କନକ ବ୍ୟୁରୋ : ଆଇପିଏଲ ଆରମ୍ଭ ହେବା ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦକୁ ବଡ ଝଟକା । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସାଇମନ କାଟିଚ ସନରାଇଜର୍ସ ହାଇଦ୍ରାବାଦର ସହକାରୀ କୋଚ ପଦରୁ ଇସ୍ତଫା ଦେଇଛନ୍ତି । ଗତ କିଛି ଦିନ ପୂର୍ବରୁ ହିଁ ସାଇମନ କାଟିଚ୍ ହାଇଦ୍ରାବାଦର ସହକାରୀ କୋଚ୍ ପଦ ଦାୟିତ୍ୱ ସମ୍ଭାଳିଥିଲେ । ତେବେ ପଦ ଛାଡିବା ନେଇ କାଟିଚ କହିଛନ୍ତି, ମହାନିଲାମୀ ପାଇଁ ହୋଇଥିବା ଯୋଜନାକୁ ବ୍ୟବହାର କରାଯାଇନଥିଲା । ଫ୍ରାଞ୍ଚାଇଜ ଏହା ପ୍ରତି ଦୃଷ୍ଟି ଦେଇନଥିଲେ ।

Advertisment

ଚଳିତ ମହାନିଲାମୀରେ ସନରାଇଜର୍ସ ହାଇଦ୍ରାବାଦ ୨୦ ଜଣ ଖେଳାଳୀଙ୍କୁ କିଣିଛି । ତେବେ ଏହି ୨୦ ଜଣ ଖେଳାଳୀଙ୍କୁ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ କିଣାଯାଇନଥିବା ଅଭିଯୋଗ ଆଣିଛନ୍ତି ସାଇମନ କାଟିଚ । ଏହାପୂର୍ବରୁ ଗତବର୍ଷ ମଧ୍ୟ ସନରାଇଜର୍ସ ହାଇଦ୍ରାବାଦ ଟିମ୍ ସମାଲୋଚନାର ଶିକାର ହୋଇଥିଲା, ଯେତେବେଳେ ଡେଭିଡ ୱାର୍ଣ୍ଣରଙ୍କୁ ଅଧିନାୟକ ପଦରୁ ହଟାଯିବା ସହ ଖରାପ ଫର୍ମ ପାଇଁ ଚୂଡାନ୍ତ ଏକାଦଶରୁ ବାଦ ଦିଆଯାଇଥିଲା ।

ସେହିଭଳି ଆଇପିଏଲ ଆରମ୍ଭ ପୂର୍ବରୁ ଟ୍ରେବର ବେଲିସ ଓ ବ୍ରାଡ ହାଡିନ ମଧ୍ୟ ନିଜର ପଦ ଛାଡିଛନ୍ତି । ଟମ୍ ମୁଡି ଏବେ ସନରାଇର୍ଜସ ହାଇଦ୍ରାବାଦର କୋଚ ଦାୟିତ୍ୱରେ ଥିବା ବେଳେ କେନ୍ ୱିଲିୟମସନ ଚଳିତ ସିଜିନରେ ଦଳର ଅଧିନାୟକ ଭାର ସମ୍ଭାଳିବେ । ଆଉ ଚଳିତ ବର୍ଷ ୱେଷ୍ଟଇଣ୍ଡିଜର ଶ୍ରେଷ୍ଠ ଖେଳାଳୀ ବ୍ରାଏନ ଲାରା ମଧ୍ୟ ସନରାଇଜର୍ସ ହାଇଦ୍ରାବାଦ ସହ ଯୋଡି ହୋଇଛନ୍ତି । ଗତବର୍ଷ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦର ପ୍ରଦର୍ଶନ ସେତେଟା ଭଲ ନଥିଲା । ୧୪ଟି ମୁକାବିଲାରୁ ମାତ୍ର ୩ଟିରେ ବିଜୟୀ ହୋଇ ଅନ୍ତିମ ସ୍ଥାନରେ ରହିଥିଲା ଦଳ । ତେବେ ଚଳିତ ମହାନିଲାମୀ ପୂର୍ବରୁ କେନ୍ ୱିଲିୟମସନ, ଅବଦୁଲ ସମଦ ଓ ଉମରାନ ମଲ୍ଲିକଙ୍କୁ ଦଳ ରିଟେନ ରଖିଥିଲା । ଆଉ ଚଳିତ ମହାନିଲାମୀରେ ଏଡନ ମକରମ, ମାର୍କୋ ଜାନେସନ, ନିକୋଲାସ ପୁରନ, ଭୁବନେଶ୍ୱର କୁମାରଙ୍କ ଭଳି ଖେଳାଳୀଙ୍କୁ ଫ୍ରାଞ୍ଚାଇଜ କିଣିଛି ।