ପଥର ପକାଇବ, ଗୁଳି ମାରିବ । ତା ଛଡା ତୁମେ ଜାଣିଛ ବା କଣ । ତମେ ମୋ ବାପାଙ୍କୁ ମାରିଛ । ବାପାଙ୍କ ଶରୀର କେବଳ ନଷ୍ଟ କରିଛ କିନ୍ତୁ ତାଙ୍କର ଚିନ୍ତାଧାରାକୁ ନୁହେଁ କି ତାଙ୍କର ଆତ୍ମାକୁ ନୁହେଁ । ସେ ସବୁବେଳେ ଆମ ଭିତରେ ବଞ୍ଚି ରହିବେ । ଆତଙ୍କବାଦୀଙ୍କ ଗୁଳିରେ ବାପାଙ୍କୁ ହରାଇଥିବା ଜଣେ ଝିଅର ଇଏ ହେଉଛି ପ୍ରତିକ୍ରିୟା ।

ବାପାଙ୍କୁ ହରାଇ ଝିଅ ବାହୁନି ବାହୁନି କାନ୍ଦୁନି । କାରଣ ଝିଅ ଜାଣିଛନ୍ତି ଯଦି ସେ ବାପାଙ୍କ ମୃତ୍ୟୁକୁ ନେଇ କାନ୍ଦିବେ ଓ ଶୋକ ପାଳନ କରିବେ ତେବେ ଆତଙ୍କବାଦୀଙ୍କ ଏହା ଖୁସି ଦେବ । ତେଣୁ ସେମାନଙ୍କ ଜୋଶ ବଢାଇବାକୁ ମୁଁ ଚାହୁଁନି । ଏହାଛଡା ମୋ ବାପା ଜଣେ ଯୋଦ୍ଧା ଥିଲେ, ବହୁତ ପରିଶ୍ରମ କରୁଥିଲେ ତେଣୁ ତାଙ୍କ ମୃତ୍ୟୁରେ ମୁଁ କାନ୍ଦିବି ନାହିଁ । କାରଣ ତାଙ୍କର ବାପା କହିଥିଲେ ଯଦି ତୁମେ ଡରିଯିବ ତେବେ ବଞ୍ଚିବା କଷ୍ଟକର ହୋଇଯିବ ଆଉ ମରିଲେ ଥରେ ମରିବ । ତେଣୁ ଏମାନଙ୍କୁ କାହିଁକି ବା ଡରିବି । ଇଏ ଥିଲା କାଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ଫାର୍ମାସିଷ୍ଟ ମାଖନ ଲାଲ ବିନ୍ଦରୁଙ୍କ ଝିଅ ସିମ୍ରିଦ୍ଧି ବିନ୍ଦରୁଙ୍କ ମୁହଁରୁ କିଛି କଥା । ସିମ୍ରିଦ୍ଧିଙ୍କ ଏହି କଥା କେବଳ ଯେ ଆତଙ୍କବାଦୀଙ୍କ ପ୍ରତି ଲୋକଙ୍କ ମନରୁ ଭୟ ଦୂର କରିବ ତାହା ନୁହେଁ ବରଂ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଏକ ବଡ ଲଢେଇକୁ ପୁନଃଜନ୍ମ ଦେଇଛି ।

ଗତ ମଙ୍ଗଳବାର ଦିନ ଶ୍ରୀନଗରର ଇକବାଲ ପାର୍କ ଅଞ୍ଚଳରେ ଫାର୍ମାସିଷ୍ଟ ମାଖନ ଲାଲ ବିନ୍ଦରୁଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । କିଛି ବନ୍ଧୁକଧାରୀ ଆତଙ୍କବାଦୀ ଏଭଳି କାର୍ଯ୍ୟ କରିଥିବା ନେଇ ସୂଚନା ମିଳିଥିବା ବେଳେ ଝିଅ ସିମ୍ରିଦ୍ଧି ଏମାନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ସିମ୍ରିଦ୍ଧି କହିଛନ୍ତି, ଯଦି ସାହସ ଅଛି ସାମ୍ନାକୁ ଆସ ମୋ ସହ କଥା ହୁଅ । ତୁମେ କେବଳ ଜଣେ ବ୍ୟକ୍ତିର ଶରୀର ନଷ୍ଟ କରିଛ ତାଙ୍କର ଆତ୍ମାକୁ ନୁହେଁ ।

ମଖନ ଲାଲ ବିନ୍ଦରୁଙ୍କ ମୃତ୍ୟୁକୁ ନେଇ ଶୋକପ୍ରକାଶ କରିବା ସହ ଆତଙ୍କବାଦୀଙ୍କ ଏଭଳି ବର୍ବର କାର୍ଯ୍ୟକୁ ନିନ୍ଦା କରିଛନ୍ତି ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା । ଟ୍ୱିଟ୍ କରି ଉମର କହିଛନ୍ତି, ଏହା ବହୁତ ଭୟାନକ ଖବର । ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ଚରମ ସୀମାରେ ଥିବା ବେଳେ ମଧ୍ୟ ସେ କାଶ୍ମୀର ଛାଡିନଥିଲେ ଓ ଦୋକାନ ଚାଲୁ ରଖିଥିଲେ । କାଶ୍ମୀରବାସୀଙ୍କ ପାଖରେ ଔଷଧ ପହଞ୍ଚାଉଥିଲେ । ତାଙ୍କର ହତ୍ୟା ଗ୍ରହଣଯୋଗ୍ୟ ନୁହେଁ । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ।